ଉତ୍ତରକୋରିଆରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ଉତ୍ତରକୋରିଆରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ଉତ୍ତରକୋରିଆରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ସେଓଲ: ସମଗ୍ର ବିଶ୍ବ ଯେତେବେଳେ କରୋନା ସଂକ୍ରମଣରେ ଥରହର ହେଉଥିଲେ ସେତେବେଳେ ଉତ୍ତର କୋରିଆ କରୋନାର ଆତଙ୍କରୁଦୂରେ ଥିଲେ।  ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱୀକାର କରିଛି ସ୍ଥାନୀୟ ପ୍ରଶାସନ। ପୂର୍ବରୁ ଏଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା କଥା ଜଣାପଡ଼ିଥିଲେ ହେଁ ସ୍ଥାନୀୟ ପ୍ରଶାସନ ଏହାକୁ ଖଣ୍ଡନ କରି ଚାଲିଥିଲା। କିନ୍ତୁ ଦେଶରେ ଏବେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନ କହିଛି।

କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍ ପୂରା ଦେଶରେ ଗୁରୁତର ଜାତୀୟ ଏମରଜେନ୍ସି ଲାଗୁ କରିଛନ୍ତି। ଭାଇରସର ମୂଳ ପୋଛ କରିବା ପାଇଁ କିମ ଜଙ୍ଗ ଉନ୍ ଏପରି କଡ଼ା ପଦକ୍ଷେପ ନେଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

୨୦୨୦ରୁ ମହାମାରୀ କରୋନା ଆତଙ୍କ ସୃଷ୍ଟି ହୋଇଥିଲା। ଉତ୍ତର କୋରିଆ କେବେ ହେଲେ ବି କରୋନା ଭାଇରସ ଦେଶରେ ଚିହ୍ନଟ ହୋଇଥିବା କଥା ସ୍ୱୀକାର କରି ନଥିଲା। ସେହିପରି ଭାଇରସର ମୁକାବିଲା ପାଇଁ ପୂରା ବିଶ୍ୱ ସହ ଉତ୍ତର କୋରିଆ ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଥିଲା। ଏପରି କି ସୀମ ମଧ୍ୟ ସିଲ୍ କରାଯାଇଥିଲା।

ଏହା ସତ୍ତ୍ୱେ ଏବେ ରାଜଧାନୀରେ ଅସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯିବାରୁ ସେ ଓମିକ୍ରନ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଭାଇରସର ମୁକାବିଲା ପାଇଁ ରାଷ୍ଟ୍ରପତି କିମ ଜଙ୍ଗ ଉନଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଥିଲା। ଏହାପରେ ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ସବୁଠାରୁ ବଡ଼ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

କିମ ଜଙ୍ଗ ଉନ୍ ସୀମାରେ ସୁରକ୍ଷା ବ୍ୟବସ୍ଥା କରିବାକୁ କହିଛନ୍ତି। ଏଥିସହ ଲକଡାଉନ ବ୍ୟବସ୍ଥା ଲାଗୁ କରାଯାଇଛି। ସମସ୍ତ ସହର ଓ ଗଳିକୁ ବନ୍ଦ କରି ଭାଇରସ ଯେମିତି ନ ବ୍ୟାପିବ, ତା’ର ବ୍ୟବସ୍ଥା କରିବାକୁ କିମ ସାଧାରଣ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ବ୍ୟାବସାୟିକ ଓ ଉତ୍ପାଦନ ୟୁନିଟକୁ ବ୍ୟବସ୍ଥିତ କରିବାକୁ ମଧ୍ୟ କୁହାଯାଇଛି। କର୍ମକ୍ଷେତ୍ରରେ ଯେମିତି ସାମାଜିକ ଦୂରତା ବଜାୟୀ ରହିପାରିବ, ତା’କୁ ଧ୍ୟାନରେ ରଖାଯିବ।

୨୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ଉତ୍ତର କୋରିଆରେ କେହି ବି କରୋନା ବିରୋଧୀ ଟିକା ନେଇ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଚାଇନା ଓ ରୁଷ ଟିକା ପ୍ରସ୍ତାବ ଦେଇଥିଲେ ମଧ୍ୟ କିମ ଜଙ୍ଗ ଉନ୍ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।