କୋଟିଆରେ ‘ଉତ୍କଳ ଦିବସ’ ପାଳିବେ ଧର୍ମେନ୍ଦ୍ର

କୋଟିଆରେ ‘ଉତ୍କଳ ଦିବସ’ ପାଳିବେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକାଳରେ ପ୍ରଧାନ ଭୁବନେଶ୍ୱର, କଟକ ଏବଂ କୋରାପୁଟରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବା ସହ ଏପ୍ରିଲ ପହିଲା ତଥା ଉତ୍କଳ ଦିବସ ଅବସରରେ କୋରାପୁଟ ଜିଲ୍ଲା କୋଟିଆର ଜନସାଧାରଣଙ୍କ ସହ ଉତ୍କଳ ଦିବସ ପାଳନ କରିବାର କାର୍ୟ୍ୟକ୍ରମ ରହିଛି। ଧର୍ମେନ୍ଦ୍ର ପ୍ରଧାନ  ଗୁରୁବାର  କଟକ ଷ୍ଟେସନରେ ଭଦ୍ରକ- ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ ସମାରୋହରେ ଯୋଗଦେବେ । ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଆୟୋଜିତ ‘ଓଡ଼ିଶାର କିମ୍ବଦନ୍ତୀଙ୍କ ଡାକ ଟିକଟ୍’ ଉନ୍ମୋଚନ କାର୍ୟ୍ୟକ୍ରମରେ ସାମିଲ ହେବେ ।
ମାର୍ଚ୍ଚ ୩୧ ତାରିଖରେ ଭୁବନେଶ୍ୱର ସୋଆ ଅଡିଟୋରିୟମରେ ସାମାଜିକ ସଂଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ଅ୧୦୦ ବଡ ଭାବିବା, ବଡ଼ ସ୍ୱପ୍ନ ଦେଖିବା’କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ କୋରପୁଟ ଜିଲ୍ଲା ଦାମନଯୋଡି ପର୍ୟ୍ୟନ୍ତ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ । କୋଟିଆରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କୁ ଭେଟିବା ସହ କୋଟିଆ ଗ୍ରାମ ସମିତି ଦ୍ୱାରା ଆୟୋଜିତ ‘ଉତ୍କଳ ଦିବସ’ କାର୍ୟ୍ୟକ୍ରମରେ ଯୋଗଦେବେ । ପରବର୍ତ୍ତୀ ସମୟରେ ପ୍ରଧାନ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ଲୋକାର୍ପଣ କରିବେ ।