ଫିଫା ବିଶ୍ୱକପ୍ ଝୁଲିଲା
ଫିଫା ବିଶ୍ୱକପ୍ ଝୁଲିଲା
admin
Mar 28, 2020 - 04:17
Updated: Mar 28, 2020 - 04:17
ଭୁବନେଶ୍ୱର/ଲଣ୍ଡନ: ଭାରତରେ ଚଳିତ ବର୍ଷ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ ମଧ୍ୟ କରୋନା ଭୂତାଣୁର ପ୍ରଭାବରେ ବାତିଲ ହେବାର ଆଶଙ୍କା ଭିତରେ ରହିଛି । ବୁଧବାର କିନ୍ତୁ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଫିଫା’ କହିଛି, ଭାରତରେ କୋଭିଡ-୧୯ ମହାମାରୀ କିଭଳି ପ୍ରଭାବ ରହୁଛି ଆମେ ଦେଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ । ନଭେମ୍ବର ମାସରେ ଏହି ସମ୍ମାନଜନକ ପ୍ରତିଯୋଗିତା ଭାରତରେ ୫ ସହର ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ଭୁବନେଶ୍ୱର ଏବଂ ଗୁଆହାଟୀରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଫିଫା ପୁଣି କହିଛି ଯେ ବିକଳ୍ପ ବ୍ୟବସ୍ଥା ଉପରେ ଚିନ୍ତା କରାଯାଉଛି । କରୋନା ଭୂତାଣୁ କାରଣରୁ ବିଶ୍ୱବ୍ୟାପୀ ମୃତୁ୍ୟ ସଂଖ୍ୟା ୨୧୦୦୦ ଟପିଥିବା ବେଳେ ୪.୭୫ ଲକ୍ଷ ଆକ୍ରାନ୍ତ ରହିଛନ୍ତି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଥିବା ବେଳେ ମୃତୁ୍ୟ ସଂଖ୍ୟା ୧୪ରେ ରହିଛି ।
“ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ମନରେ ରଖି ଫିଫା ସ୍ଥାନୀୟ ଆୟୋଜନ ସମିତି ସହିତ ଆଲୋଚନା କରୁଛି । ପ୍ରସ୍ତୁତି ଉପରେ କୋଭିଡ-୧୯ର କିଭଳି ପ୍ରଭାବ ରହୁଛି ତାହା ନଜର ରଖାଯାଇଛି । ଭାରତରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ବିକଳ୍ପ ସମାଧାନ ମଧ୍ୟ ଦୃଷ୍ଟିରେ ରଖାଯାଇଛି” ବୋଲି ଫିଫା ପକ୍ଷରୁ କୁହାଯାଇଛି ।
ସୂଚନା ଯୋଗ୍ୟ, ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପରେ ମୋଟ ୧୬ ଦେଶ ଭାଗ ନେବାର ଖେଳସୂଚୀ ରହିଛି । କିନ୍ତୁ ମାତ୍ର ୩ ଦେଶ ଏଥିପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତ ଆୟୋଜକ ଦେଶ ଭାବେ ପଦାର୍ପଣ ସୁଯୋଗ ପାଇଥିବା ବେଳେ ଏସୀୟ ମହାଦେଶୀୟ ପ୍ରତିଯୋଗିତାର ବିଜେତା ଏବଂ ଉପବିଜେତା ଭାବେ ଯଥାକ୍ରମେ ଉତ୍ତର କୋରିଆ ଓ ଜାପାନ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଅଲିମ୍ପିକ୍ସ ସହିତ ଫୁଟବଲର ଅନ୍ୟତମ ବଡ଼ ପ୍ରତିଯୋଗିତା ୟୁରୋ କପ ମଧ୍ୟ ସ୍ଥଗିତ ହୋଇସାରିଛି । ୨୦୧୭ ରେ ଭାରତ ୧୭ ବର୍ଷରୁ କମ ଫିଫା ପୁରୁଷ ବିଶ୍ୱକପକୁ ସଫଳତାର ସହ ଆୟୋଜନ କରିଥିଲା । ଏଥରର ବିଶ୍ୱକପ ଓଡ଼ିଶାର ଭୁବନେଶ୍ୱର ସହିତ ନଭି ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ଗୁଆହାଟୀରେ ନଭେମ୍ବର ୨ ରୁ ୨୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏଥିଲାଗି ଆହୁରି ୭ ମାସରୁ ଅଧିକ ସମୟ ରହିଥିବା ସତ୍ତ୍ୱେ ଏହି ଫିଫା ପ୍ରତିଯୋଗିତାର ଭାଗ୍ୟ ଝୁଲି ରହିଛି ।