ବିଜେପୁର : ୧୭ରେ ପ୍ରଚାର କରିବେ ନବୀନ
ବିଜେପୁର : ୧୭ରେ ପ୍ରଚାର କରିବେ ନବୀନ
admin
Oct 10, 2019 - 05:37
Updated: Oct 10, 2019 - 05:37
ଭୁବନେଶ୍ୱର : ପୂଜା ପାଇଁ ବିଜେପୁର ଉପନିର୍ବାଚନ ପ୍ରଚାର ଫିକା ପଡ଼ିଯାଇଛି । ତେବେ ପୂଜା ସରିଯିବା ପରେ ଏବେ ରାଜନୀତିକ ଦଳଗୁଡ଼ିକ ପ୍ରଚାରକୁ ଜୋରଦାର କରିବା ପାଇଁ ଯୋଜନା କରିଛନ୍ତି । ଆସନ୍ତା ୧୭ରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ନବୀନ ଦୁଇଦିନ ଧରି ବିଜେପୁରରେ ପ୍ରଚାର କରିବେ । ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ୧୪ରେ ବିଜେପୁର ଆସିବେ ବୋଲି ଜାଣିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ନବୀନ ୧୭ରେ ହେଲିକପ୍ଟର ଯୋଗେ ବରପାଲି ଯିବେ । ସେଠାରେ ସାଧାରଣ ସଭାରେ ସେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ପରେ ସେ ବିଜେପୁର ଆସି ପ୍ରଚାର କରିବେ । ରାତିରେ ସର୍କିଟ ହାଉସରେ ରହିବେ ବୋଲି ଜାଣିବାକୁ ମିଳିଛି । ଅକ୍ଟୋବର ୧୮ରେ ନବୀନ ଗାଇସିଲଟ ବ୍ଲକରେ ପ୍ରଚାର କରି ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ଅଛି ।
ସୂଚନାଯୋଗ୍ୟଯେ, ଗତ ୨୦୧୯ ନିର୍ବାଚନରେ ନବୀନ ବିଜେପୁରରୁ ଲଢ଼ିବା ସହ ବହୁ ଭୋଟରେ ବିଜୟୀ ହୋଇଥିଲେ । ତେବେ ପରେ ସେ ନିଜର ପାରମ୍ପରିକ ଆସନ ହିଞ୍ଜିଳିକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଚଳିତ ଉପନିର୍ବାଚନରେ ବିଜେଡ଼ି ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି । ଅପରପକ୍ଷରେ ବିଜେପି ପୁଣି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଭୋଟ ବ୍ୟବଧାନ ବଢ଼ାଇବା ପାଇଁ ବିଜେଡ଼ି ଲକ୍ଷ୍ୟ ରଖିଛି । ଏଥିପାଇଁ ଦଳର ତୁଙ୍ଗ ନେତାମାନଙ୍କୁ ଦାୟିତ୍ୱ ଆବଂଟନ କରାଯାଇଛି । ବିଜେପୁରରେ ଏବେ ଦଳର ସ୍ଥିତି ସୁଦୃଢ଼ ଥିବାବେଳେ ନବୀନଙ୍କ ପ୍ରଚାର ରୀତାଙ୍କୁ ବହୁ ଭୋଟରେ ବିଜୟୀ ହେବାରେ ସହାୟକ ହୋଇପାରିବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।