ଏଥର ହେଲାନି ହାଲୱା ଉତ୍ସବ

ଏଥର ହେଲାନି ହାଲୱା ଉତ୍ସବ

ଏଥର ହେଲାନି ହାଲୱା ଉତ୍ସବ

ନୂଆଦିଲ୍ଲୀ:କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ବନ୍ଦ ରହିଛି ହାଲୱା ଉତ୍ସବ। ସଂସଦରେ ବଜେଟ ପ୍ରସ୍ତୁତି ପୂର୍ବରୁ ପାରମ୍ପରିକ ହାଲୱା ସେରେମନି ଆୟୋଜିତ ହୋଇଥାଏ। ଏଥର କିନ୍ତୁ ସେଥିରେ ଲାଗିଛି ବ୍ରେକ୍। ଏଥର କର୍ମଚାରୀଙ୍କୁ ହାଲୱା ବଦଳରେ ମିଳିଛି ମିଠା ।

ଗୁରୁବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, କେନ୍ଦ୍ରୀୟ ବଜେଟ ପ୍ରସ୍ତୁତିର ଅନ୍ତିମ ପର୍ୟ୍ୟାୟରେ ଏଥିରେ ନିୟୋଜିତ କର୍ମଚାରୀଙ୍କୁ ଲକ୍-ଇନ୍ କରିବାର ପରମ୍ପରା ରହିଛି। ପ୍ରତିବର୍ଷ ବଜେଟ ଉପସ୍ଥାପନର ପ୍ରାୟ ୧୦ ଦିନ ପୂର୍ବରୁ ଏକ ବିଶାଳ କଢ଼େଇରେ ହାଲୱା ପ୍ରସ୍ତୁତ କରାଯାଇ ନର୍ଥବ୍ଲକର ପୁରା ଷ୍ଟାଫଙ୍କୁ ପରସା ଯାଏ। ଏହି କାର୍ୟ୍ୟକ୍ରମ ପରେ ସିଧା ବଜେଟ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ।

ଏହି ସମୟରେ କର୍ମଚାରୀମାନେ ସେମାନଙ୍କ ପରିବାରଠୁ ଦୂରେଇ ରହୁଥିବା ବେଳେ ସେମାନଙ୍କ ଯୋଗାଯୋଗ ମାଧ୍ୟମକୁ ବନ୍ଦ କରି ଦିଆଯାଇଥାଏ। ଏହି ସମୟରେ ସମ୍ପୃକ୍ତ କର୍ମଚାରୀଙ୍କ ସ୍ୱାଗତ ନିମନ୍ତେ ‘ହାଲୱା ସେରିମନି’ ଆୟୋଜିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ପ୍ରୋଟୋକଲ ପାଳନ କରାଯାଇ ଲକ୍-ଇନ୍ ପୂର୍ବରୁ କର୍ମଚାରୀଙ୍କୁ ହାଲୱା ବଦଳରେ ମିଠା ବଣ୍ଟା ଯାଇଛି।

ବଜେଟର ଗୋପନୀୟତାକୁ କାଏମ ରଖିବାକୁ ଏହି ସେରିମନି ପରଠୁ କର୍ମଚାରୀଙ୍କୁ ଲକ୍-ଇନ୍ କରି ରଖାଯିବ। ଛପେଇ କର୍ମଚାରୀଙ୍କୁ ମଧ୍ୟ ନର୍ଥ ବ୍ଲକ ବେସମେଟରେ ଥିବା ପ୍ରିଣ୍ଟିଂଙ୍ଗ ପ୍ରେସରେ ବଜେଟ ପ୍ରସ୍ତୁତ ହେବା ପର୍ୟ୍ୟନ୍ତ ରହିବାକୁ ପଡ଼ିବ । ଅର୍ଥ ମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିବା ପରେ ହିଁ ଲକ୍-ଇନ୍ ହୋଇଥିବା କର୍ମଚାରୀଙ୍କୁ ସେମାନଙ୍କ ପରିବାର ସହ ସମ୍ପର୍କ କରିବାର ସୁଯୋଗ ମିଳିବ ।

୨୦୨୨-୨୦୨୩ ଆର୍ଥିକ ବର୍ଷ ନିମନ୍ତେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ ତାରିଖରେ ବଜେଟ ଉପସ୍ଥାପନ କରିବେ।  ସୀତାରମଣ ଚତୁର୍ଥ ଥର ପାଇଁ ବଜେଟ ଉପସ୍ଥାପ କରିବେ। ପୂର୍ବ ବର୍ଷ ପରି ଏଥର ବି ପେପରଲେସ୍ ବଜେଟ ଉପସ୍ଥାପିତ ହେବ ।