ହଷ୍ଟେଲରେ ଆତ୍ମହତ୍ୟା କଲେ +୨ ଛାତ୍ରୀ
ଭୁବନେଶ୍ୱର: ଜଣେ ଯୁକ୍ତ ୨ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ପ୍ରଜ୍ଞା ମହାନ୍ତି । ଘର ରାୟଗଡ଼ା ଟିକିରି ଥାନା ଅଞ୍ଚଳରେ । ସେ ରମାଦେବୀ ଜୁନିଅର କଲେଜ୍ କଳା ବିଭାଗର ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀ । ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ପରୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ବିଶ୍ୱବିଦ୍ୟାଳୟ ‘ଅନ୍ୟତମା’ ହଷ୍ଟେଲ ନମ୍ବର-୨ର ୨୮ ନମ୍ବର ରୁମ୍ରେ ଦୁଇ ରୁମ୍ମେଟ୍ଙ୍କ ସହ ରହୁଥିଲେ ପ୍ରଜ୍ଞା । ବୁଧବାର ପରୀକ୍ଷା ନ ଥିବାରୁ ସେ ଏକୁଟିଆ ରୁମରେ ଥିଲେ । ଅପରାହ୍ଣରେ ସେ ନିଜ ଓଢ଼ଣୀରେ ପଙ୍ଖାରେ ଝୁଲିପଡ଼ିଥିଲେ । ଜଣେ ଅନ୍ତେବାସୀ ଝରକା ବାଟେ ଏହା ଦେଖି ହଷ୍ଟେଲ ୱାର୍ଡେନ୍ଙ୍କୁ ଖବର ଦେଇଥିଲା । ସହିଦ୍ନଗର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହଷ୍ଟେଲ୍ ରୁମ୍ରୁ ଏକ ସୁଇସାଇଡ୍ ନୋଟ ଜବତ କରାଯାଇଛି। ପୁଲିସ ୧୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।
ଜଣେ ସହପାଠୀଙ୍କ କହିବା ମୁତାବକ, ଇତିହାସ ପରୀକ୍ଷାରେ ପ୍ରଜ୍ଞା ଖରାପ କରିଥିବାରୁ ମାନସିକ ଅବସାଦରେ ଥିଲେ । ଇଂରାଜୀ ପରୀକ୍ଷା ଦିନ ତାଙ୍କ ବାପାଙ୍କଠୁ ଗାଳି ଶୁଣିଥିଲେ । ପରୀକ୍ଷାରେ ଖରାପ କରିଥିବାରୁ ସେ ପ୍ରଜ୍ଞା ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ । ତା’ପରଠୁ ପ୍ରଜ୍ଞା ଚୁପ୍ଚାପ୍ ରହୁଥିଲେ । ଆସନ୍ତା ଏପ୍ରିଲ ୫ ତାରିଖରେ ପରୀକ୍ଷା ସରିଥାନ୍ତା । ହେଲେ ପ୍ରଜ୍ଞାଙ୍କ ଏମିତି ନିଷ୍ପତ୍ତିକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି ।




admin 