ଦିଲ୍ଲୀ ନିର୍ବାଚନ ଲଢିବ ନାହିଁ ଜେଜେପି

ଦିଲ୍ଲୀ ନିର୍ବାଚନ ଲଢିବ ନାହିଁ ଜେଜେପି

ଦିଲ୍ଲୀ ନିର୍ବାଚନ ଲଢିବ ନାହିଁ ଜେଜେପି
ଦିଲ୍ଲୀ ନିର୍ବାଚନରୁ ଓହରିଲା ଜେଜେପି ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରୁ ବିଜେପିର ପୁଣି ଏକ ସହଯୋଗୀ ଦଳ ଓହରିଯାଇଛି । ସୋମବାର ଶିରୋମଣି ଅକାଳି ଦଳ ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଏହାର ୨୪ ଘଣ୍ଟା ନ ପୁରୁଣୁ ହରିୟାଣା ସରକାରରେ ବିଜେପି ସହ ମେଣ୍ଟ କରିଥିବା ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ବାର୍ଟି (ଜେଜେପି) ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଛି । ନିର୍ବାଚନ ଚିହ୍ନକୁ ନେଇ ବିବାଦ ସୃଷ୍ଟି ହେବା ପରେ ଜେଜେପି ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି କହିଛନ୍ତି ଦୁଷ୍ୟନ୍ତ । ନିର୍ବାଚନ ଆୟୋଗ ଦଳକୁ ଏକ ନୂଆ ପ୍ରତୀକରେ ଲଢ଼ିବାକୁ କହିବା ପରେ ଦୁଷ୍ୟନ୍ତ ଏଭଳି ନିଷ୍ପତ୍ତି ନେଇଛନ୍ତି । ତାଙ୍କ ଦଳ ପାଇଁ ପ୍ରତୀକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସ୍ପଷ୍ଟ କରିଛନ୍ତି । ଜେଜେପି ନିର୍ବାଚନ ଆୟୋଗଙ୍କ ନିକଟରେ ଚାବି କିମ୍ବା ଚପଲ ଚିହ୍ନରେ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହି ଚିହ୍ନକୁ ଅନ୍ୟ ପ୍ରାର୍ଥୀଙ୍କୁ ପ୍ରଦାନ କରାଯିବା ସହ ଶେଷ ମୁହୂର୍ତ୍ତରେ ତାଙ୍କ ଦଳକୁ ଏକ ନୂଆ ଚିହ୍ନ ଦିଆଯିବା ଅସଙ୍ଗତ ବୋଲି ଦୁଷ୍ୟନ୍ତ କହିଛନ୍ତି । ପୂର୍ବରୁ ଦୁଷ୍ୟନ୍ତ ଦିଲ୍ଲୀ ନିର୍ବାଚନ ପାଇଁ ଦଳର ଇସ୍ତାହାର ଘୋଷଣା କରିସାରିଥିଲେ ଏବଂ ବିଜେପି ସହିତ ମେଣ୍ଟ ସମ୍ପର୍କରେ କିଛି ଚୂଡ଼ାନ୍ତ ହୋଇ ନଥିଲା । ଅକାଳୀ ଦଳକୁ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ସମ୍ପର୍କରେ ଆଭିମୁଖ୍ୟ ପରିବର୍ତ୍ତନ ପାଇଁ ବିଜେପି ବାଧ୍ୟ କରିବା ପରେ ପ୍ରତିବାଦ ସ୍ୱରୂପ ପଞ୍ଜାବର ଏହି ଦଳ ନିର୍ବାଚନରୁ ଓହରିଯାଇଥିଲା ।