ଓଡ଼ିଶା ପିସିସିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ : ଖଡ୍‌ଗେ

ଓଡ଼ିଶା ପିସିସିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ : ଖଡ୍‌ଗେ

ନୂଆଦିଲ୍ଲୀ : ଅଧଘଣ୍ଟାରେ ଶେଷ ହୋଇଛି ଓଡ଼ିଶା କଂଗ୍ରେସର ନିର୍ବାଚନୀ ରଣନୀତି ବୈଠକ । ବୁଧବାର ସନ୍ଧ୍ୟା ୫.୩୦ରେ କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର, ଦଳୀୟ ନେତା କେ.ସି.ବେଣୁଗୋପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ଜାତୀୟ ନେତୃତ୍ୱ ରାଜ୍ୟ କଂଗ୍ରେସର କାର୍ୟ୍ୟକଳାପକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପ୍ରଥମେ ଦଳର ନେତାମାନେ ଏକାଠି ହୋଇ କାର୍ୟ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

ସାଧାରଣ ନିର୍ବାଚନ ଅଳ୍ପଦିନ ଥିବାରୁ ପିସିସିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ଭାବରେ ଖଡ୍‌ଗେ ରାଜ୍ୟ ନେତାମାନଙ୍କୁ ଜଣାଇ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଗାମୀ ନିର୍ବାଚନରେ ବରିଷ୍ଠ ଓ ବୟସ୍କ ନେତାମାନେ ନିର୍ବାଚନ ଲଢ଼ିବା ପରିବର୍ତ୍ତେ କନିଷ୍ଠ ନେତାମାନଙ୍କୁ ମାର୍ଗଦର୍ଶନ କରିବା ଏବଂ ପର୍ୟ୍ୟବେକ୍ଷକ ଭାବରେ କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ସାଧାରଣ ନିର୍ବାଚନ ଲଢ଼ିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ରାଜ୍ୟର କିଛି ବରିଷ୍ଠ ନେତାଙ୍କୁ ଦଳ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ନ କରାଇ ସେମାନଙ୍କୁ ନିର୍ବାଚନ ପରିଚାଳନାରେ ବଡ଼ ଦାୟିତ୍ୱ ଦେବାକୁ ଯୋଜନା ରଖିଛି। ସଂସଦୀୟ କ୍ଷେତ୍ରୱାରୀ ଏମାନଙ୍କୁ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ ଓ ନିର୍ବାଚନ ସମୟରେ ଅର୍ଥନୈତିକ ବ୍ୟାପାର ମଧ୍ୟ ଏହି ବରିଷ୍ଠ ନେତାମାନେ ପରିଚାଳନା କରିବେ। ଏହାସହିତ ମହିଳାମାନଙ୍କୁ ଦଳପ୍ରତି ଆକୃଷ୍ଟ କରିବା ପାଇଁ ଆସନ୍ତା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକଟ୍ ପ୍ରଦାନ ଉପରେ କାର୍ୟ୍ୟ କରିବାକୁ ମଧ୍ୟ ଜାତୀୟ ନେତୃତ୍ୱ ରାଜ୍ୟ କଂଗ୍ରେସ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ବୁଧବାର ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରି ଦିଲ୍ଲୀରେ ଓଡ଼ିଶା ବିଜୟର ସୁନେଲି ସ୍ୱପ୍ନ ନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।