ଆଜି ପବିତ୍ର ମହାଶିବରାତ୍ରି, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Mahashivaratri
ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି । ଭୋରରୁ ରାଜ୍ୟର ସବୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶ୍ରଦ୍ଧାଳୁ ମାନେ ପାଳନ କରୁଛନ୍ତି ପବିତ୍ର ଜାଗର ବ୍ରତ । ରାଜ୍ୟର ପ୍ରାୟ ସବୁ ପ୍ରସିଦ୍ଧ ଶିବ ମନ୍ଦିରରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ। ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବି ରାତି ୧୦ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ।
ରାଜ୍ୟର ବହୁ ସ୍ଥାନରେ ଶିବ ମନ୍ଦିରମାନଙ୍କରେ ବିଧି ଅନୁସାରେ ଜାଗର ମେଳା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟାନ୍ୟ ମନ୍ଦିରରେ ଭଜନ ସମାରୋହ, ଅଷ୍ଟପ୍ରହରୀ ନାମଯଜ୍ଞ ଭଳି ସାଂସ୍କୃତିକ କାର୍ୟ୍ୟକ୍ରମମାନ ଆୟୋଜନ କରାଯାଉଛି। ସେହିଭଳି ମହାଦୀପ ଉଠିବା ପରେ ବହୁ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ବହୁ ମନ୍ଦିରରେ ଶ୍ରଦ୍ଧାଳୁମାନେ ରାତିସାରା ବସି ଜାଗର ଦୀପ ଜାଳିବାକୁ ଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଏକାମ୍ର କ୍ଷେତ୍ରର ପ୍ରାୟ ସବୁ ଶୈବ ପୀଠ ରଙ୍ଗିନ୍ ଆଲୋକରେ ଝଲସୁଛି। ଲିଙ୍ଗରାଜ ମନ୍ଦିର ନିକଟ ପୁଷ୍କରିଣୀଗୁଡ଼ିକ ମଧ୍ୟ ରଙ୍ଗିନ୍ ଆଲୋକମାଳାରେ ଝଲମଲ ହୋଇଉଠୁଛି। ଦିନ ତମାମ୍ ଭାଗବତ ପାରାୟଣ, ରାମଚରିତ ମାନସ ପାରାୟଣ, ପ୍ରବଚନ କାର୍ୟ୍ୟକ୍ରମ ଥିବା ବେଳେ ସନ୍ଧ୍ୟାରେ ଆରମ୍ଭ ହେବ ବିଶାଳ ଭଜନ ସମାରୋହ। ଆଜି ମହାଦୀପ ଉଠିବା ପର୍ୟ୍ୟନ୍ତ ଏକାମ୍ର କ୍ଷେତ୍ରରେ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଜାଗର ଯାତ୍ରା ଭୋରରୁ ମନ୍ଦିରରେ ଭିଡ଼ ଜମିଛି। ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟାରିକେଡ ବ୍ୟବସ୍ଥା।




admin 