ବିଜେଡି ବାଟରୁ ୫୨ କଣ୍ଟା ହଟିଲେ

ବିଜେଡି ବାଟରୁ ୫୨ କଣ୍ଟା ହଟିଲେ

ବିଜେଡି ବାଟରୁ ୫୨ କଣ୍ଟା ହଟିଲେ


ଭୁବନେଶ୍ୱର: ବିଦ୍ରୋହ ଦମନରେ ବଡ଼ ସଫଳତା ମିଳିଛି ଶାସକ ବିଜେଡିକୁ । ଅଧିକାଂଶ ପ୍ରମୁଖ ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନ ରଣକ୍ଷେତ୍ର ଛାଡ଼ି ଓହରିଯାଇଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ବିଦ୍ରୋହୀ ପ୍ରାର୍ଥୀ ସାଜି ବିଜେଡି ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ଅଧିକାଂଶ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଛନ୍ତି ।   ୫୨ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଅଧିକାଂଶ ୱାର୍ଡରେ ବିଜେଡି ପ୍ରାର୍ଥୀଙ୍କ ବାଟରୁ କଣ୍ଟା ହଟିଯାଇଛି । ଅନ୍ୟପଟେ ବିଦ୍ରୋହୀ ହଟିବା ପରେ ବିରୋଧୀଙ୍କ ସମସ୍ୟା ବଢ଼ିଯାଇଛି । 

