ବିଜେଡିକୁ ବିଦ୍ରୋହୀ ଡର
ବିଜେଡିକୁ ବିଦ୍ରୋହୀ ଡର
admin
Mar 8, 2022 - 21:02
Updated: Mar 8, 2022 - 21:02
ଭୁବନେଶ୍ୱର: ନିଦ ହଜାଇ ଦେଲେଣି ବିଦ୍ରୋହୀ। ମାଳମାଳ ବିଦ୍ରୋହୀ ଚାଲେଞ୍ଜ ଦେଲେଣି ବିଜେଡିକୁ। ଟିକେଟ ବଣ୍ଟନକୁ ନେଇ ବିଭିନ୍ନ ୱାର୍ଡରେ ଯେଉଁଭଳି ଅସନ୍ତୋଷ ତେଜିଲାଣି, ସେଥିରେ ଖାଲି ଦଳର କର୍ପୋରେଟର ପ୍ରାଥୀ ନୁହେଁ, ମେୟର ପ୍ରାଥୀନିଙ୍କ ଟେନସନ ବଢ଼ିଗଲାଣି। ବିଧାୟକ ଏବେ ବିଦ୍ରୋହୀଙ୍କୁ ବୁଝାସୁଝାରେ ଲାଗୁଛନ୍ତି। ହେଲେ ବିଦ୍ରୋହୀଙ୍କ ବେଶି ରାଗ ବିଧାୟକଙ୍କ ଉପରେ। ତେଣୁ ସେମାନେ ଆଉ ବୁଝିବା ମୁଡରେ ନାହାନ୍ତି। ଗୋଟିଏ ଜିଦ ଧରିଛନ୍ତି, ଜିତିବେ କି ହାରିବେ ପରୱା ନାହିଁ, ଦଳୀୟ ପ୍ରାଥୀଙ୍କୁ ହରାଇ ବିଧାୟକଙ୍କୁ ପାନେ ଦେବେ। ଏଥର କର୍ପୋରେଟର ସହ ମେୟର ପଦ ପାଇଁ ସିଧାସଳଖ ଭୋଟ ହେଉଥିବାରୁ ବିଜେଡି କୌଣସି ଦିଗକୁ ଅଣଦେଖା କରିବାକୁ ଚାହୁଁନି । ମାପିଚୁପି ଦଳ ବାଟ ଚାଲୁଚି ।
ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିର୍ବାଚନରେ ଏଥର ଟିକେଟ ବଣ୍ଟନକୁ ନେଇ ଦଳରେ ପ୍ରବଳ ଅସନ୍ତୋଷ। ଅନେକ ୱାର୍ଡରୁ ଟିକେଟ ନେଇ ଦଳ ବିରୋଧରେ ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାଥୀ ଭାବେ ପ୍ରାଥୀପତ୍ର ଦାଖଲ କରିଛନ୍ତି। ସର୍ବାଧିକ ଅସନ୍ତୁଷ୍ଟ ବାହାରିଲେଣି ପୂର୍ବତନ ମେୟର ତଥା ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କ ନିର୍ବାଚନମଣ୍ଡଳୀରେ।
29 ନମ୍ବର ୱାର୍ଡରୁ ଭେଟେରାନ ତଥା ପୂର୍ବତନ କର୍ପୋରେଟର ସେକ ନିଜାମୁଦିନଙ୍କ ଟିକେଟ କଟିଲା, ସେ ଏବେ ଦଳ ବିରୋଧରେ ସ୍ୱାଧୀନ ପ୍ରାଥୀ । ନିଜାମ ଲଗାତାର 90 ଦଶକରୁ ଜିତି ଆସୁଥିଲେ। ସେ ନିଜେ ୫ ଥର କାଉନସିଲର/କର୍ପୋରେଟର ଥିବାବେଳେ ତାଙ୍କ ପରିବାର ସଦସ୍ୟ ଥରେ କାଉନସିଲର ଭାବେ ଜିତିଥିଲେ। ତେଣୁ ୱାର୍ଡରେ ତାଙ୍କର ବିଶେଷ ପ୍ରଭାବ ରେକର୍ଡ ବିଜେଡିର ନିଦ ହଜାଇ ଦେଇଛି।
