ବଡ଼ ଧୂମକେତୁ ଆସୁଛି ପୃଥିବୀ ଆଡ଼କୁ

ବଡ଼ ଧୂମକେତୁ ଆସୁଛି ପୃଥିବୀ ଆଡ଼କୁ

ନୂଆଦିଲ୍ଲୀ: ଗତ ୪ ମାସ ମଧ୍ୟରେ ଦ୍ବିତୀୟ ଥର ବିସ୍ଫୋରିତ ହୋଇଥିବା ଏଭରେଷ୍ଟ୍‌ ଶୃଙ୍ଗଠାରୁ ୩ ଗୁଣ ବଡ଼ ଗୋଟାଏ ଧୂମକେତୁ ବା ଲଞ୍ଜାତାରା ପୃଥିବୀ ଆଡ଼କୁ ଆସୁଛି । ‘୧୨ପି/ପନ୍‌ସ୍‌-ବ୍ରୁକ୍‌ସ୍‌’ ନାମକ ଏହି ମହାଜାଗତିକ ବସ୍ତୁ ହେଉଛି ଗୋଟାଏ ‘ଶୀତଳ ଆଗ୍ନେୟଗିରି’ ବା ‘ଶୃଙ୍ଗ’ ଥିବା ଧୂମକେତୁ ବା ଲଞ୍ଜାତାରା। ଏହାର ଗୋଲେଇ ପ୍ରାୟ ୩୦ କିଲୋମିଟର୍‌। ଅକ୍ଟୋବର ୫ ତାରିଖ ଦିନ ଏଥିରେ ଆଗ୍ନେୟଗିରି ଉଦ୍‌ଗୀରଣ ଘଟିଥିଲା। 

‘୧୨ପି’ ଉପରେ ନିରନ୍ତର ଦୃଷ୍ଟି ରଖିଥିବା ‘ବ୍ରିଟିସ୍‌ ଆଷ୍ଟ୍ରୋନମିକାଲ୍‌ ଆସୋସିଏସନ୍‌’ (ବିବିଏ) କହିଛି ଯେ, ଦ୍ବିତୀୟ ଥର ଉଦ୍‌ଗୀରଣ ହେବା ପରେ ଏହା ବହୁଗୁଣ ଉଜ୍ଜ୍ବଳ ହୋଇଯାଇଛି। ଧୂମକେତୁର କେନ୍ଦ୍ରସ୍ଥଳକୁ ବେଢ଼ି ରହିଥିବା ବାଷ୍ପୀୟ ବଉଦ ବା ‘କୋମା’ ଯୋଗୁଁ ଆଲୋକ ପ୍ରତିସରଣ ହେବାରୁ ତାହା ଆହୁରି ଉଜ୍ଜ୍ବଳ ଦିଶୁଛି। ଆଉ କିଛି ଦିନ ପରେ ଧୂମକେତୁର ‘କୋମା’ ଆହୁରି ସମ୍ପ୍ରସାରିତ ହେବ। ଧୂମକେତୁରେ ଅଜବ ପ୍ରକାରର ଶୃଙ୍ଗ ସବୁ ବାହାରିବ ବୋଲି ‘ଲାଇଭ୍‌ ସାଇନ୍‌ସ୍‌’ ରିପୋର୍ଟ କରିଛି। ଏସବୁ ସତ୍ତ୍ବେ ୨୦୨୪ ପର୍ଯ୍ୟନ୍ତ ‘୧୨ପି’ ନାମକ ଏହି ଧୂମକେତୁ ଖାଲି ଆଖିକୁ ଦେଖା ଯିବା ଭଳି ପୃଥିବୀର ନିକଟତମ ସ୍ଥାନକୁ ଆସିବ ନାହିଁ ବୋଲି ବେଜ୍ଞାନିକମାନେ କହିଛନ୍ତି। ସେତେବେଳେ ଏ ଧୂମକେତୁ ଛିଟିକି ଯାଇ ପୁଣି ସୌରମଣ୍ଡଳ ମଧ୍ୟକୁ ପ୍ରବେଶ କରିବ ଏବଂ ୨୦୯୫ ମସିହା ପର୍ଯ୍ୟନ୍ତ ଆଉ ସେଥିରୁ ବାହାରି ପାରିବ ନାହିଁ।