ଅର୍ଜୁନ ପୁରସ୍କାର ପାଇଁ ଦୂତିଙ୍କ ନାମ ସୁପାରିସ
ଅର୍ଜୁନ ପୁରସ୍କାର ପାଇଁ ଦୂତିଙ୍କ ନାମ ସୁପାରିସ
admin
Aug 19, 2020 - 08:21
Updated: Aug 19, 2020 - 08:21
କଟକ: ଓଡ଼ିଶା କ୍ରୀଡ଼ା ପାଇଁ ଏକ ଖୁସି ଖବର । ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଧାବିକା ଦୂତି ଚାନ୍ଦଙ୍କ ନାମ ସୁପାରିସ କରିଛି ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟି । ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଅର୍ଜୁନ ପୁରସ୍କାର ଲାଗି ମୋଟ ୨୯ଜଣ ଖେଳାଳିଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ସୁପାରିସ କରାଯାଇଛି । କ୍ରୀଡ଼ା ମନ୍ତ୍ରାଳୟ ଔପଚାରିକ ଭାବେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବ । ଅଲିମ୍ପିଆନ ଦୂତି ୨୦୧୮ରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡ଼ାରେ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ, ୨୦୧୭ରେ ଭୁବନେଶ୍ୱରରେ ଆୟୋଜିତ ଏସୀୟ ଦୌଡ଼କୁଦ ଚମ୍ପିଆନସିପରେ ୧୦୦ ମିଟର ଦୌଡ଼ରେ ବ୍ରୋଞ୍ଜ, ୪୦୦ ଗୁଣା ୧୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ । ସେହିପରି ୨୦୧୯ରେ ଇଟାଲୀର ନେପୋଲିରେ ଆୟେଜିତ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଥିଲେ । ସେହିପରି ପୂର୍ବରୁ ୮ ଜଣ ଓଡ଼ିଆ କି୍ରଡାବିତଙ୍କୁ ଅର୍ଜୁନ ପୁରସ୍କାରରେ ଭୂଷିତ ହୋଇଛନ୍ତି । ଦୂତି, ଦୀପ ଗ୍ରେସ ଓ ବୀରେନ୍ଦ୍ର ରାଷ୍ଟ୍ରପତିଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିବେ । ପରେ ଅର୍ଜୁନ ବିଜୟୀ ଓଡ଼ିଆ କ୍ରୀଡ଼ାବିତଙ୍କ ସଂଖ୍ୟା ୧୧ରେ ପହଞ୍ଚିବ । ଗତ ବର୍ଷ ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଥିଲେ । ମହିଳା ସାଇକ୍ଲିଷ୍ଟ ମିନତି ମହାପାତ୍ର ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ । ତାଙ୍କ ପରେ ଭାରୋତ୍ତଳକ ବିଜୟ କୁମାର ଶତପଥୀ, ଧାବିକା ରଚିତା ପଣ୍ଡା ମିସ୍ତ୍ରି, ହକି ଖେଳାଳି ଦିଲ୍ଲୀପ ତିର୍କି, ଜ୍ୟୋତି ସୁନୀତା କୁଲୁ, ଇଗ୍ସେସ ତିର୍କୀ, ଭାରୋତ୍ତୋଳକ କେ ରବିକୁମାର ଅର୍ଜୁନ ପୁରସ୍କାର ପାଇଥିଲେ ।