ପୁଣି କଲରାପତରିଆ ବାଘକୁ ଶିକାର

ପୁଣି କଲରାପତରିଆ ବାଘକୁ ଶିକାର

ପୁଣି କଲରାପତରିଆ ବାଘକୁ ଶିକାର

କିଶୋରନଗର : ଅନୁଗୁଳ ଜିଲ୍ଲା ଜଙ୍ଗଲ ଇତିହାସରେ ପୁଣି ଯୋଡ଼ି ହୋଇଛି ଆଉ ଏକ କଳଙ୍କିତ ଫର୍ଦ୍ଦ। ୧୧ଦିନ ତଳେ ସାତକୋଶିଆ ଅଭୟାରଣ୍ୟରେ ଦୁଇ ଦୁଇଟା କଲରାପତରିଆ ବାଘକୁ ଶିକାର କରି ନାଳକୂଳରେ ପୋଫାଡ଼ି ଦିଆଯାଇଥିଲା। ଏହି ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ରବିବାର ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ୍ ଫୁଲ୍‌ଝରୀ ଗାଁରେ ଆଉ ଏକ କଲରାପତରିଆ ବାଘକୁ ହତ୍ୟା କରାଯାଇଛି। ଚମଡ଼ା, ଦାନ୍ତ ଏବଂ ନଖ ପାଇଁ ତାକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ବାଘକୁ ହତ୍ୟା କରିବାପରେ ଜଙ୍ଗଲ ଭିତରେ ତା’ ଦେହରୁ ଛାଲ ଉତାରି ପଥର ଉପରେ ଶୁଖାଇବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଚମଡ଼ା ଶୁଖାଇବା ସମୟରେ ବନ ବିଭାଗ ଚଢ଼ଉ କରିଛି। ଘଟଣାରେ ସମ୍ପୃକ୍ତ ଜିଅନ୍ତାନାଳୀ ଗାଁର ରଞ୍ଜିତ୍‌ ବେହେରା(୧୮), ଫୁଲଝରୀ ଗାଁର ଗୟା ମିର୍ଦ୍ଧା (୩୦), ବାବି ନାୟକ(୨୮) ଓ ଘନଶ୍ୟାମ ନାୟକ(୫୫)ଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବକ, ଗତ ୪ ତାରିଖ ରାତିରେ ଶିକାରୀମାନେ ଜନ୍ତୁ ଶିକାର କରିବା ପାଇଁ ଯୋଜନା କରିଥିଲେ। ଗାଁଠାରୁ କେଇ ମିଟର ଦୂରରେ ସେଥିପାଇଁ ବିଦ୍ୟୁତ୍‌ ଫାଶ ପକାଇଥିଲେ। ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାୟ ୩/୪ବର୍ଷ ବୟସର ଏ ଅଣ୍ଡିରା ବାଘଟି ଛଟପଟ ହୋଇ ମୃତ୍ୟୁବରଣ କରିଥିଲା। ଘଟଣା ଜଣାପଡ଼ିବା ପରେ ଚତୁର ଶିକାରୀମାନେ ବାଘଟିକୁ ଜଙ୍ଗଲ ଭିତରକୁ ବୋହି ନେଇଥିଲେ। ଶାବଳ ଏବଂ ଛୁରିରେ ମଲା ବାଘଟିକୁ କାଟିଥିଲେ। କୌଶଳ କ୍ରମେ ବାଘ ଦେହରୁ ଛାଲ, ଦାନ୍ତ ଏବଂ ନଖ ସବୁ ବାହାର କରିଥିଲେ। ପଥର ଖୋଲ ମଧ୍ୟରେ ବାଘର ମାଂସ ପିଣ୍ଡୁଳାକୁ ଫୋପାଡ଼ି ଦେଇଥିଲେ। ମୂଲ୍ୟବାନ ଛାଲକୁ ପଥର ଉପରେ ପକାଇ ଶୁଖାଇଥିଲେ। ଏହିସବୁ କାଣ୍ଡକାରନାମା ସରିଲା ପରେ ବନ ବିଭାଗକୁ ଖବର ମିଳିଥିଲା।

ରବିବାର ସକାଳୁ ବାମୁର ରେଞ୍ଜର୍‌ ସରୋଜ କୁମାର ମିଶ୍ର, ବନପାଳ ଲିଙ୍ଗରାଜ ବେହେରା, ଶାନ୍ତନୁ ଦେହୁରୀ, ପ୍ରଦୀପ ନାୟକ, ବନରକ୍ଷୀ ଲୋପାମୁଦ୍ରା ସାହୁଙ୍କ ସମେତ ବାମୁର ବନାଞ୍ଚଳର ସ୍କ୍ବାଡ୍‌ ଅତିର୍କିତ ଭାବେ ଚଢ଼ଉ କରି ଘଟଣାସ୍ଥଳରୁ ରଞ୍ଜିତ୍‌ଙ୍କୁ ଗିରଫ କରିଥିଲେ।