ଓଡ଼ିଶାକୁ ମୌସୁମୀ ଆଗମନ ସାମୟିକ ବିପର୍ଯ୍ୟୟ ଆଣିପାରେ

ଓଡ଼ିଶାକୁ ମୌସୁମୀ ଆଗମନ ସାମୟିକ ବିପର୍ଯ୍ୟୟ ଆଣିପାରେ

ଓଡ଼ିଶାକୁ ମୌସୁମୀ ଆଗମନ ସାମୟିକ ବିପର୍ଯ୍ୟୟ ଆଣିପାରେ
ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ଆଗମନ ସାମୟିକ ବିପର୍ଯ୍ୟୟ ଆଣିପାରେ । ୧୦ରୁ ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିପରି ମାଟିରାସ୍ତା ଧସିଯିବା, ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ଓ ମୁ୍ୟନିସିପାଲିଟି ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ । ଏଥିଯୋଗୁଁ ପନିପରିବା ଚାଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟବାସୀଙ୍କୁ ସତର୍କ କରାଇ ଦିଆଯାଇଛି । ଅପରପକ୍ଷେ ୧୦ରୁ ୧୨ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ଼ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁପାରେ । ଫଳରେ ଜୁନ ୧୦ରୁ ୧୪ ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଆସନ୍ତା ଦୁଇ ଦିନ ମଧ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣ ବର୍ଷା ହେବ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୧୦ ଓ ୧୧ତାରିଖରେ ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୧ରୁ ୧୩ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ଓ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁନ ୧୦ରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାକି ୧୧ ତାରିଖ ବେଳକୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଲଘୁଚାପ, ୧୨ ତାରିଖରେ ଅବପାତ ଓ ୧୩ତାରିଖରେ ଗଭୀର ଅବପାତରେ ପରିଣତ ହୋଇପାରେ । ଜୁନ ୧୦ରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବାକୁ ଥିବା ବେଳେ ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗୀର ଓ ଅବିଭକ୍ତ କୋରାପୁଟରେ ମଧ୍ୟମଧରଣର ବର୍ଷା ହେବ । ୧୨ଓ ୧୩ ତାରିଖରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବ । ଜୁନ ୧୩ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୧୦ରୁ ୧୨ଡିଗ୍ରି କମିବାର ସମ୍ଭାବନା ରହିଛି ।