ପୂର୍ବତନ କର୍ପୋରେଟର ଦେବାଶିଷ ସିଟଙ୍କୁ ନା 36 ନମ୍ବର ୱାର୍ଡରୁ ବିଜେଡି ଟିକେଟ ଦେଲା ନା ତାଙ୍କ ପତ୍ନୀଙ୍କୁ 35 ନମ୍ବର ୱାର୍ଡରୁ ଟିକେଟ ମିଳିଲା, ଏଥିରେ ଖପ୍ପା ହୋଇ ଦେବାଶିଷ ନିଜ ପତ୍ନୀଙ୍କୁ ନିର୍ଦଳୀୟ ଭାବେ ସେଇ 35 ନମ୍ବର ୱାର୍ଡରୁ ପ୍ରାଥୀ କରିଛନ୍ତି। ଆଜି ଦେବାଶିଷ ସେଇ ୱାର୍ଡରେ ବିଶାଳ ମହିଳା ଶୋଭାଯାତ୍ରା କରି ବିଧାୟକଙ୍କୁ ଖୋଲା ଚାଲେଞ୍ଜ ହୋଇଛି। ଏକଦା ବିଧାୟକ ବୁନୁଙ୍କ ବେଶ ପାଖ କୁହାଯାଉଥିବା ଦେବାଶିଷ (ପିଣ୍ଟୁ) ଏବେ ଦଳର ଚିନ୍ତା ବଢ଼ାଇଲେଣି।
39 ନମ୍ବର ୱାର୍ଡରେ ଟିକେଟ କଳି ସବୁଠୁ ଅଧିକ ଜୋର ଧରିଛି। ବିଜେଡି ଟିକଟ ପାଇଁ ଲଢେଇ ଏମିତି ହେଲା ଯେ ମୈଦାନରେ ୩ ଜଣ ବିଦ୍ରୋହୀ ଏବେ ସ୍ୱାଧୀନ ପ୍ରାଥୀ ହୋଇଛନ୍ତି। ସେ ୱାର୍ଡରେ ବିଜେପି ଓ କଂଗ୍ରେସ ପ୍ରାଥୀ ବି ଦମଦାର ଥିବାରୁ ବିଜେଡି ନେତାଙ୍କ ବୁଦ୍ଧି ହଜିଗଲାଣି। ଏ ୱାର୍ଡରୁ ଜଣେ ପୂର୍ବତନ ବିଜେଡି କର୍ପୋରେଟର, ପାଖ ୱାର୍ଡର ଜଣେ ପୂର୍ବତନ କର୍ପୋରେଟରଙ୍କ ପରିବାର ସଦସ୍ୟ ଏବେ ସ୍ୱାଧୀନ ପ୍ରାଥୀ ଅଛନ୍ତି।
ଖାଲି ଏତିକି ନୁହେଁ, 37 ନମ୍ବର ୱାର୍ଡରେ ବିଜେଡି ପ୍ରାଥୀଙ୍କ ବିରୋଧରେ ଦଳର ଅନ୍ୟତମ ଆଶାୟୀ ବିଦ୍ରୋହୀ ହୋଇଛନ୍ତି। 38 ନମ୍ବର ୱାର୍ଡରେ ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତରାୟଙ୍କ ପରିବାର ସଦସ୍ୟ ବିଦ୍ରୋହୀ ସାଜି ସ୍ୱାଧୀନ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।
30 ନମ୍ବର ୱାର୍ଡରେ ଯେଉଁଭଳି ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର ଓ ତାଙ୍କ ପତ୍ନୀ ପୂର୍ବତନ କର୍ପୋରେଟର ଶାଶ୍ଵତୀ ମିଶ୍ରଙ୍କୁ ଟିକେଟରୁ ବାଦ ଦିଆଗଲା, ତାହାକୁ ଭିତରେ ଭିତରରେ ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ରହିଛି । ବିଜେଡି ମୂଳ ନେତାଙ୍କୁ ବାଦ ଦେଇ କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିବା