କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ, ଶଙ୍ଖ ଧରିବେ
କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ, ଶଙ୍ଖ ଧରିବେ
ଭୁବନେଶ୍ୱର:ଯାହା ଚର୍ଚ୍ଚା ହେଉଥିଲା, ସେଇଆ ହେଲା । ନାଇଁ ନାଇଁ କହୁଥିଲେ ବି ଶେଷରେ ଆଜି କଂଗ୍ରେସ ଛାଡିଛନ୍ତି ବରିଷ୍ଠ ନେତା ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଦେଇଛନ୍ତି ଇସ୍ତଫା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦୀପ ପଠାଇଛନ୍ତି ତାଙ୍କର ଇସ୍ତଫା ପତ୍ର। ପ୍ରଦୀପ ଦଳ ଛାଡିବା ସହ ଦକ୍ଷିଣ ଓଡ଼ିଶାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି।
ପ୍ରଦୀପ ମାଝୀ ହେଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନିକଟତମ ନେତା ଭାବେ ଜଣାଶୁଣା ଥିଲେ। ପ୍ରଦୀପ ସୋନିଆଙ୍କୁ ପଠାଇଥିବା ପତ୍ରରେ ତାଙ୍କୁ ଆଜି ପର୍ଯ୍ୟନ୍ତ ଏତେ ସୁଯୋଗ ଦେଇଥିବାରୁ କଂଗ୍ରେସ ନେତୃତ୍ୱଙ୍କ ପ୍ରଶଂସା କରିଛନ୍ତି । ପ୍ରଦୀପ ସୋନିଆଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି, ଏ ଇସ୍ତଫାରେ କୌଣସି ସୁଖ ନାହିଁ। କେବଳ ଦୁଃଖ ଓ କଷ୍ଟରେ ଏଭଳି ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। କଂଗ୍ରେସରେ ରହି ଜନସେବା କରିବାର ସୁଯୋଗ ଏଵେ ନଥିବାରୁ ସେ ବାଧ୍ୟ ହେଇ ଦଳ ଛାଡୁଥିବା କହିଛନ୍ତି।
ପ୍ରଦୀପ କଂଗ୍ରେସ ଛାଡିବା ପରେ ଖୁବଶୀଘ୍ର ସେ ବିଜେଡିରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ଵର ଯାଏ ଏବେ ଲମ୍ବିଛି ଚର୍ଚ୍ଚା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ବିଜେଡିରେ ମିଶିବେ ବୋଲି କୁହାଯାଉଛି।
ଅପରପକ୍ଷରେ ପ୍ରଦୀପ ଦଳ ଛାଡିବା ନିଷ୍ପତ୍ତିକୁ କଂଗ୍ରେସର ବହୁ ନେତା ସମାଲୋଚନା କରିଛନ୍ତି। ନିକଟରେ ରାହୁଲ ଗାନ୍ଧିଙ୍କୁ ଭେଟିବା ସହ ଦଳ ଛାଡ଼ିବେନି ବୋଲି ପ୍ରଦୀପ କହୁଥିବାବେଳେ ବିଜେଡି ସହ ଭିତିରି ବୁଝାମଣାରେ ବହୁ ପୂର୍ବରୁ ଥିଲେ। କଂଗ୍ରେସ ତାଙ୍କୁ ଏତେ ବାଟ ନେଇଥିବାବେଳେ ଦଳକୁ ସଙ୍କଟବେଳେ ପ୍ରଦୀପ ହାତ ଛାଡି ବିଶ୍ୱାସଘାତକ କରିଥିବା କଂଗ୍ରେସ ନେତାମାନେ କହିଛନ୍ତି।




admin 