ବିଚ୍ଛିନ୍ନାଞ୍ଚଳବାସୀଙ୍କ ଅଜବ ବିଶ୍ୱାସ : ଗାଈ ପାଳିବେ, କ୍ଷୀର ଦୁହିଁବେନି
ବିଚ୍ଛିନ୍ନାଞ୍ଚଳବାସୀଙ୍କ ଅଜବ ବିଶ୍ୱାସ : ଗାଈ ପାଳିବେ, କ୍ଷୀର ଦୁହିଁବେନି
admin
Aug 12, 2019 - 05:37
Updated: Aug 12, 2019 - 05:37
ମାଲକାନଗିରି : ଅତି ଯତ୍ନରେ ଗାଈ ପାଳୁଛନ୍ତି । କିନ୍ତୁ ଟୋପାଏ କ୍ଷୀର ବି ଦୁହିଁବାକୁ ସଙ୍କୋଚ କରନ୍ତି । ପିଢ଼ି ପରେ ପିଢ଼ି ଏହି ପରମ୍ପରା ଚାଲିଆସିଛି । କାହିଁକି କ୍ଷୀର ଦୁହିଁବାକୁ ସଂକୋଚ କରନ୍ତି ତାହାର କୌଣସି ତଥ୍ୟ ସେମାନଙ୍କ ନିକଟରେ ନାହିଁ । ବାପା, ଅଜା କରୁଥିଲେ ତେଣୁ ସେମାନେ ବି କରୁଛନ୍ତି । ମାଲକାନ ଗିରି ବିଚ୍ଛିନ୍ନାଞ୍ଚଳରେ ଏମିତି ଅଜବ ବିଶ୍ୱାସ ଏବେ ବି ରହିଛି । ଘରେ ଗାଈ ଥିଲେ ମଧ୍ୟ କ୍ଷୀରକୁ ଏମାନେ ଆଦୌ ବ୍ୟବହାର ନ କରି ବାଛୁରୀକୁ ପିଇବା ପାଇଁ ଛାଡ଼ି ଦିଅନ୍ତି । ତାହା ବୋଲି ଗାଈର ଯତ୍ନ ନେବାରେ ଆଜିଯାଏ କୌଣସି ପ୍ରକାର ଅବହେଳା କରନ୍ତି ନାହିଁ ।
ଦୀର୍ଘଦିନ ହେଲା ବିଚ୍ଛିନ୍ନ ହୋଇ ରହିଛି ଚିତ୍ରକୋଣ୍ଡା ବ୍ଲକର ୭ଟି ପଞ୍ଚାୟତ । ଗୁରୁପ୍ରିୟା ସେତୁ ହେବା ପୂର୍ବରୁ ଏମାନେ ଦୁର୍ବିସହ ଜୀବନ ବଞ୍ଚୁଥିଲେ । ଜୀବନ ତଥା ଜୀବିକା ପାଇଁ ଅହରହ ସଂଗ୍ରାମ କରିବାକୁ ପଡୁଥିଲା । ତେବେ ସେତୁ ନିର୍ମାଣ ପରେ ଏହି ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରିଥିଲେ । ପୂର୍ବରୁ ମୁଖ୍ୟସ୍ରୋତରୁ ଛିନ୍ନ ହୋଇ ରହିଥିବା ଏହି ଅଞ୍ଚଳକୁ ଧୀରେ ଧୀରେ ବିକାଶ ପହଞ୍ଚୁଛି । ବର୍ତ୍ତମାନ ଅଞ୍ଚଳବାସୀ କେମିତି ଜୀବନ ବଞ୍ଚୁଛନ୍ତି ତାହା ଅନୁଧ୍ୟାନ କରିବା ବେଳକୁ ସାମ୍ନାକୁ ଆସିଲା ଗୋଟିଏ ଚକିତ କଲା ଭଳି ପରମ୍ପରା । ଯେମିତି ଏଠିକାର ଅଧିକାଂଶ ଘରେ ଦେଖିବାକୁ ମିଳେ ଗୁହାଳ । ଗାଈ ସହ ବଳଦ ଏହି ଗୁହାଳରେ ବନ୍ଧା ହୁଅନ୍ତି । ଗୋଟିଏରୁ ଆରମ୍ଭ କରି ୧୦ ରୁ ୧୨ ଟି ପର୍ଯ୍ୟନ୍ତ ଗାଈ ଘରେ ରଖିଛନ୍ତି । ସ୍ୱାଭିମାନ ଅଞ୍ଚଳବାସୀ । ଗାଈ ଗୋବରକୁ ସେମାନେ ବ୍ୟବହାର କରୁଥିଲେ ହେଁ କ୍ଷୀର ଦୁହୁଁ ନଥିବା ଦେଖିବାକୁ ମିଳିଥିଲା । ପଚାରୁ ପଚାରୁ ଏଠିକାର ସମସ୍ତ ବାସିନ୍ଦା ଗାଈରୁ ଦୁହୁଁ ନଥିବା କହିଥିଲେ । କାରଣ ସମ୍ପର୍କରେ ପଚାରିବାରୁ କେହି ଠିକ୍ ରୂପେ ଏହା ପଛର ଉଦ୍ଦେଶ୍ୟ କିମ୍ବା ରହସ୍ୟ କହିପାରିନଥିଲେ । କେବଳ ଏମିତି କହିଥିଲେ ଯେ, ପୂର୍ବ ପୁରୁଷ ପ୍ରଣୟନ କରିଥିବା ପରମ୍ପରାକୁ ପିଢ଼ି ପରେ ପିଢ଼ି ନିଭେଇ ଆସୁଛୁ । ଏହା ପଛରେ କିଛି ଯୁକ୍ତି ରହିଥିବା ନେଇ ସେମାନେ ମନେ କରନ୍ତି । ସେହିପରି ନିଜ ପରମ୍ପରକାୁ ବଞ୍ଚାଇବା ସହ ପୂର୍ବ ପୁରୁଷଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ତେବେ କିଛି ବୟସ୍କ ବ୍ୟକ୍ତିଙ୍କ କହିବା ବେଳେ, ଦେବଦେବୀଙ୍କୁ ସନ୍ତୁଷ୍ଟ ରଖିବାକୁ ପୂର୍ବପୁରୁଷ ଏହି ପରମ୍ପରାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି ଏବଂ ଆଗକୁ ବି ରହିବ ।
ଅନ୍ୟ ପଟେ ଆଧୁନିକ ଯୁଗରେ ଶହ ଶହ ବର୍ଷ ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିବାକୁ ଲୋକଙ୍କ ମଧ୍ୟରେ ଏମିତି ନିଷ୍ଠା ନିଶ୍ଚିତ ରୂପେ ଆଜିକାଲିର ସଭ୍ୟ ସମାଜକୁ ଚକିତ କରିବ । କାରଣ ରାତି ପାହିଲେ ଗାଈଙ୍କୁ ଚରିବାକୁ ଛାଡ଼ି ଦିଆଯାଏ । ସଂଧ୍ୟାରେ ଗାଈ ଫେରିଲେ ଗୁହାଳରେ ବନ୍ଧା ହୁଅନ୍ତି । କ୍ଷୀର ପିଇବା ପାଇଁ ବାଛୁରୀଙ୍କୁ ଛାଡ଼ିଦିଆଯାଏ ।
ବେଳେ ବେଳେ ଗାଈ କ୍ଷୀର ଆପେ ଆପେ ଝରିଲେ ସୁଦ୍ଧା ସେମାନେ ସଂଗ୍ରହ କରନ୍ତି ନାହିଁ । ତେଣୁ ଦୁଗ୍ଧ ଜାତୀୟ ଖାଦ୍ୟ ଉପରେ ଏଠାକାର ଲୋକଙ୍କର ଆଦୌ ଆଶକ୍ତି ନାହିଁ । ଏଥିପାଇଁ ବିଚ୍ଛିନ୍ନାଞ୍ଚଳର ଅଧିକାଂଶ ଗାଈ ଦେଖିବାକୁ ହୃଷ୍ଟପୁଷ୍ଟ । ବାଛୁରୀ ବି ଦେଖିବାକୁ ଅତି ସୁନ୍ଦର ।
ସରକାର ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ଗୋପାଳ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ରିହାତି ବି ଯୋଗାଇ ଦେଉଛନ୍ତି । ଅଥଚ ବିଚ୍ଛିନ୍ନାଞ୍ଚଳରେ ଲୋକ ସଚେତନତା ଅଭାବରୁ ଏବଂ ପୁରୁଣା କାଳିଆ ବିଶ୍ୱାସରେ ଏବେ ବି ବଞ୍ଚି ରହିଛନ୍ତି । ସଂସ୍କାର ଓ ସଂସ୍କୃତିରେ ଲୋକେ ବାନ୍ଧି ହୋଇ ରହିଥିବାରୁ ଏଠାକାର ପିଲା ପୋଷକତତ୍ତ୍ୱରେ ଭରପୁର ଦେଶୀ ଗାଈ କ୍ଷୀର ଏବଂ ଦୁଗ୍ଧ ଜାତୀୟ ଖାଦ୍ୟରୁ ବଞ୍ଚିତ ରହିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତ କରିବା ସହ ଗୋପାଳନ ନିମନ୍ତେ ଉତ୍ସାହିତ କରିବାକୁ ଦାବି ହୋଇଛି । ଏହାକୁ ପ୍ରଶାସନ ବି ଗ୍ରହଣ କରି ଆଗକୁ ଏଦିଗରେ କାମ କରିବ ବୋଲି କହିଛି । ଯାହାକି ଆଗକୁ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ମତ ପ୍ରକାଶ ପାଇଛି ।