କଟକ ଦଶହରାର ଏହି ନିଆରା ପରମ୍ପରା

କଟକ ଦଶହରାର ଏହି ନିଆରା ପରମ୍ପରା

କଟକ : ରୂପାର ସହର କଟକରେ ଦଶହରା ଖୁବ୍‌ ଧୁମଧାମରେ ପାଳନ କରାଯାଏ । ମାଛ ଭୋଗ, ଦହି ପଖାଳ, ସିନ୍ଦୂରଖେଳ,  ପାଇକଆଖଡା, କୁମାରୀ ପୂଜା ଭଳି ପରମ୍ପରାକୁ ନେଇ କଟକର ପାର୍ବଣ ସ୍ୱତନ୍ତ୍ର । ସୁନା ଚାନ୍ଦିର ମେଢ ସାଙ୍ଗକୁ ଏସବୁ ପୂଜା ପରମ୍ପରା କଟକର ଦଶହରାକୁ ଅଧିକ ଆକର୍ଷଣୀୟ କରିଥାଏ । 

ମାଛ ଭୋଗ : କଟକର ଦଶହରାରେ ପୂଜା ମଣ୍ଡପରେ ମା’ଙ୍କ ପାଖରେ ମାଛ ଭୋଗ ହୋଇଥାଏ । କଟକ ସହରର ଚାନ୍ଦିନୀଚୌକ ଦୁର୍ଗା ପୂଜା ମଣ୍ଡପ, ଆଲି।।ବଜାର ପୂଜାମଣ୍ଡପ, ରାମଗଡ କନିକାଛକ ପୂଜା ମଣ୍ଡପ, ସୀତାଚୌରୀ ଜଗଜନନୀ ପରିବାର ପୂଜା ମଣ୍ଡପରେ ମା’ଙ୍କ ମାଛଭୋଗ ଲାଗି ହୋଇ ଶ୍ରଦ୍ଧାଳମାନଙ୍କୁ ବଣ୍ଟନ କରାଯାଏ । ଚାନ୍ଦିନୀ ଚୌକରେ ଓ ଆଲିଶାବଜାରରେ ନବମୀ ସନ୍ଧ୍ୟାରେ, ରାମଗଡ ପୂଜା ମଣ୍ଡପରେ ଅଷ୍ଟମୀ ରାତିରେ ଓ ଜଗଜ୍ଜନନୀ ପରିବାର ପୂଜାମଣ୍ଡପରେ ନବମୀ ରାତିରେ ମାଛଭୋଗ ଲାଗି ନୀତି ହୁଏ । ଚାନ୍ଦିନୀଚୌକରେ କେବଳ ୫ କ୍ୱିଣ୍ଟାଲ ମାଛଭୋଗ  କରାଯାଇ ମାଟିଘଡି ଓ ସରାରେ ସାହି, ବଜାର ଆଦିରେ ବଣ୍ଟନ କରାଯାଏ । ସେହିପରି ରାମଗଡ କନିକାଛକ ପୂଜା ମଣ୍ଡପରେ ଏକ ହଜାର ଲୋକଙ୍କ ପାଇଁ, ଆଲିଶାବଜାର ପୂଜା ମଣ୍ଡପରେ ୩ହଜାରରୁ ଅଧିକ ଲୋକଙ୍କ ପାଇଁ, ଜଗଜ୍ଜ୍‌ନୀ ପରିବାର ମଣ୍ଡପରେ ୫ଶହ ଲୋକଙ୍କ ପାଇଁ ମାଛଭୋଗ ହୋଇଥାଏ ।

ସିନ୍ଦୁର ଖେଳ : ସହରର ବହୁ ପୂଜା ମଣ୍ଡପରେ ସିନ୍ଦୂରଖେଳ ପରମ୍ପରା ରହିଚି । ଦଶମୀ ଦିନ ମା’ଙ୍କ  ବିସର୍ଜନ ପରେ ସଧବା ମହିଳାମାନେ ମା’ଙ୍କ ସହ ମଣ୍ଡପରେ ସିନ୍ଦୂରଖେଳ ଖେଳନ୍ତି । କାଜି ବଜାର, କାଜିବଜାର ଆଦିପୀଠ, ରାଉସାପାଟଣା, ବିନୋଦବିହାରୀ, ବାଲୁବଜାର ଆଦି ଅନେକ ପୂଜା ମଣ୍ଡପରେ ଶତାଧିକ ମହିଳା ସିନ୍ଦୂର ଖେଳରେ ଅଂଶଗ୍ରହଣ କରନ୍ତି । ପୂଜା କମିଟି ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ । 

ଦହି ପଖାଳ, ଶାଗଭଜା : ଦଶହରାରେ ଦହି ପଖାଳ, ଶାଗଭଜା, ଛଙ୍କା ତରକାର, ଚୋପି ତରକାରୀ ଭୋଗ କରାଯିବାର ସ୍ୱତନ୍ତ୍ର ବିଧି ରହିଛି । ସବୁ ମଣ୍ଡପରେ ଦହିପଖାଳ ଭୋଗ ଲାଗି ହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ । 

କିଛି ମଣ୍ଡପରେ ନବମୀ ତିଥିରେ ତ ଆଉ କିଛି ମଣ୍ଡପରେ ଦାମୀ ତିଥିରେ ଦହିପଖାଳ ଭୋଗ ଲାଗି ହୁଏ । ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ଦହିପଖାଳ-ଚୋପି ତରକାରୀ କରାଯାଉଥିବା ବେଳେ କିଛି ମଣ୍ଡପରେ କ୍ଷୀରି ଭୋଗ କରାଯାଏ । କିନ୍ତୁୂ ଏବେ ସବୁ କେବଳ ନୀତି ପାଇଁ କରାଯାଉଛି । ସେହିପରି କଟକ ପାର୍ବଣରେ ଅନେକ ମଣ୍ଡପରେ ପାରମ୍ପରିକ ପାଇକ ଆଖଡା ପ୍ରଦର୍ଶନ କରାଯିବାର ନଜିର ରହିଛି ।