ବିଜେପୁରବାସୀ ପ୍ରତାରିତ ହୋଇଛନ୍ତି: ଧର୍ମେନ୍ଦ୍ର

ବିଜେପୁରବାସୀ ପ୍ରତାରିତ ହୋଇଛନ୍ତି: ଧର୍ମେନ୍ଦ୍ର

ବିଜେପୁରବାସୀ ପ୍ରତାରିତ ହୋଇଛନ୍ତି: ଧର୍ମେନ୍ଦ୍ର
ଗାଇସିଲଟ/ବରପାଲି : ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତାଲପାଲି ଓ ଆଗଲପୁରଠାରେ ବିଜେପି ପକ୍ଷରୁ ନିର୍ବାଚନୀ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାଣ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଶାସନ ବ୍ୟବସ୍ଥା ମିଛ ତଥ୍ୟ ଉପରେ ଆଧାରିତ । ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି ପାଳନ କରିନାହାନ୍ତି । ପଶ୍ଚିମ ଓଡ଼ିଶାର ଲୋକଙ୍କ ଭାବନା ସହ ଛଳ କରିଛନ୍ତି । ମୋଟାମୋଟି ଭାବେ ବିଜେପୁରବାସୀ ପ୍ରତାରିତ ହୋଇଛନ୍ତି । କାହା ବିରୋଧରେ ପ୍ରଚାର କରିବାକୁ ସେ ଏଠାକୁ ଆସିନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ରାଜ୍ୟ ସରକାର ଏବେ କହୁଛନ୍ତି ମୋ ସରକାର’ । ତେବେ ଆଗରୁ କାହା ସରକାର ଚାଲିଥିଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ବିଜେପୁରରେ ଏବେ ସୁଦ୍ଧା ପ୍ରତି ପରିବାରକୁ ପାଇପରେ ବିଶୁଦ୍ଧ ପାଣି ମିଳୁନାହିଁ । ଜଳସେଚନ ବ୍ୟବସ୍ଥା ହୋଇପାରିନାହିଁ । ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ଆଗେଇ ପାରିଲା ନାହିଁ କି ବେକାରଙ୍କୁ ନିଯୁକ୍ତି ମିଳିଲା ନାହିଁ । ବାରମ୍ବାର ଲୋକମାନଙ୍କୁ ଯେଉଁ ମିଛ କୁହାଯାଉଛି, ତାହାର ଉତ୍ତର ଗଣତନ୍ତ୍ରରେ ଜନସାଧାରଣ ଦେବେ ବୋଲି ଧର୍ମେନ୍ଦ୍ର ଆଶା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଧାନର ଏମଏସପି ଦେଢ଼ଗୁଣା କରିବା ପରେ ମଧ୍ୟ ଏଠାରେ ଧାନ କ୍ୱିଣ୍ଟାଲ ପିଛା ୧୨୦୦ ଟଙ୍କାରେ ବିକି୍ର ହେଉଛି । ସେମିତି ଚାଷୀଙ୍କୁ ବୋନସ ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନଥି ଭିତରେ ରହିଯାଇଛି । ଚାଷୀଙ୍କ ପରିବର୍ତ୍ତେ ନେତାଙ୍କ ପାଖ ଲୋକ ଏଠି କାଳିଆ ଟଙ୍କା ପାଇଛନ୍ତି । ସମସ୍ତଙ୍କ ମୁଣ୍ଡ ଉପରେ ଛାତ ପ୍ରତି ଘରକୁ ନଳ ଯୋଗେ ପାନୀୟ ଜଳ ଘରକୁ ବିଜୁଳି ଓ ଉଜ୍ଜଳା ରନ୍ଧନ ଗ୍ୟାସ ଦେବାର ଦାୟିତ୍ୱ ନେବାରେ ଲୋକଟି ହେଉଛନ୍ତି ନରେନ୍ଦ୍ର ମୋଦି । ପଶ୍ଚିମ ଓଡ଼ିଶାର ବିକାଶ ନିମନ୍ତେ ମୋଦି ସରକାର ଅଙ୍ଗୀକାରବଦ୍ଧ । ଯିଏ କାମ କରୁଛି ତାକୁ ଭରସା କରିବା ଦରକାର ଓ ଯିଏ ପ୍ରତାରିତ କରୁଛି ତାକୁ ପ୍ରତ୍ୟାଖ୍ୟାନ କରିବାର ସମୟ ଆସିଛି । ତେଣୁ ଦେଶରେ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବା ନିମନ୍ତେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ବିଜୟୀ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବିଜେପୁର ଜନସାଧାରଣ ଲୋକସଭାରେ ତାଙ୍କୁ ବିଜୟୀ କରିଥିବା ବେଳେ ବିଧାନସଭାରେ ମଧ୍ୟ ସନତ ଗଡ଼ତିଆଙ୍କୁ ବିଜୟୀ କରି ବିକାଶର ଧାରାକୁ ତୀବ୍ର କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ସାଂସଦ ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁ, ରାଜ୍ୟ ସମ୍ପାଦକ ସୁଶାନ୍ତ ମିଶ୍ର, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରୂଦେରପାଲି ମଣ୍ଡଳ ସଭାପତି ବିନାୟକ ପ୍ରସାଦ ଗୁରୁ, ଝସକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।