ଏସଇବିସିରେ ସାମିଲ ହେଲେ ୨୨ ଜାତି

ଏସଇବିସିରେ ସାମିଲ ହେଲେ ୨୨ ଜାତି

ଏସଇବିସିରେ ସାମିଲ ହେଲେ ୨୨ ଜାତି

ଭୁବନେଶ୍ୱର : ୨୨ଟି ଜାତିକୁ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ବା ଏସଇବିସିରେ ଅନ୍ତର୍ଭୁକ୍ତ କରାଯିବ  । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବି ବୃଦ୍ଧି ପାଇଛି  । ସୁବର୍ଣ୍ଣରେଖାରେ ସେତୁ ଓ ଯାଜପୁର, ନୟାଗଡ଼ ଏବଂ ମାଲକାନାଗିରିରେ ଜଳ ପ୍ରକଳ୍ପ କରାଯିବ  । ଏଥିପାଇଁ ସର୍ବନିମ୍ନ ଟେଣ୍ଡରକୁ ବି ମଂଜୁରୀ ଦିଆଯାଇଛି  । ରାଜ୍ୟ କ୍ୟାବିନେଟରେ ଏହିପରି ୧୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା  । ବୈଠକରେ ବିଭିନ୍ନ ବିଭାଗର ୧୨ଟି ପ୍ରସ୍ତାବ ଉପରେ ଆଲୋଚନା କରାଯିବା ସହ କ୍ୟାବିନେଟର ମୋହର ଲାଗିଥିଲା  । ପଛୁଆ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି  । ଓଡ଼ିଶାର ୨୨ଟି ଜାତି ଓ ସମ୍ପ୍ରଦାୟକୁ କେନ୍ଦ୍ର ସରକାର ଓବିସି ତାଲିକା ଭୁକ୍ତ କରିଛନ୍ତି  । କିନ୍ତୁ ସେହି ଜାତିଗୁଡ଼ିକୁ ଏଯାଏଁ ଏସଇବିସିର ଅନ୍ତର୍ଭୁକ୍ତ କରାଯାଇନାହିଁ  । ଓବିସି ତାଲିକାଭୁକ୍ତ ଜାତିଗୁଡ଼ିକୁ ଏସଇବିସିରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମରେ ସଂଶୋଧନ କରାଯିବ  । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  । 

ଗୋବରଘାଟଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ କରିବାକୁ ସରକାର ନିଷ୍ପତି ନେଇଛନ୍ତି  । ଫଳରେ ଜଳେଶ୍ୱର ଓ ମୟୂରଭଞ୍ଜ ମଧ୍ୟରେ ଯାତାୟତ ସୁବିଧା ହୋଇପାରିବ  । ଏହି ସେତୁ ନିର୍ମାଣ ପାଇଁ ବିରଜା କନଷ୍ଟ୍ରକସନ ଦାଖଲ କରିଥିବା ସର୍ବନିମ୍ନ ୧୦୧ କୋଟି ୬୬ ଲକ୍ଷ ୩୪ ହଜାର ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଂଜୁର କରିଛନ୍ତି  ।

ବାଗଚି ଶ୍ରୀଶଙ୍କର କର୍କଟ ଚିକିତ୍ସା କେନ୍ଦ୍ର ଏବଂ ଅନୁସନ୍ଧାନ ପ୍ରତିଷ୍ଠାନକୁ ରାଜ୍ୟ ସରକାର ଆଉ ୨ ଏକର ଜମି ମାଗଣାରେ ଯୋଗାଇଦେବେ  । ସେହି ଜମିରେ ରୋଗୀଙ୍କ ରହଣୀ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯିବ  । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଚାନ୍ଦିହାତ ମୌଜାରେ ଏହି ୨ ଏକର ଜମି ପ୍ରଦାନ କରାଯିବ  । ଏସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି  ।