ଦନ୍ତା ହାତୀ ଘଉଡ଼ାଇବାକୁ ଯାଇ ୬ ବନକର୍ମଚାରୀ ଆହତ
ଦନ୍ତା ହାତୀ ଘଉଡ଼ାଇବାକୁ ଯାଇ ୬ ବନକର୍ମଚାରୀ ଆହତ
ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟରୁ ଏକ ଦନ୍ତା ହାତୀ ରାତି ଅଧିଆ ଖୁମକୁଟ ଅଞ୍ଚଳକୁ ଆସି ଉପଦ୍ରବ ଚଳାଇଥିଲା । ତାକୁ ଘଉଡ଼ାଇବାକୁ ଯାଇ ୬ଜଣ ବନକର୍ମଚାରୀ ଆହତ ହୋଇଛନ୍ତି । ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ଵର ବିଟ ଅଧିନ ଗୋଡି଼ଖୋଳା ନିକଟ ଖୁମକୁଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଧବାର ରାତିରେ ଉପଦ୍ରବ କରୁଥିବା ସୂଚନା ପାଇ ବନ କର୍ମଚାରୀ ମାନେ ସେଠାକୁ ପାଟ୍ରୋଲିଂରେ ଯାଇଥିଲେ । ବନପାଳ ଭାଗ୍ୟଶ୍ରୀ ଦ୍ବିବେଦୀ, ବନରକ୍ଷୀ ଶଶିକଳା ସାହୁଙ୍କ ସମେତ ଅନ୍ୟ ୪ଜଣ ସବୁଜବାହିନୀ କର୍ମଚାରୀ ରାତି ସାଢ଼େ ୧୦ଟାରେ ସେଠାରେ ପହଞ୍ଚି ଉକ୍ତ ଦନ୍ତାକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।ପ୍ରାୟ ଘଣ୍ଟାଏ କାଳ ଦନ୍ତାଟି ବନବିଭାଗ କର୍ମଚାରୀଙ୍କ ସହ ଲୁଚକାଳି ଖେଳି ଶେଷରେ ପାଲଟା ଆକ୍ରମଣ କରିଥିଲା । ଦନ୍ତାଟି ପାଟ୍ରୋଲିଂରେ ଯାଇଥିବା ବୋଲେରୋକୁ ଠେଲି ଠେଲି ଏକ ନାଳ ଭିତରେ ଫିଙ୍ଗି ଦେଇଥିଲା । ଫଳରେ ବୋଲେରୋ ଭିତରେ ବସିଥିବା ୬ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି । ଗାଡ଼ି ଚାଳକ ମୁନ୍ନା ରାଉତ ବାରମ୍ବାର ହର୍ଣ୍ଣ ବଜାଇବା ଯୋଗୁ ହାତୀଟି ସ୍ଥାନ ଛାଡ଼ି ଜଙ୍ଗଲକୁ ପଳାଇଥିଲା । ପରେ ବହୁ କଷ୍ଟରେ କର୍ମଚାରୀ ମାନେ ଗାଡ଼ି ଭିତରୁ ବାହାରି ନିଜ ଜୀବନ ବଞ୍ଚାଇଥିଲେ । ଖବରପାଇ କୁଲଡିହା ରେଞ୍ଜର ଅନନ୍ତ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ।
ବିଳମ୍ବିତ ରାତିରେ ବୋଲେରୋକୁ ନାଳ ଭିତରୁ ଉଦ୍ଧାର କରାଯାଇ ଆହତ କର୍ମଚାରୀଙ୍କୁ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।




admin 