ବାହା ହେବାକୁ ରାଜି ହେଲେନି ବୋଲି ମାରିଦେଲା

ବାହା ହେବାକୁ ରାଜି ହେଲେନି ବୋଲି ମାରିଦେଲା

ବାହା ହେବାକୁ ରାଜି ହେଲେନି ବୋଲି ମାରିଦେଲା
ନୂଆଦିଲ୍ଲୀ : ଉତ୍ତର ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୨୬ ବର୍ଷୀୟା ଏସଆଇ ପ୍ରୀତି ଅଲାୱାତ ରୋହିନି ଅଞ୍ଚଳ ସ୍ଥିତ ମେଟ୍ରୋ ଷ୍ଟେସନରୁ ତାଙ୍କ ବାସଭବନକୁ ଯାଉଥିବା ବେଳେ ବାଟରେ ତାଙ୍କର ଜଣେ ବ୍ୟାଚମେଟ ଦୀପାଂଶୁ ରଥୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳି ପ୍ରୀତିଙ୍କ ମୁଣ୍ଡରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଉଭୟ ପ୍ରୀତି ଏବଂ ଦୀପାଂଶୁ ରଥୀ ୨୦୧୮ ବ୍ୟାଚର । ଦୀପାଂଶୁ ଏହି ଗୁଳିକାଣ୍ଡ ଘଟାଇବା ପରେ ଆତ୍ମହତ୍ୟା କରିଛନ୍ତି । ହରିୟାଣାର ସୋନିପତ ସ୍ଥିତ ମୁର୍ଥାଲରୁ ଦୀପାଂଶୁଙ୍କ କାରରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଲିସ ସୂଚନାନୁଯାୟୀ ପ୍ରୀତି ପୂର୍ବ ଦିଲ୍ଲୀର ଶିଳ୍ପାଞ୍ଚଳ ଥାନାରେ ନିଯୁକ୍ତ ହୋଇଥିଲେ । ଅନ୍ୟପକ୍ଷେ ଏସଆଇ ଦୀପାଂଶୁ ସୋନିପତ୍ର ରୋହିଣିରେ ଏକ ଭଡ଼ାଘରେ ରହୁଥିଲେ । ସେମାନେ ଦୁଇଜଣ ଭଲ ବନ୍ଧୁ ଥିଲେ । ମିଳିଥିବା ସୂଚନାନୁଯାୟୀ ଦୀପାଂଶୁ ପ୍ରୀତିଙ୍କୁ ପ୍ରେମ କରୁଥିଲେ ଏବଂ ସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପ୍ରୀତି ଏହି ବିବାହ ପ୍ରସ୍ତାବକୁ ପ୍ରତ୍ୟଖ୍ୟାନ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଦୀପାଂଶୁ ଏସଆଇ ପ୍ରୀତିଙ୍କୁ ହତ୍ୟା କରିଥିବା କୁହାଯାଉଛି । ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି । ଉଲ୍ଲେଖଯୋଗ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସହରରେ ସୁରକ୍ଷା କଡ଼ାକଡ଼ି ଥିବାବେଳେ ଏଭଳି ଏକ ଗୁଳିକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି ।