ବିଏମସି ନିର୍ବାଚନ: ଏବେଠାରୁ ବିଜେଡିକୁ ବିଦ୍ରୋହୀ ଡର
ବିଏମସି ନିର୍ବାଚନ: ଏବେଠାରୁ ବିଜେଡିକୁ ବିଦ୍ରୋହୀ ଡର
ଭୁବନେଶ୍ୱର: ୨୦୧୪ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିର୍ବାଚନରେ ୧୨ଜଣ ବିଦ୍ରୋହୀ ବିଜେଡିକୁ ମାତ୍ ଦେଇ କର୍ପୋରେଟର ହୋଇଥିଲେ । ଏଥର ଏ ସଂଖ୍ୟା ଆହୁରି ବଢ଼ିବ । ସବୁ ୱାର୍ଡରେ କର୍ପୋରେଟର ହେବାକୁ ଏକାଧିକ ଆଶାୟୀ । କିଏ ଏ ବିଧାୟକଙ୍କ ଖାସ୍ ଅନୁଗତ ତ କିଏ ସେ ବିଧାୟକଙ୍କ ଘନିଷ୍ଠ । ଏହାବାଦ୍ ଦଳର ପ୍ରଭାବଶାଳୀ ନେତାଙ୍କ ବଳରେ ବି ଅନେକ ବିଜେଡିରୁ କର୍ପୋରେଟର ହେବାକୁ ଆଶା ବାନ୍ଧିଛନ୍ତି । ଏମିତିରେ ଯାହା ଆଶାକୁ ଦଳ ଧୂଳିସାତ କରିବ, ସେଠି ଉଠିବ ବିଦ୍ରୋହ । ଏହାର ଗନ୍ଧ ବିଜେଡି ଏବେଠାରୁ ବାରି ସାରିଛି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ କେମିତି ଅସନ୍ତୁଷ୍ଟଙ୍କୁ ବୁଝାଇ ସୁଝାଇ ବିଦ୍ରୋହୀକୁ ଟାଳିବେ, ସେ ଚିନ୍ତା ଘାରିଛି ଦଳକୁ ।
ଗତ ନିର୍ବାଚନରେ ବିଜେଡି ଏକତରଫା ଭାବେ ଜିତିଥିଲା । ୬୭ରୁ ୪୯ଟି ୱାର୍ଡରେ ବିଜେଡି ପତାକା ଉଡ଼ିଥିଲା । ବିଜେପିକୁ ମାତ୍ର ୪ଟି, କଂଗ୍ରେସକୁ ୨ଟି ଆସନ ମିଳିଥିଲା । ଯେଉଁ ୧୨ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ, ସେମାନେ ପରେ ବିଜେଡିରେ ମିଶିଯାଇଥିଲେ । କଂଗ୍ରେସର ୨ କର୍ପୋରେଟ ବିଜେଡିରେ ମିଶିଥିଲେ । ବିଜେପିରୁ ବି ୨ଜଣଙ୍କୁ ନେଇ ଯାଇଥିଲା ବିଜେଡି । ହେଲେ ଏଥର ସ୍ଥିତି ଅଲଗା । ଭୁବନେଶ୍ୱର ଲୋକସଭା ଆସନକୁ ବିଜେପି ଦଖଲ କରିବା ପରେ ବିଏମସି ଦଖଲ ପାଇଁ ବିଜେପିର ଆଶା ବଢ଼ିଛି । ଦଳ ପୂରା ଜାନ୍ ଲଗାଇବାକୁ ପ୍ରସ୍ତୁତ । ବିଜେପି ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ମିଶନର ନେତୃତ୍ୱ ନେଇଛନ୍ତି । ବିଏମସି ଦଖଲ ପାଇଁ ଅପରାଜିତା ସବୁ ୱାର୍ଡରେ ନିଜ ଅନୁଗତଙ୍କୁ ଏକାଠି କରି କାର୍ଯ୍ୟକ୍ରମ ଚଳାଇଛନ୍ତି । ଅପରାଜିତାଙ୍କୁ ମୁକାବିଲା କରିବା ବିଜେଡି ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଅନନ୍ତ ନାରାୟଣ ଜେନା (ବୁନୁ) ମଧ୍ୟ ଭୁବନେଶ୍ୱର ବିଧାୟକ ହେବା ପରେ ବିଏମସିରେ ବିଜେଡିର ସେମିତି କେହି ନେତା ନାହାନ୍ତି । ଦଳ ଭିତରୁ ବହୁ ଭେଟେରାନ (୨/୩ଥର କର୍ପୋରେଟର ହୋଇଥିବା) ନେତା ଏବେ ମେୟର ହେବାକୁ ଆଶା ବାନ୍ଧିଛନ୍ତି । କିନ୍ତୁ, ମେୟର ପଦବୀ କାହା ପାଇଁ ସଂରକ୍ଷିତ ରହିବ, ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ମେୟର ଦୌଡ଼ରୁ ବାଦ୍ ପଡ଼ିଲେ, ଆଶାୟୀ ପୂର୍ବତନ କର୍ପୋରେଟରଙ୍କ ମଧ୍ୟରୁ କେତେକ ଦଳ ବିରୋଧରେ ବିଦ୍ରୋହ କରିପାରନ୍ତି । କିଛି ନ କଲେ ବି ସେମାନଙ୍କ ପ୍ରଭାବ ୱାର୍ଡସ୍ତରରେ ବିଜେଡିକୁ ଘାଟା କରିବ । ସେହିପରି ୱାର୍ଡ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ଆସିବା ପରେ ଦଳରେ ଅନେକ ଅସନ୍ତୁଷ୍ଟ ବାହାରିବେ । ଯିଏ ନିର୍ବାଚନ ଲଢ଼ିପାରିବନି ସେ ନିଜ ଲୋକଙ୍କୁ ଟିକେଟ ପାଇଁ ଲବି କରିବ । ଟିଟେକ ନ ଦେଲେ, ଦଳ ଡେଇଁବେ କିମ୍ବା ପଛରୁ ଛୁରାଘାତ କରିପାରନ୍ତି । ବିଜେଡିର ଏଭଳି ଅସନ୍ତୁଷ୍ଟଙ୍କୁ କେମିତି ସେମିତି କରି ନିଜ ଆଡ଼କୁ ଟାଣିବା ପାଇଁ ଅପରାଜିତାଙ୍କ ଟିମ୍ ପ୍ରୟାସ ଚଳାଇଛି ।
ଏମିତିରେ ସନ୍ତୁଳିିତ ୱାର୍ଡ ସଂରକ୍ଷଣ ଫର୍ମୁଲା ପ୍ର୍ରସ୍ତୁତି କରିବା ଉପରେ ବିଜେଡି ଗୁରୁତ୍ୱ ଦେଇଛି । ବିଏମସି ଚିଠା ସଂରକ୍ଷଣ ତାଲିକା ନଗର ଉନ୍ନୟନ ବିଭାଗକୁ ଦେଇଛି । ହେଲେ ଏହାକୁ ନେଇ ଅନେକ କର୍ପୋରେଟର ଆପତ୍ତି ଉଠାଇଛନ୍ତି । ଏବେ ନଗର ଉନ୍ନୟନ ବିଭାଗ କିଭଳି ଚିଠା ତାଲିକା ଆଣିବ, ତାହା ଉପରେ ନଜର ରହିଛି । ବିଧାୟକମାନେ ଆଶା ଦେଖାଉଛନ୍ତି, ବ୍ୟସ୍ତ ହୁଅନି, ଚୂଡ଼ାନ୍ତ ତାଲିକାବେଳକୁ ସବୁ ଠିକ୍ ହୋଇଯିବ । ହେଲେ ଏ ପ୍ରତିଶ୍ରୁତି ପାଳନ ନ ହେଲେ ବିଜେଡିରେ ଅସନ୍ତୁଷ୍ଟ ବିସ୍ଫୋରଣ ହୋଇପାରେ ।




admin 