ଏହି ଦିନ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବେ ଖାଡଗେ
ଏହି ଦିନ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବେ ଖାଡଗେ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ ଏକତରଫା ବିଜୟ ହାସଲ କରିଥିବା ମଲ୍ଲିକାର୍ଜୁନ ଖାଡଗେ ଆସନ୍ତା ୨୬ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ। ସେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶି ଥରୁରଙ୍କୁ ଏକତରଫା ଭାବେ ସଭାପତି ନିର୍ବାଚନରେ ପରାସ୍ତ କରିଛନ୍ତି। ପରାଜୟ ପରେ ଥରୁର ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ବିଜୟୀ ଖାଡଗେଙ୍କୁ ଭେଟିଛନ୍ତି। ଏଥିସହ ଦଳକୁ ମଜବୁତ କରିବା ଓ ଫାଶୀବାଦ ବିରୋଧରେ ଲଢ଼େଇ କରିବା ପାଇଁ ପୂରା କଂଗ୍ରେସ ଏକାଠି ରହିଥିବା କହିଛନ୍ତି।
କଂଗ୍ରେସର ୯,୩୮୫ ଜଣ ପଦାଧିକାରୀ ୧୭ ତାରିଖରେ ଅନୁଷ୍ଠିତ ହୋଇଥିବା ସଭାପତି ନିର୍ବାଚନରେ ଭୋଟ ଦେଇଥିଲେ। ଏହା ମଧ୍ୟରୁ ୭୮୯୭ ଖଣ୍ଡ ଭୋଟ ଖାଡଗେଙ୍କ ସପକ୍ଷରେ ପଡ଼ିଥିବା ବେଳେ ଶଶି ଥରୁର ୧୦୭୨ ଖଣ୍ଡ ଭୋଟ ପାଇଥିଲେ। ୪୧୬ ଖଣ୍ଡ ଭୋଟ ନାକଚ ହୋଇଛି। ନିର୍ବାଚନରେ ପରାଜୟକୁ ସ୍ୱୀକାର କରି ଶଶି ଥରୁର କହିଛନ୍ତି ଯେ କଂଗ୍ରେସର ପୁନଃରଉଦ୍ଧାର ଆଜି ଠାରୁ ହିଁ ଆରମ୍ଭ ହୋଇଛି। ଖାଡଗେ କଂଗ୍ରେସ ସଭାପତି ନିର୍ବାଚନ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।
ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଅଣ ଗାନ୍ଧି ବସ୍ ମିଳିଛନ୍ତି। ଅର୍ଥାତ ଗାନ୍ଧି ପରିବାର ବାହାରୁ କେହି ସଭାପତି ହୋଇଛନ୍ତି। ୮୦ ବର୍ଷୀୟ ଖାଡଗେ ଶେଷ ମୁହୂର୍ତ୍ତରେ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ତାଙ୍କୁ ଗାନ୍ଧି ପରିବାରର ପୂର୍ଣ୍ଣ ସମର୍ଥନ ମିଳିଥିଲା। ସେ ପ୍ରାୟ ୮୪% ଭୋଟ ପାଇଛନ୍ତି।




admin 