ଘସିପୁରା ବିଧାୟକଙ୍କ ପୁଅ ନାଁରେ ମାମଲା
ଘସିପୁରା ବିଧାୟକଙ୍କ ପୁଅ ନାଁରେ ମାମଲା
admin
Apr 7, 2020 - 07:13
Updated: Apr 7, 2020 - 07:13
ପୁଣି ବିବାଦରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁ । ଏହି ଯୁବନେତା ତଥା ଘସିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାକୁ ଏତଲା ଦେବାକୁ ଯାଇ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ । ମୋବାଇଲରେ ଭିଡିଓ ରେକର୍ଡି କରିବାକୁ ଜଣେ ପୁଲିସ ଏସଆଇ ବାରଣ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା । ଝଗଡ଼ା ବଢ଼ିବାରୁ ଦେବାଶିଷ ସେଠାରୁ ଖସି ଯାଇଥିଲେ । ଗଲା ବେଳେ ମୋବାଇଲ ଫୋନ ଛାଡ଼ି ଯାଇଥିଲେ । ଏ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କ କାର ଓ ମୋବାଇଲ ଫୋନ ଜବତ କରିଛି । ତାଙ୍କୁ ଧରିବା ପାଇଁ ରାତିରେ ରାମଚନ୍ଦ୍ରପୁର ପୁଲିସ ବିଧାୟକଙ୍କ ଗଡ଼ବାନ୍ଧଗୋଡ଼ସ୍ଥିତ ବାସଭବନକୁ ଘେରିଥିଲା । ମାତ୍ର ଦେବାଶିଷଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ । କରୋନା ମୁକାବିଲାକୁ ନେଇ ଲକଡାଉନ ଚାଲିଥିବା ବେଳେ ବିଧାୟକଙ୍କ ପୁଅଙ୍କ ମାମଲାକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି ।
ସୂଚନା ଯୋଗ୍ୟ ଯେ, ଏକ ଭାଇରାଲ ଭିଡିଓକୁ କେନ୍ଦ୍ର କରି ରାମଚନ୍ଦ୍ରପୁର ଥାନାରେ ଚର୍ଚ୍ଚିତ ଏସଆଇ ବିଶ୍ୱଜିତ ବେହେରାଙ୍କୁ କେନ୍ଦୁଝର ଏସପି ମିତ୍ରଭାନ୍ୁ ମହାପାତ୍ର ନିଲମ୍ବନ କରିଛନ୍ତି । ଏହାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରୁଛନ୍ତି । ବିଶ୍ୱଜିତଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଗାଁ ଗାଁରେ ଲୋକମାନେ ମେଳି ବାନ୍ଧୁଛନ୍ତି । ଏଭଳି ପରିସ୍ଥିତିରେ ଗତକାଲି ଅପରାହ୍ନରେ ବିଧାୟକଙ୍କ ପୁଅ ଦେବାଶିଷ ଏକ କଳାରଙ୍ଗର କାରରେ ଭାଇରାଲ ଭିଡିଓ ଥିବା ମଦନପୁର ଗ୍ରାମର ବାସୁଦେବ ପରିଡ଼ାଙ୍କୁ ନେଇ ଏସଆଇ ବିଶ୍ୱଜିତଙ୍କ ବିରୋଧରେ ଏତଲା ଦେବାକୁ ରାମଚନ୍ଦ୍ରପୁର ଥାନାକୁ ଯାଇଥିଲେ । ଏତଲା ଦେଲା ବେଳେ ଦେବାଶିଷ ତାଙ୍କ ମୋବାଇଲ ରେକର୍ଡିଂ କରିବାକୁ କାର୍ଯ୍ୟରତ ଏସଆଇ ପ୍ରତିବାଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ବିବାଦ ବଢ଼ିବାରୁ ଦେବାଶିଷ ତରବରିଆ ଭାବେ ସେଠାରୁ ମୋବାଇଲ ଛାଡ଼ି କାରରେ ଚମ୍ପଟ ମାରିଥିଲେ । ଦେବାଶିଷଙ୍କ ସହିତ କାର୍ଯ୍ୟରତ ଏସଆଇଙ୍କର ହାତାହାତି ହୋଇଥିବା ନେଇ ଆଲୋଚନା ହେଉଥିବା ବେଳେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ ଏହାକୁ ଅସ୍ୱୀକାର କରିଛନ୍ତି ।
ପୁଲିସ ପକ୍ଷରୁ ଦେବାଶିଷଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରି ତାଙ୍କର ଗିରଫଦାରୀ ପାଇଁ ଉଦ୍ୟମ ଜାରି ରହିଛି।