ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ : ଜାଣନ୍ତୁ ମୋଦିଙ୍କ ଟିମରେ କେଉଁମାନେ ରହିବେ
ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ : ଜାଣନ୍ତୁ ମୋଦିଙ୍କ ଟିମରେ କେଉଁମାନେ ରହିବେ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କିଛି ନୂଆ ମନ୍ତ୍ରୀ ସାମିଲ ହେବା ଓ କିଛି ମନ୍ତ୍ରୀ ବାଦ ପଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିବାରେ ଲାଗିଛି ।
ମୋଦୀଙ୍କ ନୂଆ ଟିମରେ ୬ ଜଣ ଡାକ୍ତର ସାମିଲ ହେବ । ସେହିପରି ୨ ଜଣ ମହିଳା ଓ ୭ଜଣ ପୂର୍ବତନ ଆଇଏଏସ ମଧ୍ୟ ସାମିଲ ହେବେ । ଖାଲି ସେତିକି ନୁହେଁ ୫ ଜଣ ଇଞ୍ଜିନିୟର, ୧୩ ଜଣ ଓକିଲ ଓ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ୫ ଜଣଙ୍କୁ ସାମିଲ କରାଯିବ ।
ମନ୍ତ୍ରିମଣ୍ଡଳରେ ୧୨ ଜଣ ଏସସି ଓ ୮ ଜଣ ଏସଟି ମନ୍ତ୍ରୀ ରହିବେ । ନୂଆ ମନ୍ତ୍ରିମଣ୍ଡଳର ହାରାହାରି ବୟସ ୫୮ ବର୍ଷ ରହିବ । କେନ୍ଦ୍ରର ମୋଦୀ ସରକାରରେ ୧୧ ଜଣ ମହିଳା ମନ୍ତ୍ରୀ ରହିବେ । ନୂଆ ମନ୍ତ୍ରିମଣ୍ଡଳରେ ୪୬ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିବେ । ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ନେଇ ସୂଚନା ମିଳିଛି । ନୂଆ ମନ୍ତ୍ରିମଣ୍ଡଳରେ ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିତ୍ୱ ରହିବ ।
ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଛି । ବହୁ ବରିଷ୍ଠ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।
ବର୍ତ୍ତମାନ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ବି ଇସ୍ତଫା ଦେଇଛନ୍ତି । ସେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିଲେ । ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜର ପଦ ଛାଡ଼ିଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଡାକ୍ତର ହର୍ଷବର୍ଦ୍ଧନ ନୂଆଦିଲ୍ଲୀରୁ ସାଂସଦ ଅଛନ୍ତି । ତେବେ କରୋନା ଭଳି ମହାମାରୀ ସମୟରେ ହାକ୍ତର ହର୍ଷବର୍ଦ୍ଧନଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେହିପରି ଓଡ଼ିଶା ପାଇଁ ସବୁଠାରୁ ବଡ଼ ଖବର ହେଉଛି ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଇସ୍ତଫା ଦେଇଛନ୍ତି । ସେ ବିଭିନ୍ନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । ଶ୍ରୀ ଷଡ଼ଙ୍ଗୀ ମୋଦୀଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀ ହୋଇଥିଲେ । ଏମଏସଏମଇ ଓ ପଶୁ ସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶାର ମୋଦୀଭାବେ ସେ ବେଶ ପରିଚିତ ଥିଲେ । ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ ପାଇଁ ସେ ଘରେ ଘରେ ପରିଚିତ ଥିଲେ ।
ସେହିପରି କେନ୍ଦ୍ରମନ୍ତ୍ରିମଣ୍ଡଳରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେହିପରି ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଥିବା ଜଣାଯାଇଛି । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଇସ୍ତଫାନେଇ ଜାତୀୟ ଗଣମାଧ୍ୟମରୁ ଜଣାଯାଇଛି ।
ଏହାଛଡ଼ା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସଦାନନ୍ଦ ଗୌଡ଼ ମଧ୍ୟ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।




admin 