କୋଭାକ୍ସିନର କମାଲ : ମାଙ୍କଡ଼ ଦେହରୁ ମାରିଲା କରୋନା
କୋଭାକ୍ସିନର କମାଲ : ମାଙ୍କଡ଼ ଦେହରୁ ମାରିଲା କରୋନା
admin
Sep 12, 2020 - 07:38
Updated: Sep 12, 2020 - 07:38
ନୂଆଦିଲ୍ଲୀ : ମାଙ୍କଡ଼ ଦେହରେ ଭାରତ ବାୟୋଟେକର କରୋନା ଟୀକା ‘କୋଭାକ୍ସିନ’ର ପରୀକ୍ଷା କରାଯାଇଥିବାବେଳେ ତାହା ସଫଳ ହୋଇଛି । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । କୋଭାକ୍ସିନ ପ୍ରୟୋଗ ଦ୍ୱାରା ମାଙ୍କଡ଼ ଶରୀରରେ ଆଂଟିବଡ଼ି ବିକଶିତ ହୋଇଛି । ପୂର୍ବରୁ ଲ୍ୟାବରେ କରୋନା ଭାଇରସ ମାରିବାରେ ସଫଳ କୋଭାକ୍ସିନ ଜୀବଜନ୍ତୁଙ୍କ କ୍ଷେତ୍ରରେ ବି ଫଳପ୍ରଦ ହୋଇଛି । ଏକ ସ୍ୱତନ୍ତ୍ର ପ୍ରଜାତିର ମାଙ୍କଡ଼କୁ କୋଭାକ୍ସିନ ଟୀକା ଦିଆଯାଇଥିଲା । ଏବେ ଏହାର ପ୍ରଥମ ପର୍ୟ୍ୟାୟ ମାନବୀୟ ପରୀକ୍ଷଣ ଚାଲିଥିବାବେଳେ ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି ।
ଭାରତ ବାୟୋଟେକ ପକ୍ଷରୁ ୨୦ଟି ମାଙ୍କଡ଼କୁ ନେଇ ୪ଟି ବର୍ଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ବର୍ଗକୁ ପ୍ଲେସିବୋ ଦିଆଯାଇଥିବାବେଳେ ଅନ୍ୟ ତିନି ବର୍ଗ ମାଙ୍କଡ଼କୁ ଅନ୍ୟ ଟୀକା ଦିଆଯାଇଥିଲା । ଦ୍ୱିତୀୟ ଡୋଜ ଦେବା ପରେ ସବୁ ମାଙ୍କଡ଼ ଦେହରେ ସାର୍ସ କୋଭ-୨ ଭୂତାଣୁ ଛଡ଼ାଯାଇଥିଲା । ଟୀକା ନେବାର ତୃତୀୟ ସପ୍ତାହ ପରେ ମାଙ୍କଡ଼ ଶରୀରରେ କୋଭିଡ଼ ମୁକାବିଲା କ୍ଷମତା ବିକଶିତ ହୋଇଥିଲା । ସେହିପରି ମାଙ୍କଡ଼ଗୁଡ଼ିକ ଦେହରେ ନିମୋନିଆର ଲକ୍ଷଣ ମଧ୍ୟ ନଥିଲା ।