ବର୍ତ୍ତମାନ ଓଏଏସ ମେନ ପରୀକ୍ଷାକୁ ବନ୍ଦ ରଖ: ୟାସିର
ବର୍ତ୍ତମାନ ଓଏଏସ ମେନ ପରୀକ୍ଷାକୁ ବନ୍ଦ ରଖ: ୟାସିର
ଭୁବନେଶ୍ୱର: କୋଭିଡର ଅନିୟନ୍ତ୍ରିତ ପରିସ୍ଥିତିରେ ନବୀନ ସରକାର ଓଏଏସ ମେନ ପରୀକ୍ଷା କରାଇବାର ନିଷ୍ପତି ନେଇ ଓଡ଼ିଶାର ୪୭୫୪ ପରୀକ୍ଷାର୍ଥୀଙ୍କୁ ଅତି ବିପଦଜନ୍ନକ ପରିସ୍ଥିତି ଭିତରକୁ ଠେଲି ଦେଉଛନ୍ତି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଭିଯୋଗ କରିଛନ୍ତି । ଜାନୁଆରୀ ୨୦ ତାରିଖରୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଧାର୍ଯ୍ୟ ହୋଇଛି ।
ଗୋଟିଏ ପଟେ ନବୀନ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ବନ୍ଦ କରିବା ସହ ବିବାହ, ବ୍ରତ ଓ ବିଭିନ୍ନ ଉତ୍ସବ ପାଇଁ କଡ଼ା କଟକଣା କରିଛନ୍ତି । ଏପରିକି ବିଭିନ୍ନ ଜାଗାରେ କଂଟେନମେଂଟ ଜୋନ କରିବା ସହ ରାତ୍ରି କର୍ଫୁ୍ୟ ମଧ୍ୟ ଲାଗୁକରିଛନ୍ତି। ମାତ୍ର ଅନ୍ୟପଟେ ଓଏଏସ ମେନ ପରୀକ୍ଷା ପାଇଁ ୪ ହଜାର ୭୫୪ ପରୀକ୍ଷାର୍ଥୀଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି । ସରକାର ପରୀକ୍ଷାର୍ଥୀଙ୍କୁ ମାସ୍କ, ସାନିଟାଇଜେସନ ଏବଂ ସାମାଜିକ ଦୂରତା ସଂପର୍କରେ ସୂଚାଇ ଦେଇ ନିଜ ମୁଣ୍ଡରୁ ଦାୟୀତ୍ୱ ଓହ୍ଳାଇ ଦେଇଛନ୍ତି । କରୋନା ପରିସ୍ଥିତିକୁ ରୋକିବା ପାଇଁ ପରୀକ୍ଷା ହଲରେ କ’ଣ ବ୍ୟବସ୍ଥା ହୋଇଛି ସରକାର ସେ କଥା ସ୍ପଷ୍ଟ କରିନାହାନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛକି ଏହି ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅନେକ କୋଭିଡ ସଂକ୍ରମିତ ବୋଲି ଜଣାପଡ଼ିଛି । ଯଦି ପରୀକ୍ଷା ହୁଏ ଏହି ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ଓଡ଼ିଶାରେ ୫୦ଲକ୍ଷ କୋଭିଡ ରୋଗୀ ସୃଷ୍ଟି କରିବେ ବୋଲି ନୱାଜ କହିଛନ୍ତି । ନବୀନ ସରକାର ଅତୀତର ଘଟଣାରୁ କିଛି ଶିକ୍ଷା କରିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଏବଂ ଅସାବଧନତା ପାଇଁ ଗତ ୨ବର୍ଷ ମଧ୍ୟରେ ଓଡ଼ିଶାରେ ନବୀନ ସରକାର କୋଭିଡ ରୋଗୀଙ୍କ ଶବ ନଗଣିପାରିବା ସହ ମଶାଣୀରେ ଶବ ପୋଡ଼ିବା ପାଇଁ ମଧ୍ୟ ଅସମର୍ଥ ହୋଇପଡ଼ିଲେ । ନବୀନ ବାବୁଙ୍କ ଅକ୍ଷମତା ପାଇଁ ଓଡ଼ିଶାରେ ବହୁତ ଲୋକଙ୍କ ଜୀବନ ଗଲା ।
ନୱାଜ କହିଛନ୍ତି, ମଣିଷର ଜୀବନ ବଡ଼ ନା ପରୀକ୍ଷା ବଡ଼ । ସରକାରଙ୍କ ଏହି ନିଷ୍ପତି ବିରୋଧରେ ୪ ହଜାର ୭୫୪ ଜଣ ଓ.ଏ.ଏସ. ମେନ ପରୀକ୍ଷାର୍ଥୀ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ଏଣୁ ଛାତ୍ର କଂଗ୍ରେସ ଦାବି କରୁଛି ରାଜ୍ୟ ସରକାର କରୋନା ପରିସ୍ଥିତି ନିୟନ୍ତ୍ରିତ ନହେବା ପର୍ଯ୍ୟନ୍ତ ଓ.ଏ.ଏସ. ମେନ ପରୀକ୍ଷାକୁ ବନ୍ଦ ରଖନ୍ତୁ । ପରିସ୍ଥିତି ନିୟନ୍ତ୍ରିତ ହେବାପରେ ସରକାର ପରୀକ୍ଷା କରାନ୍ତୁ । ଯଦି ସରକାର ଉକ୍ତ ଦାବିକୁ ଗ୍ରହଣ ନକରନ୍ତି ତେବେ ଆମେ ଆନେ୍ଦାଳନ କରିବୁ ବୋଲି ନୱାଜ ଚେତାବନୀ ଦେଇଛନ୍ତି ।




admin 