ପ୍ରଥମ ମ୍ୟାକ୍‌ କମ୍ପ୍ୟୁଟରକୁ ହେଲା ଚାଳିଶ ବର୍ଷ

ପ୍ରଥମ ମ୍ୟାକ୍‌ କମ୍ପ୍ୟୁଟରକୁ ହେଲା ଚାଳିଶ ବର୍ଷ

ଆଜିକୁ ଚାଳିଶ ବର୍ଷ ତଳେ ୧୯୮୪ ଜାନୁଆରି ୨୪ ତାରିଖରେ ଆପଲ୍‌ କମ୍ପ୍ୟୁଟରର ଅନ୍ୟତମ ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ, ବ୍ୟକ୍ତିଗତ କମ୍ପ୍ୟୁଟର୍‌ (ପିସି) ଜଗତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ସେହିଦିନ ସେ କାଲିଫର୍ଣ୍ଣିଆର କ୍ୟୁପରଟିନୋ ସ୍ଥିତ ଏକ ପ୍ରେକ୍ଷାଳୟରେ ଲୋକାର୍ପଣ କରିଥିବା ‘ଆପଲ୍‌ ମ୍ୟାକି‌େଣ୍ଟାସ୍’ ଥିଲା ପ୍ରଥମ ‘ପିସି’ ଯହିଁରେ ଏକ ବ୍ୟବହାରକାରୀ-ଅନୁକୂଳ ‘ମାଉସ’ ଓ ଗ୍ରାଫିକାଲ ଇଣ୍ଟରଫେସ ଖଞ୍ଜାଯାଇଥିଲା। ଲୋକଙ୍କ ଦୈନନ୍ଦିନ ଜୀବନରେ ଏହା ପ୍ରଥମ ବହୁଳ ବ୍ୟବହାରକ୍ଷମ କମ୍ପ୍ୟୁଟରର ମାନ୍ୟତା ଲାଭ କରିଥିଲା। ସେତେବେଳର ‘ମ୍ୟାକ୍‌’ ମାତ୍ର ୧୨୮ କିଲୋବାଇଟ୍‌ ମେମୋରି ବିଶିଷ୍ଟ ଥିଲା, ଯାହା ବର୍ତ୍ତମାନର ଅତ୍ୟାଧୁନିକ ‘ମ୍ୟାକ୍‌ବୁକ୍‌’ର ଦଶଲକ୍ଷ ଭାଗରୁ ଏକ ଭାଗ ସଙ୍ଗେ ସମାନ।

ତାହାର ଓଜନ ଥିଲା ସାଢ଼େ ସାତ କିଲୋଗ୍ରାମ୍‌। ସେତେବେଳେ ତାହାର ମୂଲ୍ୟ ୨,୪୯୫ ଡଲାର (ବର୍ତ୍ତମାନ ୭,୪୦୦ ଡଲାର) ଥିଲା। ପରେ ତାହାର ପରିବର୍ଦ୍ଧିତ କଳେବର ୪ ଗୁଣା ମେମୋରି ବିଶିଷ୍ଟ ‘ଫ୍ୟାଟ୍‌ ମ୍ୟାକ୍‌’ ଆସିଥିଲା ଏବଂ ବର୍ଷକ ଭିତରେ ୩,୭୦,୦୦୦ ପିସି ବିକ୍ରି ହୋଇଥିଲା। ରୋଚକ କଥାଟି ହେଉଛି ଅନେକ ଆପଲ୍‌ ପ୍ରଶଂସକ ଏହି ୪୦ ବର୍ଷ ପୁରୁଣା କମ୍ପ୍ୟୁଟରକୁ ଏବେ ବି କାର୍ଯ୍ୟକ୍ଷମ ଅବସ୍ଥାରେ ରଖିଛନ୍ତି। ଦିନକୁ ଦିନ ତାହାର ବିକଶିତ ରୂପ ବଜାରକୁ ଆସିବା ସହ ତାହାର ଲୋକପ୍ରିୟତା ମଧ୍ୟ ବହୁଗୁଣିତ ହେବାକୁ ଲାଗିଲା। ଫଳ ସ୍ବରୂପ ଚାଳିଶ ବର୍ଷ ପରେ ୨୦୨୩ରେ ଆପଲ୍‌ ପକ୍ଷରୁ ୨.୨ କୋଟି ପିସି ବିକ୍ରି ହୋଇଥିବା ଜଣାଯାଇଛି। ବଜାରରେ ବିକ୍ରି ହେଉଥିବା ମୋଟ କମ୍ପ୍ୟୁଟରର ଏହା ପାଖାପାଖି ଦଶ ପ୍ରତିଶତ ହେବ।