ଆସୁଛି ଲଘୁଚାପ
ଆସୁଛି ଲଘୁଚାପ
ଭୁବନେଶ୍ୱର: ମାସ ଶେଷ ବେଳକୁ ଓଡ଼ିଶା ନିକଟବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧ରୁ ୭ ତାରିଖ ଭିତରେ ରାଜ୍ୟରେ ଭଲ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କରିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ ଦେଇଛି । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି । ସେହିଭଳି ଆସନ୍ତା ୨୪ରୁ ୩୦ ତାରିଖ ଯାଏ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ ବୋଲି ବୁଲେଟିନ୍ରେ କୁହାଯାଇଛି । ୨୬ ତାରିଖ ଯାଏ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେପଟେ ୨୮ ତାରିଖ ଯାଏ ରାଜ୍ୟରେ ବର୍ଷା ନାହିଁ । ୨୪ ଓ ୨୫ରେ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଜୁନ୍ ମାସରେ ନିଅଣ୍ଟିଆ ବର୍ଷା ରହିବ । ତେବେ ଜୁଲାଇ ପ୍ରଥମ ସପ୍ତାହରେ ସ୍ୱାଭାବିକ ବର୍ଷା ହେବ ।
ଏ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଗାଏବ ହୋଇଯାଇଛି । ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହୋଇଛି । ଏଯାବତ୍ ମୌସୁମୀ ଘୂର୍ଣ୍ଣିବଳୟ (ମନସନ୍ ଟ୍ରଫ୍) ସୃଷ୍ଟି ହୋଇନି । ମୌସୁମୀ ବାୟୁପ୍ରବାହ ବାଧାପ୍ରାପ୍ତ ହୋଇଛି । ଏଭଳି ପ୍ରତିକୂଳ ସ୍ଥିତି ଯୋଗୁ ଆରବସାଗର କିମ୍ବା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର କୌଣସି ସଙ୍କେତ ଦିଶୁନି । ଜାତୀୟସ୍ତରରେ ମୌସୁମୀ ବର୍ଷା ଆଗେଉନି । ଆକଳନ ଅନୁସାରେ ଜୁନ୍ରେ ନିଅଣ୍ଟିଆ ବର୍ଷା ହୋଇଛି ।
୨୯ରୁ ମୌସୁମୀ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଭଲ ବର୍ଷା ହେବ । ଜୁଲାଇ ୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ।




admin 