ରାଜକିଶୋର ଦାସଙ୍କୁ ଟିକେଟ ମିଳିଲା, ତାହା ହିଁ ଅନେକଙ୍କୁ ଅସନ୍ତୁଷ୍ଟ କରୁଛି, ଯାହାକି ୱାର୍ଡରେ ବିଜେଡି ଚିନ୍ତା ବଢ଼ାଇଛି। ଉମା ବିଦ୍ରୋହ ନ କଲେ ବି ରାଜକିଶୋରଙ୍କୁ ଖୋଲା ସମର୍ଥନ କରିବା ସମ୍ଭାବନା କମ। ଉମାଙ୍କ ନୀରବତା ସହିଦନଗର (30 ନମ୍ବର ୱାର୍ଡ)ରେ ବିଜେଡି ଗଡ଼କୁ ବିପଦରେ ପକାଇ ଦେଇପାରେ ।
ଟିକେଟ ବଣ୍ଟା ନେଇ ଏମିତି ଅସନ୍ତୋଷ ଅନେକ ୱାର୍ଡରେ। ଏକାମ୍ର ନିର୍ବାଚନମଣ୍ଡଳୀର 60 ନମ୍ବର ୱାର୍ଡରେ ବିଦ୍ରୋହୀ ପ୍ରାଥୀ ବିଜେଡିର ଚିନ୍ତା ବଢ଼ାଇଛନ୍ତି। 57 ନମ୍ବର ୱାର୍ଡରେ ବି ପୂର୍ବତନ କର୍ପୋରେଟର ବନ୍ଦନା ସାହୁ ପୁଣି ସ୍ୱାଧୀନ ଭାବେ ପ୍ରାଥୀ ହୋଇଛନ୍ତି । ଗତ 2014 ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢ଼ି ବିଜେଡିକୁ ହରାଇଥିଲେ। ବିଜୟ ପରେ ସେ ବିଜେଡିରେ ମିଶିଥିଲେ, ତଥାପି ଏଥର ଦଳ ତାଙ୍କୁ ଟିକେଟ ଦେଲାନି। ହେଲେ ବନ୍ଦନା ପୁଣି ସ୍ୱାଧୀନ ଭାବେ ଲଢ଼ିବା ବିଜେଡି ପାଇଁ ୱାର୍ଡରେ ସମସ୍ୟା ଛିଡା କରିଦେଇଛି।
5 ନମ୍ବର ୱାର୍ଡରେ ବିଜୟଲକ୍ଷ୍ମୀ ରାଉତ, 7 ନମ୍ବର ୱାର୍ଡରେ ସ୍ବର୍ଣ୍ଣପ୍ରଭା ରାୟ ସ୍ୱାଧୀନ ପ୍ରାଥୀ ହୋଇ ଲଢ଼ିବା ଦଳର ଚିନ୍ତା ବଢ଼େଇ ଦେଇଛି । ଏହାବାଦ 12, 13, 17, 19, 41, 48, 65 ନମ୍ବର ୱାର୍ଡରେ ବିଜେଡି ଟିକେଟରୁ ବଞ୍ଚିତ ଆଶାୟୀ ଓ ନେତା ଏବେ ସ୍ୱାଧୀନ ପ୍ରାଥୀ ସାଜି ବିଜେଡି ଅଙ୍କ ବିଗାଡିବା ଆଶଙ୍କା ସୃଷ୍ଟି କଲେଣି। ଏ ସବୁ ୱାର୍ଡରେ ବିଦ୍ରୋହୀଙ୍କୁ ବୁଝାଇ ସୁଝାଇ ନାମାଙ୍କନ ପ୍ରତ୍ୟାହାର ପାଇଁ ବିଜେଡି ବିଧାୟକ ଓ ନେତା ଲାଗିଛନ୍ତି। କେତେ ଜଣ ଓହରିବେ, ଆଉ କେତେ ଶେଷ ଯାଏଁ ଲଢ଼େଇରେ ରହିବେ, ତାହା ଆସନ୍ତା 14 ତାରିଖରେ ସ୍ପଷ୍ଟ ହେବ। ଯେହେତୁ 2014 ନିର୍ବାଚନରେ ବିରୋଧୀ ମାତ୍ର 6ଟି ୱାର୍ଡ ଜିତିଥିବାବେଳେ ବିଦ୍ରୋହୀ ସ୍ୱାଧୀନ ପ୍ରାଥୀ ଭାବେ ଲଢ଼ି 12ଟି ୱାର୍ଡ ଦଖଲ କରିଥିଲେ, ଏହାକୁ ବିଜେଡି ଗୁରୁତର ସହ ନେଉଛି।