ଓଡ଼ିଶା ‘ଫାଷ୍ଟେଷ୍ଟ ମୁଭର’, ବର୍ଷକରେ ଲମ୍ଫ ମାରିଲା ୧୦ ର୍ୟାଙ୍କ,
ଓଡ଼ିଶା ‘ଫାଷ୍ଟେଷ୍ଟ ମୁଭର’, ବର୍ଷକରେ ଲମ୍ଫ ମାରିଲା ୧୦ ର୍ୟାଙ୍କ,
admin
Jan 20, 2020 - 06:44
Updated: Jan 20, 2020 - 06:44
ନୀତି ଆୟୋଗ ଏସଡିଜି ଇଣ୍ଡିଆ ସୂଚକାଙ୍କ
ଓଡ଼ିଶା ‘ଫାଷ୍ଟେଷ୍ଟ ମୁଭର’
ବର୍ଷକରେ ଲମ୍ଫ ମାରିଲା ୧୦ ର୍ୟାଙ୍କ, ଦ୍ୱିତୀୟ ଦ୍ରୁତତମ, ୨୦୧୮ ରେ ଥିଲା ୨୫, ଏବେ ୧୫ ରେ, ଶିଳ୍ପ, ଭିତ୍ତିଭୂମି ମାନଦଣ୍ଡ ୪୦ ପଏଣ୍ଟ ବୃଦ୍ଧି, ବିଶୁଦ୍ଧ ଜଳ ଓ ପରିମଳ ସ୍କୋର ୮୫ ଛୁଇଁଲା, ଫାଷ୍ଟ ମୁଭର ସତ୍ତ୍ୱେ ‘ପରଫର୍ମର’ ମାନ୍ୟତା
ଭୁବନେଶ୍ୱର: ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲରେ ଓଡ଼ିଶା ବହୁ ରାଜ୍ୟକୁ ପଛରେ ପକାଇ ଦେଇଛି । ଏସ୍ଡିଜି ତାଲିକାରେ ୧୦ ର୍ୟାଙ୍କ ଲମ୍ଫ ଦେଇ ଦେଶର ଦ୍ୱିତୀୟ ‘ଫାଷ୍ଟେଷ୍ଟ ମୁଭର’ ବା ଦ୍ରୁତ ବିକାଶଶୀଳ ରାଜ୍ୟ ମାନ୍ୟତା ପାଇଛି । ଜାତିସଂଘ ଓ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଏସଡିଜି ଇଣ୍ଡିଆ ସୂଚକାଙ୍କରୁ ଏମିତି ସୂଚନା ମିଳିଛି ।
ଏହି ରିପୋର୍ଟ ମୁତାବକ ୨୦୧୮ ମସିହାରେ ଓଡ଼ିଶା ଏସ୍ଡିଜି ଇଣ୍ଡିଆ ର୍ୟାଙ୍କରେ ମୋଟ ୫୧ ସ୍କୋର ସହ ୨୫ ତମ ସ୍ଥାନରେ ଥିଲା । ଅର୍ଥାତ ରାଜ୍ୟ ଗୁଡ଼ିକ ମଧ୍ୟରେ ତଳଆଡ଼ୁ ପଞ୍ଚମ ସ୍ଥାନରେ ଥିଲା । କିନ୍ତୁ ୨୦୧୯ ରେ ଏହାର ସ୍କୋର ୭ ପଏଣ୍ଟ ବଢ଼ି ୫୮ ହୋଇଛି । ଏଥିସହ ଏସଡିଜି ଇଣ୍ଡିଆ ସୂଚକାଙ୍କରେ ରାଜ୍ୟ ୧୫ତମ ସ୍ଥାନକୁ ଉଠିଛି ।
ଏସ୍ଡିଜି ଇଣ୍ଡିଆ ସୂଚକାଙ୍କରେ ଉତ୍ତରପ୍ରଦେଶ ଶ୍ରେଷ୍ଠ ଫାଷ୍ଟ ମୁଭର ରାଜ୍ୟ ଭାବେ ଉଭା ହୋଇଛି । ଏହାର ସ୍କୋର ପୂର୍ବ ବର୍ଷ ତୁଳନାରେ ୧୩ ପଏଣ୍ଟ ବଢ଼ି ୨୦୧୯ରେ ୫୫ ହୋଇଛି । ଏଥିସହ ୨୦୧୮ ସୂଚକାଙ୍କରେ ସବୁଠୁ ତଳେ ଥିବା ଉତ୍ତରପ୍ରଦେଶ ଏଥର ୨୫ ତମ ସ୍ଥାନକୁ ଉଠିଛି । ସେହିଭଳି ୨୦୧୮ ରେ ତୁଳନାରେ ୭ ପଏଣ୍ଟ ଅଧିକ ସ୍କୋର ସହ ସିକିମ ତୃତୀୟ ଫାଷ୍ଟେଷ୍ଟ ମୁଭର ରାଜ୍ୟର ମାନ୍ୟତା ପାଇଛି ।