  ସ୍ୱାଧୀନ ପ୍ରାର୍ଥୀ ଏତେ ସଂଖ୍ୟାରେ ଓହରିବା ନେଇ ଅନେକ ଚର୍ଚ୍ଚା ଘୂରି ବୁଲୁଛି ରାଜଧାନୀ ରାଜନୈତିକ ଖଟିରେ । ଶୁଣିବାକୁ ମିଳୁଛି, କାହାକୁ ଥୋପ ଫିଙ୍ଗିଲେ, କାହାକୁ କୋପ ଦେଖାଇଲେ । ଓହରିଯାଅ, ତୁମ କଥା ବୁଝାଯିବ । ବଡ଼ ନେତା ବି ଲାଗି ପଡ଼ିଲେ ଏ ଅପରେସନରେ । ଆଗରୁ ୮ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ଶେଷଦିନରେ ଆହୁରି ୪୪ଜଣ ନାମାଙ୍କନପତ୍ର ଫେରାଇ ଆଣିଲେ । ମୁଖ୍ୟତଃ ମଧ୍ୟ ଭୁବନେଶ୍ୱର ଓ ଉତ୍ତର ନିର୍ବାଚନମଣ୍ଡଳୀରେ କର୍ପୋରେଟର ଟିକେଟ ନ ମିଳିବାରୁ ବହୁ ସଂଖ୍ୟାରେ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି ବିଜେଡିରେ । ଅନେକ ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ସାଜିଥିଲେ । ୭ ନମ୍ବର ୱାର୍ଡରୁ ୪ଜଣ ପ୍ରମୁଖ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି । ୧୦ ନମ୍ବର ୱାର୍ଡରୁ ୩ଜଣ, ୧୬ ନଂରୁ ୩ଜଣ, ୧୪ ନଂରୁ ୩ଜଣ, ୧୧ ନଂରୁ ୩ଜଣ, ୧୦ ନଂରୁ ୩ଜଣ, ୬୫ ନମ୍ବର ୱାର୍ଡରୁ ୩ ଜଣ ନିର୍ବାଚନ ମଇଦାନ  ଛାଡ଼ିଛନ୍ତି । ତେବେ ବେଶିର ଚର୍ଚ୍ଚାର ବିଷୟ ହୋଇଛି ୨୯ ନମ୍ବର ୱାର୍ଡ ଓ ୧୯ ନଂ ୱାର୍ଡ । ୨୯ ନଂରୁ ବିଜେଡିର ହେଭିୱେଟ ନେତା ତଥା ଲଗାତାର ୫ଥର କର୍ପୋରେଟର/କାଉନସିଲର ଜିତି ଆସୁଥିବା ସେକ୍ ନିଜାମୁଦ୍ଧିନ ଟିକଟରୁ ବଂଚିତ ହୋଇ ବିଦ୍ରୋହୀ ସାଜିଥିଲେ । ବିଜେଡି ତାଙ୍କୁ ବୁଝାଇ ସୁଝାଇ ମଇଦାନରୁ କାଢ଼ି ଆଣିଛି । ଏବେ ସେ ଦଳର କର୍ପୋରେଟର ପ୍ରାର୍ଥୀ ପାଇଁ ପ୍ରଚାର କଲେଣି । ସେହିପରି ୧୯ ନଂ ୱାର୍ଡର ପୂର୍ବତନ କର୍ପୋରେଟର ଜ୍ୟୋସ୍ନାରାଣୀ ରାଉତରାୟ ପୂର୍ବରୁ କଂଗ୍ରେସ ଟିକେଟରେ ଜିତି କର୍ପୋରେଟର ହୋଇଥିବାବେଳେ ଜିତିବା ପରେ ବିଜେଡିକୁ ଡେଇଁଥିଲେ । ହେଲେ ବିଜେଡି ଏଥର ଟିକେଟ ନ ଦେବାରୁ ସେ କଂଗ୍ରେସ ଶରଣ ପଶି ଟିକେଟ ନେଇଥିଲେ । କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ହେଲେ ସେ ଅଚାନକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା କଂଗ୍ରେସକୁ ଶକ୍ତ ଧକ୍କା ଦେଇଛି । କଂଗ୍ରେସ ବର୍ତ୍ତମାନ ୧୯ ନଂ ୱାର୍ଡରେ ଆଉ ପ୍ରାର୍ଥୀ ଦେଇପାରିଲାନି । ଶୁଣାଯାଉଛି, ଜ୍ୟୋସ୍ନାଙ୍କୁ ବିଜେଡି ବୁଝାସୁଝା କରିବା ପରେ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ସେହିପରି ୩୮ ନମ୍ବର ୱାର୍ଡରେ ପୂର୍ବତନ କର୍ପୋରେଟରଙ୍କ ପତ୍ନୀ ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ୩୯ ନଂରେ ପୂର୍ବତନ କର୍ପୋରେଟର ମୈଦାନରୁ ବାହାରି ଆସିଛନ୍ତି । ୩୬ ନଂ ୱାର୍ଡରୁ ପୂର୍ବତନ କର୍ପୋରେଟର ଦେବାଶିଷ ସିଟ୍ ନାମାଙ୍କନ ପ୍ରତ୍ୟାହାର କରିଥିଲେ ବି ତାଙ୍କ ମୂଳ ସିଟ୍ ୩୫ ନଂ ୱାର୍ଡରେ ତାଙ୍କ ପତ୍ନୀ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି । ଦେବାଶିଷ ଏବେ ବିଜେଡି ଗଳାରେ ଣ୍ଟା ହେଲେଣି ୩୫ ନଂ ୱାର୍ଡରେ । ୪୧ ନଂ ୱାର୍ଡରେ ପୂର୍ବତନ କର୍ପୋରେଟର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ ବି ଅନ୍ୟ ଜଣେ ପୂର୍ବତନ କର୍ପୋରେଟରଙ୍କ ପତ୍ନୀ ବିଜେଡିର ନିଦ ହଜାଇ ଦେଲେଣି । ୫୭ ନଂ ୱାର୍ଡ ଏବଂ ୩୭ ନଂ ୱାର୍ଡରେ ଏବେ ବି ବିଦ୍ରୋହୀ ଓହରିନଥିବାରୁ ବିଜେଡିର ଚିନ୍ତା ବଢ଼ିଛି । ଯଦିଓ ୧୪, ୨୫, ୩୦, ୨୨, ୧୭ ଓ ୪୮ ନଂ ୱାର୍ଡରେ ସମସ୍ୟା କମିଛି । ୧୯ ନଂ ୱାର୍ଡରେ ଜଣେ ବିଦ୍ରୋହୀ ଓ କଂଗ୍ରେସ ପ୍ରାର୍ଥୀ ମଇଦାନ ଛାଡ଼ିବା ପରେ ବିଜେଡିକୁ ସୁହାଇବ ବୋଲି କୁହାଯାଉଛି । ତେବେ ୧୨ଜଣ ମେୟର ପ୍ରାର୍ଥୀ ମଇଦାନ ଛାଡ଼ିନଥିଲେ ବି ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ୩ ପ୍ରମୁଖ ଦଳ ଭିତରେ ହେଉଛି । 

