ୱେବ ପୋର୍ଟାଲରେ ଶ୍ରଦ୍ଧାଳୁ ପାଇବେ ଦିଅଁ ଦର୍ଶନ
ୱେବ ପୋର୍ଟାଲରେ ଶ୍ରଦ୍ଧାଳୁ ପାଇବେ ଦିଅଁ ଦର୍ଶନ

ଭୁବନେଶ୍ବର: ରାଜ୍ୟରେ ୱେବ ପୋର୍ଟାଲରେ ଶ୍ରଦ୍ଧାଳୁ ପାଇବେ ଦିଅଁ ଦର୍ଶନ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୱେବ ପୋର୍ଟାଲ ଆରମ୍ଭ ହେବ । ଏଥିରେ ଓଡିଶାର ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ପାଇଁ ଅନଲାଇନରେ ଟିକେଟ୍ ବ୍ୟବସ୍ଥା ସହ ଦେବାଦେବୀଙ୍କ ଦର୍ଶନ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁ ଓ ପର୍ୟ୍ୟଟକଙ୍କୁ ସ୍ବତନ୍ତ୍ର ସୁବିଧା ମିଳିବ । ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଓଡ଼ିଶାରେ ଖୁବଶୀଘ୍ର ଇଣ୍ଟିଗ୍ରେଟେଡ ଟେମ୍ପଲ ମ୍ୟାନେଜମେଣ୍ଟ ସିଷ୍ଟମ ବିକଶିତ କରାଯାଇ ଓ୍ବେବ ପୋର୍ଟାଲ ଆରମ୍ଭ ହେବ । ଏହାଦ୍ବାରା ଅନଲାଇନ ଜରିଆରେ ଶ୍ରଦ୍ଧାଳୁମାନେ ଦେବାଳୟ ଦର୍ଶନ ସୁବିଧା ପାଇପାରିବେ । ପ୍ରଥମେ କିଛି ମନ୍ଦିରକୁ ପାଇଲଟ ପ୍ରକଳ୍ପ ଭାବରେ ପୋର୍ଟାଲରେ ସ୍ଥାନ ଦେବାକୁ ଦେବତ୍ତୋର କମିଶନଙ୍କୁ ଚିଠି ଲେଖିଛି ଆଇନ ବିଭାଗ । ଦର୍ଶନ, ପୂଜା, ପ୍ରସାଦ ସେବନ ପାଇଁ ଏହି ପୋର୍ଟାଲ ଜରିଆରେ ଦେଶ ବିଦେଶର ଭକ୍ତ ଟିକେଟ୍ କରିପାରିବେ ।
ପୋର୍ଟାଲରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷା ରହିବ । ଦେବତ୍ତୋର କମିସନ, ସଂସ୍କୃତି ବିଭାଗ, ଭାରତୀୟ ପ୍ରତ୍ନତତ୍ବ ବିଭାଗ ଏବଂ ଆଇନ ବିଭାଗକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ନ ହେବା ଭଳି ଓ୍ବେବ ପୋର୍ଟାଲ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ହୋଇଛି । ପୋର୍ଟାଲ ମାଧ୍ୟମରେ ବିଭିନ୍ନ ମନ୍ଦିରରେ ହେଉଥିବା କାର୍ୟ୍ୟକ୍ରମ, ବିଭିନ୍ନ ରୀତିନୀତି ଏବଂ ସମୟ ସାରଣୀ ସମ୍ପର୍କରେ ତଥ୍ୟ ମିଳିପାରିବ । ଏହାସହ ଦାତା ଯେଉଁ ମନ୍ଦିରକୁ ଚାହିଁବେ ଦାନ କରିପାରିବେ । ପର୍ୟ୍ୟାୟ କ୍ରମେ ରାଜ୍ୟର ୧୫୦ଟି ମନ୍ଦିର ଏହି ପୋର୍ଟାଲରେ ସ୍ଥାନ ପାଇବ ବୋଲି ଜଣାପଡିଛି । ପୋର୍ଟାଲରେ କେଉଁ ମନ୍ଦିର ସ୍ଥାନ ପାଇବ ତା'ର ତାଲିକା ପ୍ରସ୍ତୁତ କରିବ ଦେବତ୍ତୋର କମିଶନ ।ଏନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ''ଏହି ପୋର୍ଟାଲ ଦ୍ବାରା ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଉପକୃତ ହେବେ । ପୋର୍ଟାଲ ମାଧ୍ୟମରେ ଟିକେଟ ବ୍ୟବସ୍ଥା କରାଗଲେ ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ସୁବିଧା ହେବ । ଆଟିଏମସ ସିଷ୍ଟମରେ ପର୍ୟ୍ୟାୟକ୍ରମେ ପୁରୀ ଶ୍ରୀମନ୍ଦିର ମଧ୍ୟ ସାମିଲ ହେବ ।