ସୂଚକାଙ୍କରେ ଦ୍ୱିତୀୟ ଶ୍ରେଷ୍ଠ ଫାଷ୍ଟ ମୁଭର ରାଜ୍ୟ ସତ୍ତ୍ୱେ ଓଡ଼ିଶାକୁ ‘ପ୍ରଦର୍ଶନକାରୀ ବା ପରଫର୍ମର’ ମାନ୍ୟତାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୬୫ ସ୍କୋର ସହ ଫ୍ରଣ୍ଟ ରନର ରାଜ୍ୟ ତାଲିକାରେ ସାମିଲ ହେବା ପାଇଁ ଏବେ ବି ୭ ପଏଣ୍ଟ ପଛରେ ରହିଛି । ୫୦ ରୁ ୬୪ ମଧ୍ୟରେ ସ୍କୋର ହାସଲ କରି ଓଡ଼ିଶା ସମେତ ମୋଟ ୨୧ଟି ରାଜ୍ୟ ‘ପରଫର୍ମର’ ରାଜ୍ୟ ମାନ୍ୟତା ପାଇଛନ୍ତି । କିନ୍ତୁ କେରଳ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ଗୋଆ ଓ ସିକିମ ‘ଫ୍ରଣ୍ଟ ରନର’ ରାଜ୍ୟ ବିବେଚିତ ହୋଇଛନ୍ତି । ଏସଡିଜିର ୯,୬ ଓ ୭ ନମ୍ବର ଲକ୍ଷ୍ୟ ମାନଦଣ୍ଡର ପ୍ରଦର୍ଶନରେ ସର୍ବାଧିକ ସୁଧାର କାରଣରୁ ଓଡ଼ିଶା ଏଭଳି ସଫଳତା ହାସଲ କରିଛି । ଏସଡିଜିର ଲକ୍ଷ୍ୟ ନମ୍ବର ୯ ଅର୍ଥାତ ଶିଳ୍ପ, ସୃଜନଶୀଳତା ଓ ଭିତ୍ତିଭୂମିରେ ଓଡ଼ିଶାର ସ୍କୋର ୪୦ ପଏଣ୍ଟ ବଢ଼ି ୭୨ ହୋଇଛି । ୨୦୧୮ ରେ ଏହି ଲକ୍ଷ୍ୟରେ ରାଜ୍ୟର ସ୍କୋର ଥିଲା ୩୨ । ଏହା ସ୍ପଷ୍ଟ କରୁଛି ଯେ ୨୦୧୯ ରେ ଶିଳ୍ପ, ସୃଜନଶୀଳତା ଓ ଭିତ୍ତିଭୂମି ବିକାଶରେ ରାଜ୍ୟ ବେଶ୍ ସଫଳତା ପାଇଛି ।
ଚିଲିକାରେ ଦେଖାଦେଲେ ୧୪୬ ଇରାୱାଡି ଡଲଫିନ୍, କାଳିଜାଈ ଓ ରମ୍ଭା ନିକଟରେ ଅଧିକ
ଭୁବନେଶ୍ୱର/ ବ୍ରହ୍ମଗିରି:ଚିଲିକା ହ୍ରଦରେ ବାର୍ଷିକ ଇରୱାଡି ଡଲଫିନ୍ ଗଣନା ରବିବାର ଶେଷ ହୋଇଛି । ଗଣନା ବେଳେ ୧୪୬ଟି ଡଲଫିନ୍ ଦେଖାଯାଇଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ସୂତ୍ରରୁ ଜଣାପଡ଼ିଛି । ଚିଲିକାରେ ୧୬୦ ରୁ ଅଧିକ ଇରୱାଡି ଡଲଫିନ୍ଥିବାର ସମ୍ଭାବନା ରହିଛି । ଗଣନା ବେଳେ ବହୁ ଡଲଫିନ୍ ପାଣି ଭିତରେ ଥାଇପାରନ୍ତି । ତେଣୁ ଡଲଫିନ୍ଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶା ରହିଛି । ଗଣନାର ତଥ୍ୟ ବିଶ୍ଲେଷଣ ପରେ ଚିଲିକାରେ ବୟସ୍କ ଓ ଛୁଆ ଡଲଫିନ୍ଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି ସିଡିଏ ପକ୍ଷରୁ କୁହାଯାଇଛି ।
