ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହତ୍ୟା !

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହତ୍ୟା !

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହତ୍ୟା !

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ ଖବରକାଗଜର ସଂପାଦକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମନୀଷଙ୍କ ମୃତଦେହ ରବିବାର ଅପରାହ୍‌ଣରେ ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ାର ଏକ ପୋଖରୀରେ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଶବ ଉଦ୍ଧାର ପରେ ଏମ୍‌ସକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି। ଡିସିପିଙ୍କ କହିବା ଅନୁଯାୟୀ ଗତକାଲି ଇନ୍‌ଫୋସିଟି ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ଏହା ପରେ ପାତ୍ରପଡ଼ାରେ ମନୀଷଙ୍କ ମୃତଦେହ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଉଭୟ ତମା‌ଣ୍ଡୋ ଓ ଇନ୍‌ଫୋସିଟି ଥାନା ପୁଲିସ ଏହାର ତଦନ୍ତ କରୁଛି। ଅପରହ୍‌ଣରେ ଓଡ୍ରାଫ୍‌ ଟିମ୍‌ ପୋଖରୀରୁ ଶବ ଉଦ୍ଧାର କରୁଛି। ମୃତଦେହରେ କ୍ଷତଚିହ୍ନ ଥିବା କୁହାଯାଉଛି। ଗତକାଲି ଏକ କାର୍‌ରେ ଦୁଇଜଣ ଲୋକ ତାଙ୍କୁ ଏଠାକୁ ଆଣିଥିବା ସ୍ଥାନୀୟ ଲୋକ କହିଛନ୍ତି। ତେଣୁ ଉଭୟ ଯୁବକ କିଏ ସେମାନେ ଏଠାକୁ ମନୀଷଙ୍କୁ କାହିଁକି ଆଣିଲେ ପୁଲିସ ସେ ଦିଗରେ ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁଯାୟୀ ସକାଳେ କିଛି ସ୍ଥାନୀୟ ଲୋକ ପୋଖରୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ସଙ୍ଗେ ପୁଲିସ ସହିତ ଯୋଗାଯୋଗ କରିଥିଲେ। ମନୀଷଙ୍କର ନିକଟରେ ନିର୍ବନ୍ଧ ହୋଇଥିଲା। ଏପରି ସମୟରେ ତାଙ୍କର ମୃତ୍ୟୁ ହୋଇଯିବାକୁ ନେଇ ପରିବାରରେ ‌ଗଭୀର ଶୋକ ପ୍ରକାଶ ପାଇଛି। ମନୀଷ ଶ୍ରୀ ଦାସଙ୍କ ବଡ଼ ପୁଅ ଥିଲେ। ପୂର୍ବ ଶତ୍ରୁତା କି ଆଉ କିଛି କାରଣକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଏହାର ତଦନ୍ତ କରୁଛି। ଏହାକୁ ନେଇ ସାମ୍ବାଦିକଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଏ ନେଇ ଫେସ୍‌ବୁକ୍୍‌ରେ ଶ୍ରୀ ଦାସ ଲେଖିଛନ୍ତି ‘ଗୁଡୁକୁ ହରାଇଲି ସବୁଦିନ ଲାଗି, ପ୍ରଭୁ ମହାକାଳ ତାକୁ ଅପାର ଶାନ୍ତି ଦିଅନ୍ତୁ, ତୋର ହତଭାଗା ବାବା’। ବିଭିନ୍ନ ମହଲରେ ଏ ନେଇ ଶୋକ ପ୍ରକାଶ ପାଇଛି। ଘଟଣାର ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବାକୁ ଦାବି ହେଉଛି।