କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ଦାଦାଗିରି, ୩ଟି ଥାନାରେ ୮୯ ଜଣଙ୍କ ନାଁରେ ମାମଲା
କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ଦାଦାଗିରି, ୩ଟି ଥାନାରେ ୮୯ ଜଣଙ୍କ ନାଁରେ ମାମଲା
admin
May 6, 2020 - 06:24
Updated: May 6, 2020 - 06:24
କଟକ: କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ପ୍ରବାସୀମାନଙ୍କ ଉପରେ ନଜର ରଖିବା ସହ ସେଠାରେ ନିୟମିତ ବ୍ୟବଧାନରେ ଯାଞ୍ଚ ପାଇଁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ପାଳନ ପାଇଁ ମଧ୍ୟ ସରକାରଙ୍କ ତରଫରୁ ପ୍ରବାସୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସତ୍ତ୍ୱେ ବାହାର ରାଜ୍ୟରୁ ଫେରିଥିବା କିଛି ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ନାନା ବଦମାସୀ କରୁଛନ୍ତି । ଗତ ୨୪ ଘଣ୍ଟାରେ ଗଞ୍ଜାମ, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲାର ୩ଟି ଥାନାରେ ମହାମାରୀ ରୋଗ ନିୟାମକ ୧୮୯୭ ଧାରା ଓ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୧ ଅନୁସାରେ ୮୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୁଲିସ ମୁଖ୍ୟାଳୟ ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ତିହିଡି ଥାନା ଭାଟପଡ଼ା ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତା ନିୟମରେ ଅବମାନନା କରିବା ଏବଂ ଭିଡିଓ ଭାଇରାଲ କରିବା ଅଭିଯୋଗରେ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିପରି ଝାରସୁଗୁଡ଼ା ଜିଲ୍ଲା ବିଟିଏ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇବା ଅଭିଯୋଗରେ ସ୍ଥାନୀୟ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଝାରସୁଗୁଡ଼ା ଥାନାରେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ାସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରୁ ୫୬ ପ୍ରବାସୀ ଖସି ପଳାଇଥିବା ଘଟଣାରେ ସ୍ଥାନୀୟ ତହସିଲଦାରଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତମାନଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି । ଗଞ୍ଜାମ ଜିଲ୍ଲା ରାଗପୁର ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ୨୬ ଜଣ ଲୁଚି ପଳାଇବା ଘଟଣାରେ ସ୍ଥାନୀୟ ତହସିଲଦାରଙ୍କ ରିପୋର୍ଟ ଆଧାରରେ କୋଦଳା ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।