ଚିଲିକାର କେନ୍ଦ୍ରୀୟ ଓ ଦକ୍ଷିଣ ସେକ୍ଟରରେ ଅଧିକ ସଂଖ୍ୟାରେ ଡଲଫିନ୍ ରହୁଥିବା ଜଣାପଡ଼ିଛି । କାରଣ କାଳିଜାଇ ଓ ରମ୍ଭା ନିକଟରେ ପ୍ରଶାସନ ପକ୍ଷରାୁ ସେଥିପାଇଁ ଇରୱାଡି ଡଲଫିନ୍ ଏହି ଅଞ୍ଚଳରେ ଅଧିକ ଠୁଳ ହେଉଛନ୍ତି । ଗଣନା ବେଳେ ଆଉ ଗୋଟିଏ ତଥ୍ୟ ପଦାକୁ ଆସିଛି । ଇରୱାଡି ଡଲଫିନ୍ ଗୁଡ଼ିକ ସାତପଡ଼ା ଠାରୁ ଚିଲିକାର ଅନ୍ୟ ଆଡ଼କୁ ଯାଉଥିବା ଦେଖାଯାଇଛି । ଗତବର୍ଷ ଗଣନା ବେଳେ ଚିଲିକାରେ ୧୧୩ଟି ଇରୱାଡି ଡଲଫିନ୍ ଦେଖାଯାଇଥିଲେ । କିନ୍ତୁ ସିଡିଏ ପକ୍ଷରୁ ଡଲଫିନ୍ଙ୍କ ପ୍ରକୃତ ସଂଖ୍ୟା ୧୬୨ ବୋଲି ପ୍ରକାଶ କରାଯାଇଥିଲା । ବାଲୁଗାଁ, ଚିଲିକା, ନୂଆପଡ଼ା, ସାତପଡ଼ା, ରମ୍ଭା, ବରକୂଳ ଆଦି ଚିଲିକାର ୫ଟି ରେଞ୍ଚରେ ୧୮ଟି ଟିମ୍ ଦ୍ୱାରା ଡଲଫିନ୍ ଗଣନା ହୋଇଛି । ସାତପଡ଼ା ଚିଲିକାର ୫ଟି ସେକ୍ଟର ନଦର୍ଣ୍ଣ ସେକ୍ଟର ଓ ସେଣ୍ଟ୍ରାଲ ସେକ୍ଟର ସମେତ ୪ଟି ଜୋନରେ ବିଭକ୍ତ କରାଯାଇଛି । ୮ଟି ଟିମ୍ ଦ୍ୱାରା ଗଣନା କରାଯାଇଛି । ହାଇଡ୍ରୋଫୋନ, ଲାଇନ ଟ୍ରାଞ୍ଜିଟ ପଦ୍ଧତି ଓ ଗ୍ଲୋବାନଏ ପୋଜିସନିଂ ସିଷ୍ଟମ (ଜିପିଏସ)ରେ ଏହି ଗଣନା କରାଯାଇଛି ।
ରବିବାର ସକାଳ ୬ଟାରୁ ଡିସିଏଫ ପ୍ରଦୀପ କୁମାର ସାହୁ, ସାତପଡ଼ା ରେଞ୍ଜ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଧିକାରୀ, ବନବିଭାଗ ଅଧିକାରୀ, ଓୟୁଏଟି ପ୍ରଫେସର, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ପରିବେଶବିତ, ସ୍ଥାନୀୟ ମୋଟର ବୋଟ ସଂଘର କର୍ମକର୍ତ୍ତା ଏବଂ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ । ଅନୁକୂଳ ପାଗ ଥିବାରୁ ଅପରାହ୍ନ ୧ଟାରେ ଗଣନା ଶେଷ ହୋଇଥିଲା ବୋଲି ଡିସିଏଫ ପ୍ରଦୀପ କୁମାର ସାହୁ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବିଦେଶାଗତ ପକ୍ଷୀଙ୍କ କାକଳି ସହ ଇରାୱାଡି ଡଲଫିନଙ୍କ ଜଳକ୍ରୀଡ଼ା ଚିଲିକାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହାକୁ ଭୁଆଶୁଣୀ ମଗର ବୋଲି କେତେକ କହିଥାନ୍ତି । ପ୍ରତିବର୍ଷ ଚିଲିକାରେ ପକ୍ଷୀଗଣନା ମଧ୍ୟ ହୋଇଥାଏ । ଇରାୱାଡି ଡଲଫିନ୍ ଚିଲିକା ହ୍ରଦ ବ୍ୟତୀତ ବାଂଲାଦେଶର ସୁନ୍ଦରବନ, ଲାଓସ ଓ କାମ୍ପୋଡିଆରେ ମେକଙ୍ଗ ନଦୀ, ଇଣ୍ଡୋନେସିଆର ମହକାମ ନଦୀ, ଫିଲିପାଇନ୍ସ, ମିଆଁମାରରେ ଏରୱାଡି ନଦୀ ଓ ଥାଇଲାଣ୍ଡର ସଙ୍ଖଲା ନଦୀରେ ଦେଖାଯାଆନ୍ତି ।