ଏହି କାରଣରୁ ବରକୁ ଉଠାଇ ନେଲା ପୋଲିସ ।
ଏହି କାରଣରୁ ବରକୁ ଉଠାଇ ନେଲା ପୋଲିସ ।
admin
Feb 27, 2020 - 12:00
Updated: Feb 27, 2020 - 12:00
କଟକ : ବର ବେଶ ହୋଇ ବାଣରୋଶଣି ଆଉ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ ମଣ୍ଡପକୁ । ହସଖୁସି, ଖିଆପିଆରେ ସମସ୍ତେ ମଜ୍ଜି ରହିଥିଲା ବେଳେ ହଠାତ ପହଞ୍ଚି ଥିଲା ପୁଲିସ । ତାଙ୍କ ସହିତ ଥିଲେ କିଛି ସାମାଜିକ କର୍ମୀ । ଏଭଳି ସ୍ଥିତି ଦେଖି କେହି କିଛି ବୁଝି ବି ପାରି ନଥିଲେ । ବର ବେଶରେ ଥିବା ଯୁବକଙ୍କୁ ଉଠାଇ ନେଇଥିଲା ପୁଲିସ । ବିଚରା ସଜ୍ଜା ହୋଇଥିବା କାର ଛାଡି ବର ବେଶରେ ଯୁବକ ବସିଥିଲେ ପୁଲିସ ଗାଡିରେ । ମଣ୍ଡପ ଛାଡି ଯାଇଥିଲେ ଥାନାକୁ । ଏଭଳି ଦୃଶ୍ୟ ଲୋକଙ୍କ ପାଇଁ ଅତ୍ୟନ୍ତ ରୋଚକ ହୋଇଥିବା ବେଳେ ଘଟଣାକୁ ନେଇ ବେଶ କିଛି ଘଣ୍ଟା ହଟଚମଟ ସୃଷ୍ଟି ହୋଇଥିଲା । ହାତ ଗଣ୍ଠି ପଡ଼ିବା ପୂର୍ବରୁ ବାହାଘର ବନ୍ଦ ହୋଇଯାଇଥିଲା । ଏଭଳି ଘଟଣାରେ ହଟହଟା ହୋଇ ଏବେ ଗିରଫ ହୋଇଛନ୍ତି ବର ସାଜିଥିବା ମେଡିସିନ ରିପ୍ରେଜେଣ୍ଟେଟିଭ ଥିବା ଯୁବକ ।
ସୂଚନା ଅନୁଯାୟୀ ବୁଧବାର ମହାନଦୀବିହାରର ସେଲିବ୍ରେସନ ମଣ୍ଡପରେ ଏକ ବିବାହ ଉତ୍ସବର ଆୟୋଜନ ଚାଲିଥିଲା । ମହାନଦୀବିହାର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରୁଥିଲେ ତୁଳସୀପୁର ଦେଉଳସାହି ଅଞ୍ଚଳର ଯୁବକ ପ୍ରିୟରଂଜନ ପତି । ପ୍ରିୟରଂଜନ ଶିଖରପୁର ଛକରୁ ବିବାହ ଶୋଭାଯାତ୍ରାରେ ଆସି ସଂଧ୍ୟା ପ୍ରାୟ ୭ଟା ବେଳେ ମଣ୍ଡପରେ ପହଞ୍ଚି ଥିଲେ । ବାହାଘର ଆରମ୍ଭ ହୋଇ ବେଦିକୁ ବରକନ୍ୟା ଯାଇଥିଲେ । କିନ୍ତୁ ପାଖାପାଖି ସାଢେ ସାତଟା ବେଳେ ପହଞ୍ଚି ଯାଇଥିଲେ ଜଣେ ଯୁବତୀ । ଯୁବତୀ ଜଣକ ଚିତ୍କାର କରି ବରକୁ ପଚାରିଥିଲେ । ତମର ସାହସ କେମିତି ହେଲା । ମତେ ଛାଡି ତମେ ଏଠି ବିବାହ କରୁଛ କେମିତି । ଉପସ୍ଥିତ ସମସ୍ତେ ସ୍ତବ୍ଧ ହୋଇ ଯାଇଥିବା ବେଳେ ବର ପ୍ରିୟରଂଜନ କିନ୍ତୁ ଯୁବତୀଙ୍କୁ ଜାଣି ନଥିବା ସଫେଇ ଦେଇଥିଲା । କିନ୍ତୁ ଉପସ୍ଥିତ ପୁଲିସ ଆଉ ସାମାଜିକ କର୍ମୀଙ୍କ ସାମନାରେ ସେ ବେଶି ସମୟ ଆଉ ଫାଙ୍କି ପାରି ନଥିଲେ । ସବୁ କିଛି ଧରା ପଡି ଯାଇଥିଲା । ପ୍ରିୟରଂଜନ ତିନି ବର୍ଷ ପୂର୍ବରୁ ୪୨ ମୌଜା ଝିଙ୍କିରିଆ ଅଞ୍ଚଳର ସଂପୃକ୍ତ ଯୁବତୀଙ୍କୁ ବିବାହ କରି ଥିଲେ ବି ତାଙ୍କୁ ଛାଡ଼ପତ୍ର ନ ଦେଇ ଏଭଳି ଦ୍ୱିତୀୟ ବିବାହ କରୁଥିବା ଅଭିଯୋଗ ହୋଇଥିଲା । ସଂପୃକ୍ତ ଯୁବତୀ ବିବାହ କରିବା ସମୟର ନିମନ୍ତ୍ରଣପତ୍ର, ବିବାହ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ଅନ୍ୟ ଆନୁସଙ୍ଗିକ ପ୍ରମାଣପତ୍ର ଚାଉଳିଆଗଂଜ ଥାନା ପୁଲିସକୁ ଦେଇଥିଲେ । ଯୁବତୀଙ୍କୁ ସେ ଛାଡପତ୍ର ଦେଇ ନ ଥିବା ବେଳେ ଏଭଳି ବେଆଇନ ଭାବେ ଦ୍ୱିତୀୟ ବିବାହ କରୁଥିବା ଅଭିଯୋଗ ହୋଇଥିଲା । ଆଇଆଇସି ତାପସ ପ୍ରଧାନ ସଂପୃକ୍ତ ସାମାଜିକ କର୍ମୀ ଓ ଆଇନଜୀବୀଙ୍କ ସହ ମଣ୍ଡପରେ ପହଞ୍ଚି ତଥ୍ୟ, ପ୍ରମାଣ ଆଧାରରେ ସଂପୃକ୍ତ ଯୁବକଙ୍କୁ ମଣ୍ଡପରୁ ଉଠାଇ ନେଇଥିଲେ ଥାନାକୁ । ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।