 କିଏ ଓହରିଗଲେ ରଣକ୍ଷେତ୍ରରୁ

ୱାର୍ଡ      ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ

୩     ସସ୍ମିତା ସେଠୀ

୫     ବିଜୟଲକ୍ଷ୍ମୀ ରାଉତ

୭     ସୁଶିଲ କୁମାର ପଣ୍ଡା

୭    ମୃତୁ୍ୟଞ୍ଜୟ ଷଢଙ୍ଗୀ

୭    ଇଶ୍ୱର ଚନ୍ଦ୍ର ସ୍ୱାଇଁ

୭    ସ୍ୱର୍ଣ୍ଣପ୍ରଭା ରାୟ

୧୦     ସ୍ୱାଗତିକା ରାଉତ

୧୦    ଦିଲ୍ଲୀପ ନାୟକ

୧୦    ସଞ୍ଜୟ ବଳିୟାରସିଂହ

୧୧     ସ୍ମରଣିକା ମହାନ୍ତି

୧୧    ରଶ୍ମିତା ମହାନ୍ତି

୧୨     ସସ୍ମିତା ସେଠୀ

୧୩     ଶ୍ରଦ୍ଧାଞ୍ଜଳୀ ମଲ୍ଲିକ

୧୩    ରଞ୍ଜିତା ସେଠୀ

୧୩    ତପସ୍ୱିନୀ ଦାସ

୧୪     ମିନିରାଣୀ ସିଂ

୧୪    ସନ୍ଧ୍ୟାରାଣୀ ମଲ୍ଲିକ

୧୪    ରେବତୀ ସ

୧୬    ଚୌଧୁରୀ ବିକାଶ ଦାସ

୧୬    ଅକ୍ଷୟ  ବେହେରା

୧୬    ପ୍ରଶାନ୍ତ ସ୍ୱାଇଁ

୧୭     ଦିପ୍ତୀରେଖା ପାଇକ୍ରାୟ

୧୭    ସୁସ୍ମିତା ଦାସ

୧୭    ବିଜୟିନୀ ବେହେରା

୧୮      ଧୀରେନ୍ଦ୍ର ବେହେରା

୧୯     ପୁନମ୍ ପରିଡ଼ା

୧୯    ଜ୍ୟୋସ୍ନାରାଣୀ ରାଉତରାୟ

୨୦     ଗଦାଧର ପ୍ରଧାନ

୨୦    ପ୍ରସନ୍ନ ସାହୁ

୨୨     ଦୌପଦୀ ମଣିସିଂ

୨୫     ଅକ୍ଷୟ ବାରିକ

୨୭     ବସନ୍ତ ପ୍ରଧାନ

୨୭    ଅକ୍ଷୟ ମହାନ୍ତି

୨୯     ଶେଖ୍ ନିଜାମୁଦ୍ଧିନ୍

୩୦     ନିହାର ପତି

୩୬     ଦେବାଶିଷ ସିଟ୍

୩୮     ପ୍ରଣତୀ ମିଶ୍ର

୩୯     ପ୍ରତିଭା ସାମନ୍ତରାୟ

୪୧     ମମତା ସାହୁ

୪୧    ଗାୟତ୍ରୀ ପଣ୍ଡା

୪୫     ପ୍ରଶାନ୍ତ ନାୟକ

୪୮     ଜ୍ୟୋତିମର୍ୟୀ ସାହୁ

୪୮    ସ୍ମୀତାରାଣୀ ମହାନ୍ତି

୫୨     ଚିନ୍ମୟ ମାଝୀ

୫୩     ବନଶ୍ରୀ ଦାସ

୫୯     ଲିଙ୍ଗରାଜ ମହାନ୍ତି

୬୩     ଲକ୍ଷ୍ମୀପ୍ରିୟା ମହାନ୍ତି

୬୫     ଦିପ୍ତୀମୟୀ ପାଟ୍ଟଶାଣୀ

୬୫    ସସ୍ମୀତା ପାତ୍ର

୬୫    କିଶୋରୀ ମୋହନ ପଟ୍ଟନାୟକ

୬୭     ରୀତାରାଣୀ ରଥ