କେନ୍ଦ୍ରାପଡାରୁ ସ୍ୱାଧୀନ ଭାବେ ଲଢିବେ କିଶୋର ତରାଇ !

କେନ୍ଦ୍ରାପଡାରୁ ସ୍ୱାଧୀନ ଭାବେ ଲଢିବେ କିଶୋର ତରାଇ !

କେନ୍ଦ୍ରାପଡାରୁ ସ୍ୱାଧୀନ ଭାବେ ଲଢିବେ କିଶୋର ତରାଇ !
ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ । ହେଲେ ଏଯାଏଁ କେନ୍ଦ୍ରାପଡ଼ା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । କିଶୋର ତରାଇଙ୍କୁ ଟିକେଟ ଦେବା ପାଇଁ ପ୍ରଥମେ ସଂକେତ ଦିଆଯାଇଥିଲେ ମଧ୍ୟ ଏଯାଏଁ ଝୁଲାଇ ରଖାଯାଇଛି । ଗୋଟିଏ ପଟେ ଘମାସନ ଲଢେ଼ଇ ପାଇଁ ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ଭଳି ନେତା ଜୋରଦାର ପ୍ରଚାର ଆରମ୍ଭ କରିଦେଇଥିବାବେଳେ ଅପରପକ୍ଷରେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ନକରିବା ବିଜେଡ଼ି ମହଲରେ ନୈରାଶ୍ୟ ଖେଳାଇ ଦେଇଛି । ବିଜେଡ଼ି କର୍ମୀମାନେ କିଶୋରଙ୍କୁ ଟିକେଟ ଦେବା ପାଇଁ ନବୀନ ନିବାସରେ ହାଲାବୋଲ ମଧ୍ୟ କରିଛନ୍ତି । ଧାରଣା ବି ଦେଇଛନ୍ତି । ଦଳର ବହୁ ଲୋକ ପ୍ରତିନିଧି ଓ କର୍ମୀ କିଶୋରଙ୍କୁ ଟିକେଟ ଦେବାକୁ ଦାବି କରି ଆସୁଛନ୍ତି । ହେଲେ ଦଳ ପକ୍ଷରୁ ଏଯାଏଁ କୌଣସି ନିଷ୍ପତି ନିଆଯାଇନଥିବାରୁ ଧିରେଧିରେ ରୋଷ ବୃଦ୍ଧି ପାଇବାରେ ଲାଗିଛି । ତେବେ ଦଳରୁ ଟିକେଟ ପାଆନ୍ତୁ ବା ନପାଆନ୍ତୁ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ କର୍ମୀମାନେ କିଶୋରଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ନବୀନ ଓ ବିଜେଡ଼ି ସହ ରହିଥିବାରୁ କିଶୋର କର୍ମୀଙ୍କୁ କୌଣସି ପ୍ରତିଶ୍ରୁତି ଦେଇପାରୁନାହାନ୍ତି । ଦଳ ତାଙ୍କୁ ଟିକେଟ ଦେବ ବୋଲି କିଶୋର ଦୃଢ଼ ଆଶାବାଦୀ ଥିବାବେଳେ ମଙ୍ଗଳବାର ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କର୍ମୀମାନେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଯଦି ଦଳ ଟିକେଟ ନଦିଏ ତେବେ କିଶୋର ସ୍ୱାଧୀନ ଭାବେ ଲଢ଼ିବେ ବୋଲି କିଶୋରଙ୍କ ସମର୍ଥକ ପ୍ରକାଶ କରିଛନ୍ତି । ତେବେ ଏନେଇ କିଶୋର କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।