ବ୍ଲକ ଅଧ୍ୟକ୍ଷ, ତହସିଲଦାର ଓ ବିଡିଓଙ୍କ ସହ ଦାମଙ୍କ ବୈଠକ

ବ୍ଲକ ଅଧ୍ୟକ୍ଷ, ତହସିଲଦାର ଓ ବିଡିଓଙ୍କ ସହ ଦାମଙ୍କ ବୈଠକ

ବ୍ଲକ ଅଧ୍ୟକ୍ଷ, ତହସିଲଦାର ଓ ବିଡିଓଙ୍କ ସହ ଦାମଙ୍କ ବୈଠକ
ଜଗତସିଂହପୁର : ପାରାଦୀପର ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେପିରୁ ନିର୍ବାଚନ ଲଢ଼ି ହାରିଉନ୍ତି । ରାଜ୍ୟରେ ବିଜେଡି ହେଉଛି ଶାସକ ଦଳ । କିନ୍ତୁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷ, ବିଡିଓ ଓ ତହସିଲଦାରଙ୍କୁ ଡକାଇ ସେ ଘଣ୍ଟାଏ କାଳ ରୁଦ୍ଧଦ୍ୱାରା ବୈଠକ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । କୌଣସି ପ୍ରକାର ସରକାରୀ ପଦପଦବିରେ ନ ଥିବା ଡାକ୍ତର ଦାମୋଦର ରାଉତ କେଉଁ ଅଧିକାର ବଳରେ ଏଭଳି ବୈଠକ କଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି । ପାରାଦୀପର ବିଧାୟକ ଏବେ ତାଙ୍କ ପୁଅ ସମ୍ବିତ ରାଉତରାୟ ଥିବାରୁ ସେହି ଅଧିକାର ଏଠାରେ ସେ ପ୍ରୟୋଗ କଲେ କି ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ସୂଚନା ଅନୁଯାୟୀ ଗତକାଲି ପାରାଦୀପ ନିର୍ବାଚନ ମଣ୍ଡଳୀ ସିଙ୍ଗିଟାଳି ଗାଁରେ ଜଣେ ବିଜେଡି କର୍ମୀଙ୍କର ଏକାଦଶାହ ଥିଲା । ଯେହେତୁ ସେ ପୂର୍ବରୁ ଦାମଙ୍କର ଘନିଷ୍ଠ ଥିଲେ, ସେଥିପାଇଁ ଦାମ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଙ୍ଗିଟାଳିକୁ ଆସିଥିଲେ । ମାତ୍ର ସିଙ୍ଗିଟାଳି ଯିବା ପୂର୍ବରୁ ଦାମଙ୍କ ଗାଡ଼ି କୁଜଙ୍ଗ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ଆଡକୁ ଗଡିଥିଲା । ସେଠାରେ ପୂର୍ବରୁ କୁଜଙ୍ଗ ବ୍ଲକ ବିଡିଓ କିଶୋର ଚନ୍ଦ୍ର ସ୍ୱାଇଁ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା ପ୍ରମୁଖ ଦାମଙ୍କୁ ଅପେକ୍ଷା କରି ରହିଥିଲେ । ପୂର୍ବରୁ ବୋଧହୁଏ ଏହି ବ୍ୟକ୍ତିମାନଙ୍କ ସହ ଦାମ କଥା ହୋଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା । ପରେ ଉକ୍ତ କାର୍ଯ୍ୟାଳୟରେ ଦାମଙ୍କ ସହ ଏହି ତିନି ଜଣ ଅଧିକାରୀ ପାଖାପାଖି ଘଣ୍ଟାଏ କାଳ ଆଲୋଚନା କରିଥିଲେ । ପଞ୍ଚାୟତ ଅଫିସ ସାମ୍ନାରେ ଦାମଙ୍କ ଗାଡ଼ି ଅନେକଙ୍କୁ ଚକିତ କରି୍ଥିଲା । ଏ ନେଇ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ଦାମବାମୁ ଆମକୁ ଡକାଇଥିଲେ ସତ, ମାତ୍ର ସେଠାରେ କୌଣସି ଭିନ୍ନ ଆଲୋଚନା ହୋଇନାହିଁ । ତାଙ୍କ ଦ୍ୱାରା ଅଧାରେ ରହିଯାଇଥିବା କିଛି ପ୍ରକଳ୍ପ ସମ୍ପର୍କରେ ମନେ ପକାଇ ଦେବା ସହ ଏହି ବ୍ଲକରେ ଯେଭଳି ସୁରୁଖୁରୁରେ ସବୁ କାର୍ଯ୍ୟ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ଦାମଙ୍କ ପୁଅ ସମ୍ବିତ, ବାପା ବିଜେପିରେ ଖୁସି ନାହାନ୍ତି ବୋଲି କହିବା ଦାମ ନିର୍ବାଚନ ସମୟରେ ପାରାଦୀପକୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ନ ଆସିବା ନିଜେ ଏରସମା ବାଲିକୁଦାରେ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିବା ଭଳି ଅନେକ ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଏଭଳି ଢ଼ଙ୍ଗରେ ପୁଅ ସମ୍ବିତଙ୍କ ନିର୍ବାଚନ ମଣ୍ଡଳୀରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବା ପଛର ରହସ୍ୟ ଖୋରାକ ଯୋଗାଉଛି ।