ଧାନକିଣାକୁ ନେଇ ଗୃହ ଅଚଳ

ଧାନକିଣାକୁ ନେଇ ଗୃହ ଅଚଳ

ଧାନକିଣାକୁ ନେଇ ଗୃହ ଅଚଳ
ଭୁବନେଶ୍ୱର: ଧାନ କିଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଧାନସଭାରେ ଉଭୟ ବିରୋଧୀ ତୁମୁଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଠପ ହୋଇଯାଇଛି । ବିରୋଧୀଙ୍କ ନାରାବାଜିରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ବାର ବାର ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ । ଏପରିକି କି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ କୌଣସି ନିଷ୍କର୍ସ ନବାହାରିବାରୁ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି । ପୂର୍ବାହ୍ନ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସର ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହଟ୍ଟଗୋଳ କରିଥିଲେ । ‘ଧାନର ଅଭାବୀ ବିକ୍ରି ବନ୍ଦ କର, ଆମର ଦାବି ପୂରଣ କର’ ବୋଲି ନାରାବାଜି କରି ଗୃହକୁ କମ୍ପାଇ ଦେଇଥିଲେ । ସଚିବଙ୍କ ଚଉକି ଉପରେ ଠିଆ ହୋଇ ତାରା ବାଚସ୍ପତିଙ୍କ ପୋଡ଼ିୟମ ବାଡେ଼ଇଥିବାବେଳେ ରିପୋର୍ଟରଙ୍କ ଚଉକି ଉପରେ ଠିଆ ହୋଇ ସନ୍ତୋଷ ସିଂହ ସାଲୁଜା ବାଚସ୍ପତିଙ୍କ ପୋଡ଼ିୟମ ବାଡେ଼ଇ ନାରାବାଜି କରିଥିଲେ । କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଜାରି ରଖିଥିବାବେଳେ ଏକ ପ୍ରଶ୍ନର ଉତର ଦେବାକୁ ବାଚସ୍ପତି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଡାକିଥିଲେ । ହଟ୍ଟଗୋଳ ଭିତରେ ମନ୍ତ୍ରୀ ଶ୍ରୀ ବେହେରା ଉତର ରଖିଥିଲେ । ତେବେ କଂଗ୍ରେସ ବିଧାୟକଙ୍କ ହାଲାବୋଲ ଯୋଗୁଁ ଗୃହକାର୍ଯ୍ୟ ଚଳାଇବା ସମ୍ଭବପର ନହେବାରୁ ବାଚସ୍ପତି ଗୃହକୁ ୧୦ଟା ୩୧ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ । ୧୧ଟା ୩୦ରେ ପୁନଶ୍ଚ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ବିଜେପି ବିଧାୟକ ନାଊରୀ ନାୟକ ସଚିବଙ୍କ ଚଉକି ଉପରେ ଠିଆ ହୋଇ ପୋଡ଼ିୟମ ବାଡେ଼ଇ ନାରାବାଜି କରିଥିବାବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରିପୋର୍ଟରଙ୍କ ଚଉକି ଉପରେ ଠିଆହୋଇ ପୋଡ଼ିୟମ ବାଡେ଼ଇ ଥିଲେ । ‘ଚାଷୀଙ୍କୁ ଉଚିତ ମୂଲ୍ୟ ଆମର ଦାବି’, ‘ସରକାର ତୁମ ଚାଷୀ ମାରଣ ନୀତି ଚଳିବ ନାହିଁ’ ବୋଲି ସେମାନେ ନାରାବାଜି କରିଥିଲେ । ଗୃହରେ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୧୧ଟା ୩୧ରୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ । ୧୨ଟା ୩୦ରେ ପୁଣି ଗୃହକୁ ୧୦ ମିନିଟ ପର୍ଯ୍ୟନ୍ତ ମୁଲତବୀ କରି ଦିଆଯାଇଥିଲା । ୧୨ଟା ୪୦ରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ‘ଧାନ ବିକ୍ରି ଆମର ଦାବି’ ବୋଲି ନାରାବାଜି କରିଥିଲେ । ଗୃହରେ ଉଭୟ ଦଳ ତୁମୁଳ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ୧୨ଟା ୪୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।