କ୍ୟାପଟେନ ଗଢିବେ ନୂଆ ଦଳ, ବିଜେପି ସହ ହାତ ମିଳାଇବେ

କ୍ୟାପଟେନ ଗଢିବେ ନୂଆ ଦଳ, ବିଜେପି ସହ ହାତ ମିଳାଇବେ

କ୍ୟାପଟେନ ଗଢିବେ ନୂଆ ଦଳ, ବିଜେପି ସହ ହାତ ମିଳାଇବେ

ଚଣ୍ଡିଗଡ଼:କ୍ୟାପଟେନ ଅମରିନ୍ଦର ସିଂ ଗଢିବେ ନୂଆ ରାଜନୈତିକ ଦଳ। ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ କ୍ୟାପଟେନ କଂଗ୍ରେସ ଛାଡ଼ିବା ନେଇ ପୂର୍ଵରୁ ଘୋଷଣା କରି ସାରିଥିଲେ । ଏହା ପରଠୁ ସେ ବିଜେପି ରାଷ୍ଟ୍ରୀୟ ନେତାଙ୍କ ଯୋଗାଯୋଗରେ ରହି ଆସିଛନ୍ତି। ଆଜି କ୍ୟାପଟେନଙ୍କ ପରାମର୍ଶଦାତା ରବିନ ଠାକୁରାଲ ଟ୍ୱିଟ କରି କ୍ୟାପଟେନଙ୍କ ନୂଆ ଇନିଂସ ବାବଦରେ ସୂଚନା ଦେଇଛନ୍ତି ।

ବଡ଼ କଥା ହେଲା, କ୍ୟାପଟେନଙ୍କ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ ବିଜେପି ସହ ବି ମେଣ୍ଟ କରିପାରେ ତାଙ୍କ ନୂଆ ଦଳ । କୃଷି ବିଲକୁ ନେଇ ଯେଉଁ ବିବାଦ ରହିଛି, କେନ୍ଦ୍ର ସରକାର ତାହାର ସମାଧାନ ଯଦି କରିଦିଅନ୍ତି, ତେବେ ସେ ବିଜେପି ସହ ଆଗାମୀ ନିର୍ବାଚନରେ ମେଣ୍ଟ କରିବେ। ଏପରିକି ଅକାଳି ଦଳରୁ ଅଲଗା ହେଇଥିବା ନେତାଙ୍କ ସହ ଏକାଠି ହେବାକୁ ବି ସେ ପ୍ରସ୍ତୁତ ଅଛନ୍ତି। ଖୁବଶୀଘ୍ର ସେ ଦଳ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି।

କ୍ୟାପଟେନଙ୍କ ଏହି ଘୋଷଣା ପରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ କହିଛନ୍ତି, କ୍ୟାପଟେନଙ୍କୁ କଂଗ୍ରେସ କେବେ ଅଣଦେଖା କରିନି, ହେଲେ କ୍ୟାପଟେନ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବିଜେପି ଓ ଅକାଳି ଦଳକୁ ସହଯୋଗ କରିବ। ଯେଉଁ ବିଜେପି ପାଇଁ କୃଷକ ଆଜି ରାସ୍ତାରେ ବସିଛି, ସେ ଦଳ ସହ ହାତ ମିଶାଇବା ଅର୍ଥ କୃଷକଙ୍କ ଉପରେ କେନ୍ଦ୍ର ସରକାର କରୁଥିବା ଅନ୍ୟାୟକୁ କ୍ୟାପଟେନ ସମର୍ଥନ କରୁଛନ୍ତି। ପଞ୍ଜାବର କୃଷକ କେନ୍ଦ୍ରର ବିଜେପି ସରକାର କରିଥିବା ଅନ୍ୟାୟକୁ କେବେ ଭୁଲିବେନି।

ତେବେ କ୍ୟାପଟେନ ଓ ବିଜେପି ମଧ୍ୟରେ ଚାଲିଥିବା ବୁଝାମଣା ପଞ୍ଜାବ ରାଜନୀତିରେ କି ପରିବର୍ତନ ଆଣିବ, ତାହା ଆଗାମୀ ଦିନରେ ଜଣାପଡିବ। ଆଗକୁ କୃଷି ଆଇନ ନେଇ କେନ୍ଦ୍ର ସରକାର ଚାଷୀଙ୍କ ଦାବି ମାନି ନେଇ ପାରନ୍ତି, ଏମିତି ହେଲେ ପଞ୍ଜାବରେ ଦଳ ନିଜ ରାଜନୀତିକୁ ନୂଆ ମୋଡ଼ ଦେଇପାରିବ । ଏହା ସହ କ୍ୟାପଟେନ ଏହାର ଶ୍ରେୟ ନେଇ ବିଜେପି ସହ ହାତ ମିଳଇବା ନେଇ ବାଟ ପରିଷ୍କାର ହେବ ।