ଏକମାସ ଧରି ରାଜ୍ୟବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ କରିବାକୁ ନିର୍ଦ୍ଦେଶ ଦେଲେ ନବୀନ
ଏକମାସ ଧରି ରାଜ୍ୟବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ କରିବାକୁ ନିର୍ଦ୍ଦେଶ ଦେଲେ ନବୀନ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରୁଥିବା ଶାସକ ବିଜେଡି ଆସନ୍ତା ଅକ୍ଟୋବର ୨ ‘ଗାନ୍ଧି ଜୟନ୍ତୀ’ରୁ ଏକମାସ ଧରି ରାଜ୍ୟବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ କରିବ । ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକ, ସାଂସଦ, ପର୍ୟ୍ୟବେକ୍ଷକ, ଜିଲ୍ଲା,ବ୍ଲକ ଓ ନଗର ସଭାପତି, ବିଭିନ୍ନ ସଂଗଠନର ରାଜ୍ୟ ସଭାପତି ଓ ପଦାଧିକାରୀ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ଚିଠି ଲେଖି ଜିଲ୍ଲାରୁ ୱାର୍ଡସ୍ତର ପର୍ୟ୍ୟନ୍ତ ପଦଯାତ୍ରା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନଭେମ୍ବର ୨ତାରିଖ ଶେଷଦିନରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଏକଜୁଟ ହୋଇ ଏକମାସ ବ୍ୟାପୀ ପଦଯାତ୍ରାର ସମାପ୍ତି ଘୋଷଣା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ୟ୍ୟ କରିବା ନିମନ୍ତେ ‘ସମୂହ ଶପଥ’ ପାଠ କରିବେ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏକମାସ ବ୍ୟାପୀ ଜନସମ୍ପର୍କ ପଦଯାତ୍ରାକୁ ଜିଲ୍ଲାସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ,ନଗର, ପଂଚାୟତ ଓ ୱାର୍ଡ ପର୍ୟ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜନ କରାଯିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ଓ ଅକ୍ଟୋବର ୧୧ରେ ଜୟପ୍ରକାଶ ଜୟନ୍ତୀ ପାଳନ କରାଯିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଦଳର ଜନସମ୍ପର୍କ ପଦଯାତ୍ରାକୁ ଓଡ଼ିଶାବାସୀଙ୍କ ସହ ପାଳିବାକୁ ପରାମର୍ଶ ଦେବା ସହ ଦଳର ମହିଳା, ଯୁବ, ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ , ଆଇନ ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସ୍ତରରେ ଏହି ପଦଯାତ୍ରାରେ ଯୋଗ ଦେବେ ତଥା ବହୁ ସଂଖ୍ୟାରେ କର୍ମୀ ଯେଭଳି ସବୁ ସ୍ଥାନରେ ଯୋଗ ଦେବେ ତାହା ସୁନିଶ୍ଚିତ କରାଇବେ ।
ପଦଯାତ୍ରା ଅବଧି ମଧ୍ୟରେ ପଡ଼ୁଥିବା ପ୍ରମୁଖ ପର୍ବପର୍ବାଣୀ ଦିନ ଏହି ପଦଯାତ୍ରା ବନ୍ଦ ରହିବ । ପଦଯାତ୍ରା ସମୟରେ ସମ୍ପୃକ୍ତ ଅଂଚଳରେ ପ୍ରତି ଘରେ ବିଜେଡି ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ୟ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ୟ୍ୟକ୍ରମ ମାଧ୍ୟମରେ ଜନସେବାକୁ ଅଧିକ ବ୍ୟାପକ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେବା ସହ ଏସମସ୍ତ କାର୍ୟ୍ୟ କିଭଳି ପ୍ରତ୍ୟେକସ୍ତରରେ ସମ୍ପନ୍ନ ହେଲା ତା’ର ସବିଶେଷ ବିବରଣୀ ତାଙ୍କୁ ଅବଗତ କରାଇବାକୁ କହିଛନ୍ତି ।




admin 