ଠିକାଦାରକୁ କହିକହି ଶୁଣିଲା ନାହିଁ, ବିନା ସୁରକ୍ଷାରେ ଚାଲିଥିଲା ଡ୍ରେନ୍ କାମ, ମାଡି ବସିଲା ଭଙ୍ଗା ପାଚେରୀ

କଟକରେ ଡ୍ରେନ ଟ୍ରାଜେଡି ନିର୍ମାଣ କାର୍ଯ୍ୟ ବେଳେ ଦୁର୍ଘଟଣା ଚାଲିଗଲା ଶ୍ରମିକଙ୍କ ଜୀବନ

ଠିକାଦାରକୁ କହିକହି ଶୁଣିଲା ନାହିଁ, ବିନା ସୁରକ୍ଷାରେ ଚାଲିଥିଲା ଡ୍ରେନ୍ କାମ, ମାଡି ବସିଲା ଭଙ୍ଗା ପାଚେରୀ

କଟକରେ ଡ୍ରେନ୍ ଟ୍ରାଜେଡି ଏକ ପାରମ୍ପରିକ ଦୁର୍ଘଟଣାରେ ପରିଣତ ହୋଇଛି । ଗଳିକନ୍ଦି, ସାହିବସ୍ତିରେ ଭରପୁର ଏହି ସହରରେ ପ୍ରତି 3 ମାସରେ ଏପରି ଦୁର୍ଘଟଣା ଘଟୁଥିଲେ  ବି ସିଏମସି କି ସ୍ଥାନୀୟ ପ୍ରଶାସନ କେହି ସଚେତନ ହେଉ ନାହାନ୍ତି । ଏପରିକି ସହରେ ଭିତରେ ନିର୍ମାଣ ଓ ମରାମତି କାମ କରୁଥିବା ଠିକାଦାର ବି ସୁରକ୍ଷା ଜନିତ ନିୟମାବଳୀ ମାନୁ ନାହାନ୍ତି । ଫଲରେ ରବିବାର ଆଉ ଜଣେ ଶ୍ରମିକଙ୍କ ଜୀବନ ଯିବା ସହ  ଜଣେ ଗୁରୁତର ଓ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ବିଡାନାସୀ ଅଂଚଳର ଏକ ନମ୍ବର ଓ୍ବାର୍ଡରେ ସିଏମସି ଦ୍ୱାରା ଡ୍ରେନ୍ କାମ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । ସିଏମସିର ଏକ ଠିକାଦାରଙ୍କ ଦ୍ବାରା ଡ୍ରେନ ନିର୍ମାଣ କାମ କରୁଥିଲା । କାର୍ଯ୍ୟରେ ୫ ଜଣ ଶ୍ରମିକ ନିୟୋଜିତ ଥିଲେ । ହେଲେ ନିର୍ମାଣ ହେଉଥିବା ଡ୍ରେନ୍ ସଂଲଗ୍ନ ପାଚେରୀ ବହୁତ ପୁରୁଣା ଓ ଦୁର୍ବଳ ଥିବା ଘର ମାଲିକ ଓ ସ୍ଥାନୀୟ ଲୋକ ବାରଣ କରିଥିଲେ । ଏହା ସତ୍ତ୍ୱେ ବି ବିନା ସୁରକ୍ଷାରେ ଡ୍ରେନ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ ଠିକାଦାର। କିନ୍ତୁ ରବିବାର ଦିନ ସାଢେ ଗୋଟାଏ ସମୟରେ ପାଚେରୀ ହଟାତ ଭୁସୁଡି ପଡିଥିଲା । ଫଳରେ ପାଚେରୀ ତଳେ ସମସ୍ତ ଶ୍ରମିକ ଚାପି ହୋଇଥିଲେ । ସେଥି ମଧ୍ୟରୁ ଜଣେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ ।

 ତେବେ ବିନା ସୁରକ୍ଷା, ବିନା ନାମ ଫଳକ ଏବଂ ବିନା ନିରୀକ୍ଷକ ଉପସ୍ଥିତିରେ କିଭଳି ନିର୍ମାଣ କାର୍ଯ୍ୟ ଚାଲିଥିଲା ଏ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ କିଛି ମାସ ତଳେ ଏହିଭଳି ଘଟଣା ଘଟିଥିଲେ ମଧ୍ୟ ମହାନଗର ନିଗମ କେବଳ ଅନୁକମ୍ପା ରାଶି ପ୍ରଦାନ କରି ନିଜ କର୍ତ୍ତବ୍ୟ ସାରିଥିଲା । ତେବେ ରବିବାରର ଏ ଘଟଣା କେଉଁଠି ନା କେଉଁଠି କଟକ ମହାନଗର ନିଗମର କାର୍ଯ୍ୟ ଦକ୍ଷତା ଉପରେ ଉଠାଇଛି ପ୍ରଶ୍ନବାଚୀ । ସ୍ତାନୀୟ ଲୋକଙ୍କ କହିବାନୁଯାୟୀ, ସିଏମସିରେ ଏଭଳି ଘଟଣା ଆଗରୁ ଘଟି ସାରିଛି। ହେଲେ ଚେତୁ ନାହିଁ ସିଏମସି ଓ ସିଏମସିର ଠିକାଦାର ।