ନିର୍ବାଚନ ଫଳ : ଗୁଜରାଟରେ ବିଜେପି, ହିମାଚଳ ପ୍ରଦେଶରେ କଂଗ୍ରେସ

ନିର୍ବାଚନ ଫଳ : ଗୁଜରାଟରେ ବିଜେପି, ହିମାଚଳ ପ୍ରଦେଶରେ କଂଗ୍ରେସ

ନିର୍ବାଚନ ଫଳ : ଗୁଜରାଟରେ ବିଜେପି, ହିମାଚଳ ପ୍ରଦେଶରେ କଂଗ୍ରେସ


ନୂଆଦିଲ୍ଲୀ : ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳ ଗୁରୁବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ଗୁଜରାଟରେ ବିଜେପି କ୍ଷମତା ବଜାୟ ରଖିଥିବାବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ କ୍ଷମତାକୁ ଫେରିଛି। ଗୁଜରାଟର ୧୮୨ ବିଧାନସଭା ଆସନରୁ ବିଜେପି ୧୫୬ଟିରେ ବିଜୟୀ ହୋଇ ବିପୁଳ ଜନମତ ପାଇଛି। ସେହିପରି ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନରୁ କଂଗ୍ରେସ ୪୦ଟିରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପି ଓ କଂଗ୍ରେସ ଗୋଟିଏ ଗୋଟିଏ ରାଜ୍ୟରେ ସରକାର ଗଢିବା ନିଶ୍ଚିତ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲର ପୂର୍ବାନୁମାନ ଠିକ୍ ହୋଇଥିବାବେଳେ ହିମାଚଳରେ ଏକଜିଟ୍ ପୋଲର ପୂର୍ବାନୁମାନ ଏକ ପ୍ରକାର ଭୁଲ୍ ରହିଛି। କାରଣ ଏଠାରେ ଝୁଲା ସରକାର ହେବ ବୋଲି ଏକଜିଟ୍ ପୋଲରେ କୁହାଯାଇଥିଲା। ତେବେ କେତେକ ଏକଜିଟ୍ ପୋଲ କଂଗ୍ରେସ ସପକ୍ଷରେ ଜନମତ ଯିବାର ପୂର୍ବାନୁମାନ କରିଥିଲେ।
ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିଲା। ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ରହିଥିବାବେଳେ ପ୍ରଚଳିତ ଧାରା ଅନୁଯାୟୀ ଏଥର କଂଗ୍ରେସ କ୍ଷମତା ଦଖଲ କରିବାର ଥିଲା। ଜନାଦେଶରେ ଭୋଟରମାନେ ଏହି ଧାରାକୁ ବଜାୟ ରଖିଛନ୍ତି। ରାଜ୍ୟର ୬୮ଟି ଆସନରୁ କଂଗ୍ରେସ ୪୦ଟିରେ ବିଜୟ ହୋଇଥିବାବେଳେ ଶାସନ କ୍ଷମତାରେ ଥିବା ବିଜେପି ୨୫ ଆସନ ପାଇଛି। ଅନ୍ୟାନ୍ୟ ଦଳ ୩ଟି ଆସନ ପାଇଛନ୍ତି। ଏଠାରେ ସରକାର ଗଠନର ମ୍ୟାଜିକ ସଂଖ୍ୟା ହେଉଛି ୩୫।

ଡିସେମ୍ବର ୧ ଓ ୫ରେ ଗୁଜରାଟ ବିଧାନସଭା ପାଇଁ ଭୋଟ ଗ୍ରହଣ ହୋଇଥିଲା। ରାଜ୍ୟରେ ବିଜେପି କ୍ରମାଗତ ୭ମ ଥର ପାଇଁ ସରକାର ଗଠନ କରିବାକୁ ଦାବିଦାର ହୋଇଛି। ରାଜ୍ୟର ୧୮୨ଟି ବିଧାନସଭା ଆସନରୁ ବିଜେପି ୧୫୬ଟିରେ ବିଜୟୀ ହୋଇଛି। ବିଜେପିର ଏହି ବିଜୟ ରାଜ୍ୟ ନିର୍ବାଚନର ସର୍ବକାଳୀନ ରେକର୍ଡ। କାରଣ ପୂର୍ବରୁ କୌଣସି ଦଳ ଏତେ ସଂଖ୍ୟକ ଆସନରେ ବିଜୟୀ ହୋଇ ନଥିଲେ। ୨୦୧୭ ନିର୍ବାଚନରେ ବିଜେପି ୯୯ଟି ଆସନରେ ବିଜୟୀ ହୋଇଥିବାବେଳେ ଏଥର ଆସନ ସଂଖ୍ୟା ଆଉ ୫୭ ବୃଦ୍ଧି ହୋଇଛି। ତେବେ କଂଗ୍ରେସ ଏଠାରେ ଖରାପ ପ୍ରଦର୍ଶନ କରିଛି। କାରଣ କଂଗ୍ରେସ ଏଥର ମାତ୍ର ୧୭ଟି ଆସନ ପାଇଛି। ୨୦୧୭ରେ କଂଗ୍ରେସ ୭୮ଟି ଆସନରେ ବିଜୟୀ ହୋଇଥିଲା। ଆମ୍ ଆଦମୀ ପାର୍ଟି ଏଠାରେ ପ୍ରଥମ କରି ନିର୍ବାଚନ ଲଢିବା ସହିତ ୫ଟି ଆସନରେ ବିଜୟୀ ହୋଇଛି। ଏଥିସହ ଆପ୍‌ ଜାତୀୟ ଦଳର ମାନ୍ୟତା ପାଇବାକୁ ହକ୍‌ଦାର ହୋଇଛି।
ଅନ୍ୟାନ୍ୟ ଦଳ ୪ଟି ଆସନ ପାଇଛନ୍ତି। ୧୯୯୫ରୁ ବିଜେପି ଗୁଜରାଟରେ କ୍ରମାଗତ ୨୭ବର୍ଷ ହେଲା କ୍ଷମତାରେ ରହିଆସିଥିବା ବେଳେ ଆଗାମୀ ୫ବର୍ଷ ପୁଣି କ୍ଷମତାରେ ରହିବା ନିଶ୍ଚିତ ହୋଇଛି। ରିପୋର୍ଟ ଅନୁଯାୟୀ ଡିସେମ୍ବର ୧୨ରେ ଭୂପେନ୍ଦ୍ର ପଟେଲ ପୁନର୍ବାର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କର ନିର୍ବାଚନ ବିଜୟ ମଧ୍ୟ ସର୍ବକାଳୀନ ରେକର୍ଡ଼।