ବଦଳିବେ ବିରୋଧୀ ଦଳ ନେତା! ବିଜେପି ଶିବିର ଚଳଚଞ୍ଚଳ
ବଦଳିବେ ବିରୋଧୀ ଦଳ ନେତା! ବିଜେପି ଶିବିର ଚଳଚଞ୍ଚଳ
ଭୁବନେଶ୍ୱର : ବିରୋଧୀ ଦଳ ନେତା ପ୍ରଦୀପ ନାୟକ କରୋନାରେ ଆକ୍ରାନ୍ତ ହେବା ପରଠୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ହେଉନଥିବାରୁ ସେ ଏବେବି ଏମସ ହସପିଟାଲରେ ରହିଛନ୍ତି । ଫଳରେ ବିରୋଧୀ ଦଳ ନେତା ବଦଳିବେ ବୋଲି ବିଜେପି ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି । ଯାହାକୁ ନେଇ ବିଜେପି ଶିବିର ଚଳଚଂଚଳ ହୋଇପଡ଼ିଛି ।
ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପରବର୍ତୀ ବିରୋଧୀ ଦଳ ନେତା ପଦବୀ ପାଇଁ ବିଜେପିରେ ଲବି ଆରମ୍ଭ ହୋଇଯାଇଛି । ପ୍ରଦୀପ ନାୟକ ବିରୋଧୀ ଦଳ ନେତା ହେବା ପରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିଥିଲେ । ଦଳର ବହୁ ବିଧାୟକ ତାଙ୍କୁ ବିରୋଧୀ ଦଳ ନେତା କରିବାକୁ ଚାହୁଁଥିଲେ ବୋଲି କହିବାକୁ ମଧ୍ୟ ସେ ପଛାଇନଥିଲେ । ଏବେ ବିରୋଧୀ ଦଳ ନେତା ବଦଳିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ତିନି ନେତା ଲବି ଆରମ୍ଭ କରିଦେଇଛନ୍ତି । ଯଦି ବିରୋଧୀ ଦଳ ନେତା ବଦଳନ୍ତି ତେବେ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଓ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନାମକୁ ନେଇ ଚର୍ଚ୍ଚା ହେବ । କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ଜୟ ନାରାୟଣ ମିଶ୍ର ଆଗରେ ରହିବେ । ଅପରପକ୍ଷରେ ଏସମ୍ପର୍କରେ ବିଜେପି ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇନଥିଲେବି ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି ।




admin 