ଦେଶରେ ସୁଧୁରୁଛି ବେକାରୀ ସମସ୍ୟା, ଟ୍ରାକ୍କୁ ଫେରୁଛି ଅର୍ଥନୀତି
ଦେଶରେ ସୁଧୁରୁଛି ବେକାରୀ ସମସ୍ୟା, ଟ୍ରାକ୍କୁ ଫେରୁଛି ଅର୍ଥନୀତି
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। କରୋନା ପ୍ରକୋପ ହ୍ରାସ ପାଇବା ପରେ ଏବେ ଦେଶର ଅର୍ଥନୀତି ମଧ୍ୟ ସୁଧୁରିବାରେ ଲାଗିଛି। ଦେଶର ବେକାରୀ ସମସ୍ୟା ମଧ୍ୟ ସେହି ହାରରେ କମିବାରେ ଲାଗିଛି। ଅର୍ଥନୀତି ସୁଧୁରୁ ଥିବାରୁ ଫେବୃଆରୀ ତୁଳନାରେ ମାର୍ଚ୍ଚରେ ବେକାରୀ ହାର ହ୍ରାସ ପାଇଥିବା ସିଏମଆଇଇ ରିପୋର୍ଟରେ ଦର୍ଶା ଯାଇଛି।
ପ୍ରତିମାସରେ ସିଏମଆଇଇ ବେକାରୀ ହାର ସମ୍ପର୍କିତ ରିପୋର୍ଟ ଜାରି କରିଥାଏ। ଏହିକ୍ରମରେ ମାର୍ଚ୍ଚ ମାସର ବେକାରୀ ହାର ତଥ୍ୟ ସାର୍ବଜନୀନ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୨ ଫେବୃଆରୀ ମାସରେ ଭାରତରେ ବେକାରୀ ହାର ୮.୧% ରହିଥିଲା। କିନ୍ତୁ ମାର୍ଚ୍ଚ ମାସରେ ଏହା ୭.୬%କୁ ହ୍ରାସ ପାଇଛି। ଏପ୍ରିଲ ୨ ବେଳକୁ ଏହି ଅନୁପାତ ଆହୁରି ହ୍ରାସ ପାଇ ୭.୫% ହୋଇଛି। ସହରାଞ୍ଚଳ ବେକାରୀ ହାର ୮.୫% ରହିଥିବା ବେଳେ ଗ୍ରାମାଞ୍ଚଳରେ ଏହା ୭.୨% ରହିଛି।
ପୂର୍ବତନ ପ୍ରଫେସର ଅଭିରୂପ ସରକାର କହିଛନ୍ତି, ଦେଶରେ ବେକାରୀ ହାର ହ୍ରାସ ପାଇଛି ସତ। ହେଲେ ଭାରତ ଭଳି ଗୋଟିଏ ଗରିବ ଦେଶ ପାଇଁ ଏହି ହାର ଆଦୌ ସନ୍ତୋଷଜନକ ନୁହେଁ। ବେକାରୀ ହାର ହ୍ରାସ ପାଉଥିବା ଅର୍ଥ ଦେଶର ଅର୍ଥନୀତି ସୁଧୁରିବାରେ ଲାଗିଛି। କରୋନା ଯୋଗୁ ୨ ବର୍ଷ ହେଲା ଅର୍ଥନୀତି ଟ୍ରାକରୁ ବାହାରି ଯାଇଥିଲା। କିନ୍ତୁ ଏବେ ଏହା ଟ୍ରାକକୁ ଫେରିବା ଭଲ ସଙ୍କେତ।
ସିଏମଆଇଇ ରିପୋର୍ଟରେ ଆହୁରି କୁହାଯାଇଛି ଯେ ହରିଆଣାରେ ବେକାରୀ ହାର ସବୁଠାରୁ ଅଧିକ। ମାର୍ଚ୍ଚରେ ହରିଆଣାର ବେକାରୀ ହାର ୨୬.୭% ରହିଛି। ଏହା ପଛକୁ ରାଜସ୍ଥାନ ଓ ଜମ୍ମୁ-କଶ୍ମୀର ରହିଛନ୍ତି। ଏଠାରେ ବେକାରୀ ହାର ୨୫% ରହିଛି। ବିହାରରେ ୧୪.୪%, ତ୍ରିପୁରାରେ ୧୪.୧%, ଓଡ଼ିଶାରେ ୯.୭% ଓ ବେଙ୍ଗଲରେ ବେକାରୀ ହାର ୫.୬% ରହିଛି।
ଛତିଶଗଡ଼ରେ ବେକାରୀ ହାର ସବୁଠାରୁ କମ ଅର୍ଥାତ ୦.୬% ରହିଛି। ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକା ଓ ଗୁଜରାଟ ରହିଛନ୍ତି। ଏହି ଦୁଇ ରାଜ୍ୟରେ ମାର୍ଚ୍ଚର ବେକାରୀ ହାର ୧.୮% ଥିବା ରିପୋର୍ଟରେ କୁହାଯାଇଛି। ୨୦୨୧ ଏପ୍ରିଲରେ ବେକାରୀ ହାର ୭.୯% ରହିଥିବା ବେଳେ ମେ’ ମାସରେ ଏହା ୧୧.୮%କୁ ବୃଦ୍ଧି ପାଇଥିଲା।




admin 