ବୁଲ୍ବୁଲ୍ କ୍ଷୟକ୍ଷତି ସମୀକ୍ଷା ସହ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବୁଲ୍ବୁଲ୍ କ୍ଷୟକ୍ଷତି ସମୀକ୍ଷା ସହ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
admin
Nov 12, 2019 - 07:09
Updated: Nov 12, 2019 - 07:09
୧୮ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ
୨୪ ସୁଦ୍ଧା ସହାୟତା ବଣ୍ଟନ ପାଇଁ ନିଦେ୍ର୍ଧଶ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ବୁଲ୍ବୁଲ୍ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ନଭେମ୍ବର ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ପ୍ରଦାନ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଳାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହା ସହ ନଭେମ୍ବର ୨୪ ତାରିଖ ସୁଦ୍ଧା ସହାୟତା ବଣ୍ଟନ କରିବା ପାଇଁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି ।
ଭିଡିଡ଼ କନ୍ଫରେନସିଂ ଜରିଆରେ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା ସମୟରେ କ୍ଷୟକ୍ଷତିର ଆକଳନ ଓ ସହାୟତା ବଣ୍ଟନ ପ୍ରକି୍ରୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ଏ ସଂକ୍ରାନ୍ତୀୟ ସମସ୍ତ ବିବରଣୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରିବା ଏବଂ ସହାୟତା ରାଶି କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ୱେବସାଇଟରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ ।
ସୂଚନା ଯୋଗ୍ୟ ଯେ ବୁଲବୁଲ୍ ବାତ୍ୟାରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ ମୟୂରଭଞ୍ଜ ସମେତ ୬ଟି ଜିଲ୍ଲାର ସରକାରୀ ଓ ଘରୋଇ ସମ୍ପତ୍ତିର ବ୍ୟାପକ କ୍ଷତି ଘଟିଛି । ଘର, ଫସଲର କ୍ଷତି ହେବା ସହିତ ଲୋକଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ବିଦୁ୍ୟତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ।
ଆଗାମୀ ଦୁଇଦିନ ମଧ୍ୟରେ ଭିତ୍ତିଭୂମିର ପୁନରୁଦ୍ଧାର ସହିତ ବିଦୁ୍ୟତ ସଂଯୋଗ ନ ଆସିବା ପର୍ଯ୍ୟନ୍ତ ଜେନେରେଟର ବ୍ୟବହାର କରି ଜଳଯୋଗାଣ ଚାଲୁ ରଖିବା ଏବଂ ଆବଶ୍ୟକ ସ୍ଥଳେ ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ବାତ୍ୟା ସମୟରେ ଓଡ୍ରାଫ ଟିମ୍ର ଉଦ୍ଧାର ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ କାର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ।
ବୈଠକରେ ମୁଖ୍ୟମନ୍ତ୍ରୀ ବୁଲ୍ବୁଲ କ୍ଷତିଗ୍ରସ୍ତଙ୍କ ପାଇଁ ଏକ ପ୍ୟାକେଜ ମଧ୍ୟ ଅନୁମୋଦନ କରିଛନ୍ତି । ଏହି ପ୍ୟାକେଜ୍ ଅନୁଯାୟୀ :
୧. ଅଣ-ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ ବା ତଦୁର୍ଦ୍ଧ ଫସଲ କ୍ଷତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ଇନ୍ପୁଟ ସବ୍ସିଡି, ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଛା ୧୩,୫୦୦ ଟଙ୍କା ଏବଂ ସବୁ ଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ପ୍ରଦାନ କରାଯିବ ।
