ନବୀନ ପୁଣି ଏନଡିଏ ମୁହାଁ!
ନବୀନ ପୁଣି ଏନଡିଏ ମୁହାଁ!
ଭୁବନେଶ୍ୱର: ୨୦୦୯ଠାରୁ କଂଗ୍ରେସ ଓ ବିଜେପିଠାରୁ ସମଦୂରତାକୁ ମନ୍ତ୍ର କରିଦେଇଛି ବିଜେଡି । ହେଲେ ରାଜ୍ୟରେ ବିଜେପି ସହ ଯେତେ ଲଢେ଼ଇ ହେଲେ ବି କେନ୍ଦ୍ରର ମୋଦି ସରକାରଙ୍କର ଯେତେବେବେଳେ ଆବଶ୍ୟକ ପଡ଼ିଛି, ନବୀନ କେନ୍ଦ୍ର ସରକାର ସମର୍ଥନରେ ଛିଡ଼ା ହୋଇଛନ୍ତି । ବିଭିନ୍ନ ବିଲ୍ ହେଉ ଅବା ରାଷ୍ଟ୍ରପତି ନିର୍ବାଚନ, ସବୁଥିରେ ବିଜେଡି ଦଳ ମୋଦି ସରକାରକୁ ସମର୍ଥନ ଜଣାଇଛନ୍ତି । ଏଥର ବି ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ସମ୍ଭାବନା ଅଧିକ । ଏଯାଏଁ ମୁହଁ ନ ଖୋଲିଲେ ବି ନବୀନ ଓ ବିଜେଡିର ହାବଭାବରୁ ଏହା ପ୍ରତୀୟମାନ ହେଉଛି ।
ଗତକାଲି ବିଜେପି ବିରୋଧୀ ୧୬ଟି ରାଜନୈତିକ ଦଳ ଏକାଠି ହୋଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦିଲ୍ଲୀରେ ବସିଲା ବୈଠକ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ କଂଗ୍ରେସରୁ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶଙ୍କ ସମେତ ବାମଦଳ, ଡିଏମକେ ଭଳି ଦଳ ସାମିଲ ହେଲେ ଏ ବୈଠକରେ । ବୈଠକରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ମିଳିତ ଭାବେ ଜଣେ ଯୋଗ୍ୟ ପ୍ରାର୍ଥୀ ଦେବାକୁ ଆଲୋଚନା କଲେ । ଏ ନେଇ କମିଟି ବି ଗଠନ ହେଲା । ମାତ୍ର ନିମନ୍ତ୍ରଣ ପାଇ ବି ନବୀନ ଏ ବୈଠକକୁ ଯାଇନଥିଲେ । କୌଣସି ଜଣେ ପ୍ରତିନିଧିଙ୍କୁ ବି ନବୀନ ଏହି ବୈଠକରେ ଯୋଗ ଦେବାକୁ ପଠାଇଲେନି । ଏ ବାବଦରେ ମୁହଁ ବି ଖୋଲିଲେନି । ଏଯାଏଁ ଦଳ ଏ ବାବଦରେ କିଛି କହୁନି । ମାପିଚୁପି ବାଟ ଚାଲୁଛି ବିଜେଡି । ଅପରପକ୍ଷରେ ଗତକାଲି ସନ୍ଧ୍ୟାରେ ହିଁ କେନ୍ଦ୍ରର ବରିଷ୍ଠ ମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ରାଜନାଥ ସିଂହ ଫୋନ ଯୋଗେ ନବୀନଙ୍କ ସହ କଥା ହୋଇଥିବା ଖବର ମିଳିଛି । ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ହିଁ ଉଭୟ ନେତାଙ୍କ ଭିତରେ ଆଲୋଚନା ହୋଇଥିବା ଶୁଣିବାକୁ ମିଳିଛି ।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ବିଜେପି ବିରୋଧୀ ମେଳିଠାରୁ ଦୂରେଇ ରହୁଥିବାବେଳେ ବିଜେପିର କେନ୍ଦ୍ରୀୟ ନେତା ଲଗାତର ନବୀନଙ୍କ ଯୋଗାଯୋଗରେ ଥିବା କୁହାଯାଉଛି । ନିକଟରେ ନବୀନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ରାଜ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଉଭୟ ପକ୍ଷରୁ କୁହାଯାଉଥିବାବେଳେ ପ୍ରକୃତ ଆଲୋଚନାର ବିଷୟ କୁଆଡେ଼ ରାଷ୍ଟ୍ରପତି ନିର୍ବାଚନ ଥିଲା । ତେଣୁ ନବୀନଙ୍କ ସମର୍ଥନ ପାଇବା ପାଇଁ ବିଜେପି ପୂରା ଦମ ଲଗାଇ ଦେଇଛି । ନବୀନ ମଧ୍ୟ ବିଜେପି ବିରୋଧୀ ମେଳିରେ ସାମିଲ ହେବା ସମ୍ଭାବନା କମ୍ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କ ଜିତାପଟ ସୁନିଶ୍ଚିତ ପାଇଁ ବିଜେପି ଏ ନିର୍ବାଚନରେ ବିଜେଡି, ୱାଇଏଓଆର କଂଗ୍ରେସର ସମର୍ଥନ ଚାହୁଁଛି । ଗତ୨୦୧୭ ନିର୍ବାଚନରେ ମଧ୍ୟ ବିଜେଡି ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରିନଥିଲା । ବିଜେଡି ସମର୍ଥନ କରିଥିଲା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ । ଏଥର ବି ନବୀନ ଏନଡିଏ ଆଡ଼କୁ ଢଳୁଥିବା ଅନୁମାନ କରାଯାଉଛି ।




admin 