ଅଖୁନ୍ଦଙ୍କ ନେତୃତ୍ବରେ ତାଲିବାନ ସରକାର
ଅଖୁନ୍ଦଙ୍କ ନେତୃତ୍ବରେ ତାଲିବାନ ସରକାର
ନୂଆଦିଲ୍ଲୀ: ଆଫଗାନିସ୍ତାନ ପାଇଁ ନୂଆ କାମଚଳା ସରକାର ଘୋଷଣା କରିଛି ତାଲିବାନ। ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦ ହେବେ ତାଲିବାନ ସରକାରର ମୁଖ୍ୟ। ସେ ନୂଆ ସରକାରରେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି । ତାଲିବାନ ସହ ପ୍ରତିଷ୍ଠାତା ଅବଦୁଲ ଘନି ବରାଦର ନୂଆ ସରକାରରେ ଉପପ୍ରଧାନମନ୍ତ୍ରୀ ହେବେ। ତେବେ ଆଫଗାନିସ୍ତାନରେ ଏହି ନୂଆ ସରକାର କାମଚଳା ବୋଲି ମୁଜାହିଦ ସ୍ପଷ୍ଟ କରିଛନ୍ତି। ଏହା ସ୍ଥାୟୀ ନୁହେଁ ବୋଲି ସେ କହିଛନ୍ତି । ସିରାଜୁଦ୍ଧିନ ହକ୍କାନୀ କାମଚଳା ଆଭ୍ୟନ୍ତରୀଣ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ଅମିର ଖାନ ମୁତ୍ତାକି ବିଦେଶ ମନ୍ତ୍ରୀ, ଆବାସ ସ୍ତାନିକଜାଇ ନୂଆ ଆଫଗାନ ସରକାରରେ ଉପ ବିଦେଶ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି ବୋଲି ମୁଜାହିଦ କହିଛନ୍ତି । ତାଲିବାନ ପ୍ରତିଷ୍ଠାତା ମୁଲ୍ଳା ମହମ୍ମଦ ଓମାରଙ୍କ ପୁ୍ଅ ମୁଲ୍ଲା ୟାକୁବ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିବା ଜଣାପଡ଼ିଛି । ମନ୍ତ୍ରୀ ପରିଷଦରେ ଅବଦୁଲ ସଲାମ ହନାଫି ଦ୍ୱିତୀୟ ଉପପ୍ରଧାନମନ୍ତ୍ରୀ, ହେଦାୟାତୁଲ୍ଲା ବଦ୍ରି ଅର୍ଥ ମନ୍ତ୍ରୀ, ଡିନ ମହମ୍ମଦ ଅର୍ଥନୀତି ବ୍ୟାପାର ମନ୍ତ୍ରୀ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ତାଲିବାନ ୨ ଥର ସରକାର ଘୋଷଣା ସ୍ଥଗିତ ରଖିଥିଲା । ତେବେ ସରକାରୀ ଭାବେ କୌଣସି ଉତ୍ସବ ହେବା ପୂର୍ବରୁ ତାଲିବାନ ନୂଆ ସରକାର ଘୋଷଣା କରିଛି । ପରେ ବିଧିବଦ୍ଧ ଭାବେ ନୂଆ ସରକାର ଗଠନ ପାଇଁ ଉତ୍ସବ ପାଳନ ହେବ । ମୁଲ୍ଲା ହାସନ ଅଖୁନ୍ଦ ଏବେ ତାଲିବାନର ଶକ୍ତିଶାଳୀ ନିଷ୍ପତ୍ତି ନିର୍ଣ୍ଣୟ କମିଟିର ମୁଖ୍ୟ ଅଛନ୍ତି । ଧାର୍ମିକ ନେତାଭାବେ ସେ ଅଧିକ ପରିଚିତ । ମୁଲ୍ଲା ହାସନ ଶେଖ ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ସହ ତାଙ୍କର ଦୀର୍ଘ ୨୦ ବର୍ଷ ଧରି ଅତି ଘନିଷ୍ଠ ସଂପର୍କ ରହିଛି । ଆଫଗାନିସ୍ତାନରେ ପୂର୍ବ ତାଲିବାନ ସରକାରରେ ହାସନ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗରେ କାର୍ୟ୍ୟ କରିଥିଲେ ।




admin 