ପୁଲିସ ଉପରେ ଭରସା କଲେ ଜିବନ ଯିବ
ପୁଲିସ ଉପରେ ଭରସା କଲେ ଜିବନ ଯିବ
admin
Jan 18, 2020 - 01:31
Updated: Jan 18, 2020 - 01:31
ଭୁବନେଶ୍ୱର - ‘ସର୍ବସମ୍ମୁଖରେ ପୁଲିସ ଉପସ୍ଥିତିରେ ଆକ୍ରମଣ କରାଗଲା। ଡିସିପି ଅନୁପ ସାହୁ ଘରକୁ ଆସି ଶାନ୍ତ୍ୱନା ଦେବା ସହ ଆପଣଙ୍କ ସହ ଅନ୍ୟାୟ ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଡିସିପି ଯିବା ପରେ ଯାହା ସବୁ ଘଟିଲା, ତାହା ଅନ୍ୟ କିଛି ଦର୍ଶାଉଛି। ଅଭିଯୁକ୍ତମାନେ ଜାମିନ ପାଇ ବାହାରେ ବୁଲୁଛନ୍ତି। ଆମେ ଆଉ କ’ଣ ବଞ୍ଚିବୁ, ମାରିଦେବେ। ପୁଲିସ ଉପରେ ଆଉ ଭରସା ପାଉନି’ ବୋଲି ଆକ୍ରମଣର ଶିକାର ହୋଇଥିବା ପରବିନ୍ଦର ପାଲସିଂ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଦେଶ ପାଇଁ ଆମେ ଜୀବନ ଦେବା କଥା। ହେଲେ ଦେଶ ଭିତରେ ଆମ ଉପରେ ଏଭଳି ଅତ୍ୟାଚାର କରାଯାଉଛି। ତେଣୁ ବଞ୍ଚି ରହି ଲାଭ କ’ଣ? ଘଟଣାଦିନ ଯାହା ସବୁ ଘଟିଲା, ସେଥିରେ ହତ୍ୟା ଉଦ୍ୟମ (୩୦୭) ଦଫା ଲାଗିବା ସହ ଜାମିନ ଖାରଜ ହେବା କଥା। ମାତ୍ର ଅଭିଯୁକ୍ତମାନେ ଜାମିନ ପାଇ ଏବେ ଖୁଲମଖୁଲା ବୁଲୁଛନ୍ତି। ମୁଁ ଓ ମୋ ପରିବାର ଏବେ ଆତଙ୍କିତ ଅବସ୍ଥାରେ ରହୁଛୁ। ପୁଲିସ ଉପରୁ ଭରସା ତୁଟି ଯାଇଥିବାରୁ ସୁରକ୍ଷା ନେଇ ଆମେ ଚିନ୍ତିତ ଅଛୁ। ସେହିପରି ଘଟଣାକୁ ୩ଦିନ ବିତିଗଲାଣି। କିନ୍ତୁ ଗିରଫଦାରୀ ସଂଖ୍ୟା ବଢୁନି। ପୁଲିସ ପାଖରେ ସିସିଟିଭି ଫୁଟେଜରେ ପ୍ରମାଣ ଅଛି, ପୁଲିସ ମଧ୍ୟ ଆକ୍ରମଣକାରୀଙ୍କୁ ଚିହ୍ନିଛି। ଏସବୁ ସତ୍ତେ୍ୱ ଗିରଫଦାରୀ ସଂଖ୍ୟା ବଢୁନି କାହିଁକ? କୁଆଡ଼େ ଗଲା ଡିସିପିଙ୍କ ପ୍ରତିଶ୍ରୁତି ବୋଲି ସେ ପ୍ରଶ୍ନ କରିଛନ୍ତି। କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି। ସିସିଟିଭି ଫୁଟେଜ, ଡାକ୍ତରୀ ରିପୋର୍ଟ ଓ୧୦ଜଣ ସାକ୍ଷୀଙ୍କ ସାକ୍ଷ୍ୟ ସମେତ ବିଭିନ୍ନ କାଗଜପତ୍ର କୋର୍ଟରେ ଦାଖଲ କରାଯାଇଛି। ଏଥିସହିତ କିପରି ତ୍ୱରିତ ବେଗରେ ମାମଲାର ଶୁଣାଣି ହେବ, ସେ ନେଇ କୋର୍ଟକୁ ନିବେଦନ କରାଯିବ ବୋଲି ପୁଲିସ କହିଛି। ଘଟଣା ଦିନ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ୩ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପୁଲିସର ଚାର୍ଜସିଟକୁ ନେଇ ପୁରବିନ୍ଦର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କୋହଳ ଦଫା ଯୋଗୁଁ ଅଭିଯୁକ୍ତଙ୍କୁ ଜାମିନ ମିଳିଲା, ଚାର୍ଜସିଟ ଦାଖଲ ପରେ କି ନ୍ୟାୟ ମିଳିବ?
ସେହିପରି ପରବିନ୍ଦର ସପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ଏକ କ୍ୟାଣ୍ଡଲ ରାଲି କରାଯାଇଥିଲା। ୫୦ରୁ ଊଦ୍ଧ୍ୱର୍ ଶିଖ ସମ୍ପ୍ରଦାୟ ଲୋକେ ଗୁରୁଦ୍ୱାର ନିକଟରୁ କ୍ୟାଣ୍ଡଲ ର୍ୟାଲି କରିଥିଲେ। ପରବିନ୍ଦରଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ପୁଲିସ କାହିଁକି ୩୦୭ ଦଫା ଲଗାଇଲା ନାହିଁ, ସେ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ପୁଲିସ ୩୦୭ ଦଫା ଲଗାଇବାକୁ ସେମାନେ ଦାବି କରିଛନ୍ତି। ଏଥିସହିତ ଶିଖମାନଙ୍କ ସମ୍ମାନଜନ ପଗଡ଼ି ତଳେ ପକାଇଥିବାରୁ ଏହି ଘଟଣାର ମଧ୍ୟ ତଦନ୍ତ କରାଯାଉ। ଏପରିକି ଓଡ଼ିଶାରେ ଶିଖମାନେ ଅସୁରକ୍ଷିତ ମନେ କରୁଥିବାରୁ ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।