କଂଗ୍ରେସ ଏକ ଦଳ ନୁହେଁ, ଏକ ଆନ୍ଦୋଳନ: ସୋନିଆ ଗାନ୍ଧି
କଂଗ୍ରେସ ଏକ ଦଳ ନୁହେଁ, ଏକ ଆନ୍ଦୋଳନ: ସୋନିଆ ଗାନ୍ଧି
ନୂଆଦିଲ୍ଲୀ: ସମଗ୍ର ଦେଶରେ କଂଗ୍ରେସ ପକ୍ଷରୁ ଆଜି ପାଳିତ ହେଉଛି ଦଳର ୧୩୭ତମ ପ୍ରତିଷ୍ଠା ଦିବସ। ଦେଶର ଏହି ସର୍ବ ପୁରାତନ ରାଜନୈତିକ ଦଳ ପକ୍ଷରୁ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖାଯାଇଛି। ନୂଆଦିଲ୍ଲୀରେ ଥିବା ମୁଖ୍ୟାଳୟର ପାର୍ଟିର ମୁଖ୍ୟ ତଥା ରାଷ୍ଟ୍ରୀୟ୍ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରିବା ସହିତ ଦଳୀୟ କର୍ମକର୍ତ୍ତାଙ୍କୁ ତାଙ୍କ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସୋନିଆ କହିଥିଲେ କଂଗ୍ରେସ କେବଳ ଏକ ରାଜନୈତିକ ଦଳ ନୁହେଁ, କଂଗ୍ରେସ ଏକ ଆନ୍ଦୋଳନ। ଦେଶ ସ୍ବାଧୀନ କରିବାରେ କଂଗ୍ରେସର ପ୍ରମୁଖ ଭୂମିକା ରହିଛି। ଯେଉଁ ଦେଶକୁ କଂଗ୍ରେସର ପୂର୍ବଜମାନେ ଗଢ଼ିଛନ୍ତି ତାକୁ ନଷ୍ଟ କରିବାକୁ ଦିଆଯିବ ନାହିଁ। ଦେଶର ସଂପତ୍ତିକୁ ନଷ୍ଟ ହେବାକୁ ଦିଆଯିବ ନାହିଁ। କଂଗ୍ରେସର ପ୍ରତିଟି କର୍ମୀ ତୃଣମୂଳସ୍ତରରେ ଲଢ଼େଇ କରିବ। ଦେଶରେ ବର୍ତ୍ତମାନ ଯେଉଁପରି ଅରାଜକତା ଓ ତାନାସାହିର ମାହୋଲ ଜାରି ରହିଛି ତାହା ବିରୋଧରେ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ସୋନିଆ ଗାନ୍ଧୀ ପାର୍ଟିର କର୍ମକର୍ତ୍ତାକୁ ଉଦ୍ବୋଧନ ଦେଇଥିଲେ। ଏହା ସହିତ ଆଗାମୀ ନିର୍ବାଚନରେ ଦଳର କର୍ମୀମାନଙ୍କୁ ସଂଗଠିତ ହୋଇ ଲଢ଼େଇ କରିବାକୁ ପରାମର୍ଶ ଦେଇଥିଲେ। ଦେଶରେ ବଢ଼ିଚାଲିଥିବା ବେରୋଜଗାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଚାଷୀ ମାରଣ ନୀତି ଏବଂ ସରକାରୀ ସଂପତ୍ତିକୁ ବିକ୍ରି କରିବାକୁ ନେଇ ଯେଉଁ ଷଡ୍ଯନ୍ତ୍ର ଚାଲିଛି ତାହା ବିରୋଧରେ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ସେ ସତର୍କ କରାଇ ଦେଇଥିଲେ। କାର୍ୟ୍ୟକ୍ରମରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଦେଶର ପ୍ରତି ରାଜ୍ୟରେ ଥିବା କଂଗ୍ରେସ କାର୍ୟ୍ୟାଳୟରେ ମଧ୍ୟ ଦଳର ପ୍ରତିଷ୍ଠା ଦିବସ ଉତ୍ସାହର ସହିତ ପାଳିତ ହେଉଛି।




admin 