ପୁଅର ଛୁରି ମାଡ଼ରେ ମାଆ ମୃତ

ପୁଅର ଛୁରି ମାଡ଼ରେ ମାଆ ମୃତ

ଫୁଲବାଣୀ: ନିଶାସକ୍ତ ପୁଅର ଛୁରି ମାଡ଼ରେ ମାଆର ମୃତୁ୍ୟ ଅଭିଯୋଗ । ମୃତକ ଉର୍ମିଳା ବେହେରା ରବିବାର ସନ୍ଧ୍ୟାରେ ସାମାନ୍ୟ ମୋଟର ସାଇକେଲ ମରାମତିକୁ ନେଇ ହୋଇଥିଲା ଝଗଡ଼ା । ସଦର ଥାନା ଅନ୍ତର୍ଗତ ବିଶିପଡ଼ା ପଞ୍ଚାୟତର ବେହେରାପଦର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଉର୍ମିଳା, ବୃନ୍ଦାବତୀ, ଶାନ୍ତନୁ ଓ ପୁତୁରାଙ୍କୁ ଏକ ଅଟୋ ଯୋଗେ ପଠାଇଥିଲେ । ତେବେ ସେଠାରେ ଡାକ୍ତର ଉର୍ମିଳାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ୬୭/୨୦୨୦ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ପୁଅ ଭାଗିରଥୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ ତାକୁ ଖୋଜୁଥିବା ଥାନା ଅଧିକାରୀ ଆଦିତ୍ୟ ସେଠୀ ସୂଚନା ଦେଇଛନ୍ତି । ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଭାଗିରଥୀ ବେହେରାଙ୍କ ବାଇକ ଭଣଜା ଶାନ୍ତନୁ ନେଇଥିଲେ । ସେତେବେଳେ କୌଣସି କାରଣରୁ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତାକୁ ମରାମତି ନ କରି ଆଣି ଘରେ ଥୋଇ ଦେଇଥିଲେ । ବାରମ୍ବାର କହିବା ପରେ ଶାନ୍ତନୁ ମରାମତି କରିନଥିଲେ । ରବିବାର ସନ୍ଧ୍ୟାରେ ଭାଗିରଥୀ ନିଶାସକ୍ତ ଅବସ୍ଥାରେ ଆସି ଭଣଜା ଶାନ୍ତନୁ ସହ ପାଟିତୁଣ୍ଡ କରିଥିଲେ । ଏହି ସମୟରେ ଭଗିରଥୀଙ୍କ ମାଆ ଉର୍ମିଳା ସେମାନଙ୍କୁ ବୁଝାସୁଝା କରିଥିଲେ । ଏହି ସମୟରେ ନିଶାସକ୍ତ ଭାଗିରଥୀ ଏକ ଛୁରିରେ ମାଆଙ୍କୁ ଆକ୍ରମଣ କରିଥିଲେ । ଛୁରି ଉର୍ମିଳାଙ୍କ ଛାତିରେ ବାଜିବାରୁ ସେ ଗୁରୁତର ହୋଇଥିଲେ । ଭଣଜା ଶାନ୍ତନୁ ଭଉଣୀ ବୃନ୍ଦାବତୀ ଓ ଜଣେ ପୁତୁରା ଉର୍ମିଳାକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ମଧ୍ୟ ଭାଗିରଥୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ ଗ୍ରାମବାସୀ ଆସିବାରୁ ଭାଗିରଥୀ ସେଠାରୁ ଫେରାର ହୋଇଯାଇଥିଲେ ।