୨. କୌଣସି କ୍ଷେତ୍ରରେ ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ପରିମାଣ ୨୦୦୦ ଟଙ୍କାରୁ କମ୍ ଏବଂ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧୦୦୦ ଟଙ୍କା କମ୍ ହେବ ନାହିଁ ।
୩. ରବି ଫସଲ ୨୦୧୯-୨୦ ପାଇଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଡାଲି ଓ ତୈଳଜାତୀୟ ଫସଲ ପାଇଁ ୫୦ ହଜାର ଟଙ୍କା ବିହନ ମିଳି କିଟ୍ ପ୍ରଦାନ କରାଯିବ ।
୪. କ୍ଷତିଗ୍ରସ୍ତ ଜିଲ୍ଲାରେ ୪୫ ହଜାର ଏକର ଜମିରେ ଡେମୋନଷ୍ଟ୍ରେସନ କାର୍ଯ୍ୟକ୍ରମ କରାଯିବ ।
୫. କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ୩୦୦୦ ସ୍ପ୍ରେୟର ପ୍ରଦାନ କରାଯିବ । ବ୍ୟାଟେରୀ ଚାଳିତ ସ୍ପ୍ରେୟର କ୍ଷେତ୍ରରେ ସର୍ବାଧିକ ରିହାତି ୩୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ।
୬. ରବି ୨୦୧୯-୨୦ ପାଇଁ ୧୦ ହଜାର ପରିବା ମିନି କିଟ୍ ପ୍ରଦାନ କରାଯିବ ।
୭. ପ୍ରତ୍ୟେକ ଚାଷୀଙ୍କୁ ୩୦ ୟୁନିଟ ପର୍ଯ୍ୟନ୍ତ ପାନବରଜର ପୁନରୁଦ୍ଧାର ପାଇଁ ୧୫ ହଜାର ଟଙ୍କା ଦିଆଯିବ ।
୮. ୫୦ ୟୁନିଟ୍ ପର୍ଯ୍ୟନ୍ତ କ୍ଷିତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ ।
୯. ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟ କୃଷି ସାମଗ୍ରୀ ଦେବା ପାଇଁ ପଦକ୍ଷେପ ନିଆଯିବ ।
୧୦. ଫସଲ ବୀମା ଯୋଜନାର ସୁବିଧା ଚାଷୀଙ୍କୁ ଶୀଘ୍ର ଦେବା ପାଇଁ ଫସଲ କଟା ପରୀକ୍ଷଈ କରାଯାଇ ବୀମା ପରିମାଣ ଚୂଡାନ୍ତ କରାଯିବ ।
୧୧. ୩୩ ପ୍ରତିଶତ ବା ତଦୁର୍ଦ୍ଧ କ୍ଷତି ହୋଇଥିବା ଚାଷୀଙ୍କୁ ରବି ୨୦୧୯ ପାଇଁ ଦିଆଯାଇଥିବା ସ୍ୱଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ ।
୧୨. କ୍ଷୀର ଦେଉଥିବା ଗାଈ, ମଇଁଷି ପାଇଁ ସହାୟତା ପ୍ରତି ପ୍ରାଣୀ ପାଇଁ ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉ ନଥିବା ପ୍ରାଣୀ ପାଇଁ ୨୫ ହଜାର ଟଙ୍କା ଲେଖାଏଁ (୩ଟି ପ୍ରାଣୀ ), ବାଛୁରୀ ପାଇଁ ୧୬ ହଜାର (୬ଟା ପ୍ରାଣୀ ପର୍ଯ୍ୟନ୍ତ), ଛେଳି ମେଣ୍ଢା ପାଇଁ ୩୦୦୦ ଟଙ୍କା (୩୦ଟି ପ୍ରାଣୀ ପର୍ଯ୍ୟନ୍ତ), କୁକୁଡ଼ା ପାଇଁ ମୁଣ୍ଡପିଛା ୫୦ ଟଙ୍କା (ସର୍ବୋଚ୍ଚ ୫ ହଜାର ଟଙ୍କା) ଦିଆଯିବ ।
୧୩. ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪୧୦୦ ଟଙ୍କା, ଆଂଶିକ କ୍ଷତି ହୋଇଥିବା ଜାଲ ପାଇଁ ୨୧୦୦ ଟଙ୍କା, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୯୬୦୦ ଟଙ୍କା ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜାଲ ପାଇଁ ୨୬୦୦ ଟଙ୍କା ସହାୟତା ଦିଆଯିବ ।
୧୪. ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨,୨୦୦ ଟଙ୍କା ଏବଂ ଇନ୍ପୁଟ ସବ୍ସିଡ଼ି ଭାବରେ ହେକ୍ଟର ପିଛା ୮୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀରୁ ଫେରି ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ।